ସ୍ୱାସ୍ଥ୍ୟସେବାରେ ନୂଆପଡ଼ାକୁ ପ୍ରତାରଣା; ସ୍ୱାସ୍ଥ୍ୟବୀମା ଯୋଜନାରେ ନାହିଁ ଜିଲ୍ଲାର ଗୋଟିଏ ବି ଘରୋଇ ହସ୍‌ପିଟାଲ

ରାୟପୁରରେ ବି ‘ଆୟୁଷ୍ମାନ’ ସେବା ପାଇପାରୁ ନାହାନ୍ତି ଜିଲ୍ଲାବାସୀ

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପ୍ରରିପେକ୍ଷୀରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଏକ ନିର୍ଦ୍ଦେଶନାମା ଜିଲ୍ଲାରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ରକୁ ପଦାରେ ପକାଇ ଦେଇଛି। ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ନେଇ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ନୂଆପଡ଼ା ଜିଲ୍ଲାରେ ଏହି ଦେୟମୁକ୍ତ ସ୍ୱାସ୍ଥ୍ୟବୀମା ଯୋଜନା ଉପଲବ୍ଧ ନାହିଁ। ଯୋଜନା ଅଧୀନରେ ନୂଆପଡ଼ା ଜିଲ୍ଲା॥େର ଏପରିକି  ପଡେ଼ାଶୀ ରାୟପୁରରେ ଗୋଟିଏ ହେଲେ ବି ବେସରକାରୀ ଅନୁବନ୍ଧିତ ହସ୍ପିଟାଲ ନ ଥିବା ଜଣାପଡ଼ିଛି। ରାଜ୍ୟସାରା ଅନ୍ୟ ଜିଲ୍ଲାମାନଙ୍କରେ ଲୋକେ ଦେୟମୁକ୍ତ ବୀମା ଚିକିତ୍ସା ସୁବିଧା ପାଉଥିବା ବେଳେ ରାଜ୍ୟ ବିଜେପି ସରକାର ନୂଆପଡ଼ାବାସୀଙ୍କୁ ଏଥିରୁ କାହିିଁକି ବଞ୍ଚିତ ରଖିଲେ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତ ଅକ୍ଟୋବର ୧୦ ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସଚିବ ଏବଂ ନୂଆପଡ଼ା ଜିଲ୍ଲାପାଳଙ୍କ ସହ ଭିସି ଯୋଗେ ଏକ ବୈଠକ କରିଥିଲେ। ବୈଠକରେ ଉପ ନିର୍ବାଚନରେ ନିୟୋଜିତ ହେବାକୁ ଥିବା କର୍ମଚାରୀ ଏବଂ ସୁରକ୍ଷାକର୍ମୀଙ୍କୁ ଦେୟମୁକ୍ତ ସ୍ୱାସ୍ଥ୍ୟବୀମା ଚିକିତ୍ସା ସୁବିଧା ଯୋଗାଇ ଦେବା ସମ୍ପର୍କରେ ଆଲୋଚନା ହୋଇଥିଲା। ମାତ୍ର ବୈଠକରେ ସ୍ୱାସ୍ଥ୍ୟ ସଚିବ ନୂଆପଡ଼ା କିମ୍ୱା ପଡେ଼ାଶୀ ରାୟପୁରରେ ରାଜ୍ୟ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ଦେୟମୁକ୍ତ ସ୍ୱାସ୍ଥ୍ୟବୀମା ଯୋଜନା ଅଧୀନରେ କୌଣସି ଘରୋଇ ହସ୍ପିଟାଲ ସହବନ୍ଧିତ ହୋଇ ନ ଥିବା ସୂଚନା ଦେଇଥିଲେ। ଯାହାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଚିନ୍ତାବ୍ୟକ୍ତ କରିବା ସହ ଉପ ନିର୍ବାଚନ ସମୟରେ ନୂଆପଡ଼ାରେ ନିର୍ବାଚନ ଡ୍ୟୁଟିରେ ନିୟୋଜିତ କର୍ମଚାରୀ, ପୁଲିସ ଏବଂ ସିଏପିଏଫ ଯବାନଙ୍କ ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। 

ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜିଲ୍ଲାର ସମସ୍ତ ବେସରକାରୀ ହସ୍ପିଟାଲରେ ଉପଲବ୍ଧ ଥିଲା। ଫଳସ୍ୱରୂପ ଗ୍ରାମାଞ୍ଚଳର ଗରିବ ଲୋକେ ଏହାଦ୍ୱାରା ବିଶେଷ ଭାବେ ଉପକୃତ ହୋଇ ପାରୁଥିଲେ। ତେବେ ନୂଆ ସରକାର କ୍ଷମତାକୁ ଆସିବା ପରେ ବିଏସକେୱାଇକୁ ବନ୍ଦ କରିଦେବା ସହ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କଲେ। ମାତ୍ର ଏହି ଯୋଜନା କାର୍ଯ୍ୟକାରୀ ହେବା ସହ ନୂଆପଡ଼ା ଜିଲ୍ଲାର ସମସ୍ତ ଘରୋଇ ହସ୍ପିଟାଲ ଯୋଜନା ଅନୁବନ୍ଧିତ ତାଲିକାରୁ ବାଦ୍‌ ପଡ଼ିଥିବା ଜଣାପଡ଼ିଛି। ଏପରିକି ପଡେ଼ାଶୀ ରାୟପୁରରେ ମଧ୍ୟ କୌଣସି ଘରୋଇ ହସ୍ପିଟାଲରେ ରାଜ୍ୟ ସରକାରଙ୍କ ବୀମା  ଯୋଜନା କାର୍ଯ୍ୟକାରୀ ହେଉନାହିଁ। ଯାହାଫଳରେ ଉନ୍ନତ ତଥା ଦେୟମୁକ୍ତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇ ସନ୍ତୁଳି ହେଉଛନ୍ତି ନୂଆପଡ଼ାବାସୀ। କେଉଁ ଅପରାଧ ପାଇଁ ବିଜେପି ସରକାର ଆମକୁ ଉନ୍ନତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ରଖିଲେ ବୋଲି ନୂଆପଡ଼ାବାସୀ  ପଚାରୁଥିବା ବେଳେ ଏହାର ଉତ୍ତର କିନ୍ତୁ କାହା ପାଖରେ ନାହିଁ। 

ଇତିମଧ୍ୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ  ୪ଟି ଆକସ୍ମିକ ଘଟଣା ଯଥା ସାପକାମୁଡା, ହୃଦଘାତ, ଦୁର୍ଘଟଣା କିମ୍ୱା ଅନ୍ୟ କୌଣସି ଜୀବନପ୍ରତି ବିପଦ ଥିବା ଜରୁରୀକାଳୀନ ସ୍ଥିତିରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ନୂଆପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ  ଦେଇଛନ୍ତି। ସେପରି କୌଣସି ପରିସ୍ଥିତି ସୃଷ୍ଟି ହେଲେ ସେମାନଙ୍କୁ ଓଡ଼ିଶା କିମ୍ୱା ରାୟପୁରରେ ଯେକୌଣସି ସରକାରୀ କିମ୍ୱା ବେସରକାରୀ ହସ୍ପିଟାଲରେ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଏହାବ୍ୟତୀତ ଅନ୍ୟ କୌଣସି ଘଟଣାରେ ନୂଆପଡ଼ାରେ ଉଭୟ ସରକାରୀ କିମ୍ବା ବେସରକାରୀ ହସ୍ପିଟାଲରେ ଆବଶ୍ୟକସ୍ଥଳେ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ଚିକିତ୍ସା ସେବା ଯୋଗାଇଦେବାକୁ କୁହାଯାଇଥିବା ବେଳେ ଏହାର ସମସ୍ତ ଖର୍ଚ୍ଚ ପରବର୍ତ୍ତୀ ସମୟରେ ନିର୍ବାଚନ ଖର୍ଚ୍ଚ ବ୍ୟୟ ଅଟକଳରୁ ବହନ କରାଯିବ ବୋଲି ସୂଚନା ମିଳିଛି ।

About The Author: Deviprasad Mohanty