କଟକ : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ରେଜଲ୍ଟ ପ୍ରକାଶ ନେଇ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଶୁକ୍ରବାର ଅପରାହ୍ନ ୪ଟାରେ କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ଘୋଷଣା ହେବ । ସନ୍ଧ୍ୟା ୬ଟା ପରେ ଛାତ୍ରଛାତ୍ରୀ ମାନେ ବୋର୍ଡର ଅଫିସିଆଲ ୱେବସାଇଟ୍ www.bseodisha.ac.in ଏବଂ www.orissaresults.nic.in ରେ ନିଜ ନିଜର ପରୀକ୍ଷାଫଳ ଦେଖିପାରିବେ।
ଛାତ୍ରଛାତ୍ରୀମାନେ ସେମାନଙ୍କ ରୋଲ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ୱେବସାଇଟ୍ରେ ଫଳାଫଳ ଯାଞ୍ଚ କରିପାରିବେ ଛାତ୍ରଛାତ୍ରୀ । ଏହା ସହିତ, ଏସ୍ଏମ୍ଏସ୍ ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିବାର ସୁବିଧା ବୋର୍ଡ ପକ୍ଷରୁ ଉପଲବ୍ଧ କରାଯିବ । ଯେଉଁମାନେ ଫଳାଫଳ ନେଇ ଅସନ୍ତୁଷ୍ଟ ହେବେ, ସେମାନେ ପୁନଃ ମୂଲ୍ୟାୟନ କିମ୍ବା ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ ।
ଚଳିତ ବର୍ଷ ଫେବ୍ରୁଆରୀ ୨୧ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା । ରାଜ୍ୟରେ ହୋଇଥିବା ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୫ ଲକ୍ଷ ୨୨ ହଜାର ୩୩୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ୩୦ ଜିଲ୍ଲାରେ ୩୧୩୩ ପରୀକ୍ଷା କେନ୍ଦ୍ର ସହ ୩୧୪ଟି ନୋଡାଲ୍ ସେଣ୍ଟର ବ୍ୟବସ୍ଥା କରାଯାଇଥିଲା। ସବୁ ସେଣ୍ଟରରେ ସିସିଟିଭି ଲାଗିଥିଲା । କପି ରୋକିବା ପାଇଁ ୪ ସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା ହୋଇଥିଲା ।