ପ୍ରକୃତିର ପାର୍ବଣ ନୂଆଁଖାଇ, ବହୁ ଆଡ଼ମ୍ବରରେ ପଶ୍ଚିମ ଓଡ଼ିଶାର ଘରେଘରେ ହୋଇଥାଏ ପାଳିତ

ନୂଆଁଖାଇ ମାଟି ମା’ର ପର୍ବ । ଯେଉଁ ମାଟି ବଞ୍ଚିରହିବା ପାଇଁ ମଣିଷକୁ ଅନ୍ନ ମୁଠାଏ ଦିଏ, ତା’ର ପୂଜା ନ କରି ମଣିଷ ନବାନ୍ନ ଗ୍ରହଣ କରିପାରେନା । ବହୁ ଆଡ଼ମ୍ବରରେ ପଶ୍ଚିମ ଓଡ଼ିଶାର ଘରେ ଘରେ ନୂଆଁଖାଇ ପର୍ବ ପାଳିତ ହୋଇଥାଏ । କୃଷିଭିତ୍ତିକ ଏହି ପର୍ବ ଚାଷୀ ପରିବାରରେ ନୂଆ ଆନନ୍ଦ ଆଣିଦେଇ ଥାଏ। ସମସ୍ତେ ବର୍ଷକର ଦୁଃଖକଷ୍ଟ ଭୁଲି ପର୍ବରେ ସାମିଲ ହୁଅନ୍ତି। ଏକାଠି ହୋଇ ଉତ୍ସବ କରି ଏକତାର ସୂତ୍ରରେ […]

ନୂଆଁଖାଇ ମାଟି ମା’ର ପର୍ବ । ଯେଉଁ ମାଟି ବଞ୍ଚିରହିବା ପାଇଁ ମଣିଷକୁ ଅନ୍ନ ମୁଠାଏ ଦିଏ, ତା’ର ପୂଜା ନ କରି ମଣିଷ ନବାନ୍ନ ଗ୍ରହଣ କରିପାରେନା । ବହୁ ଆଡ଼ମ୍ବରରେ ପଶ୍ଚିମ ଓଡ଼ିଶାର ଘରେ ଘରେ ନୂଆଁଖାଇ ପର୍ବ ପାଳିତ ହୋଇଥାଏ । କୃଷିଭିତ୍ତିକ ଏହି ପର୍ବ ଚାଷୀ ପରିବାରରେ ନୂଆ ଆନନ୍ଦ ଆଣିଦେଇ ଥାଏ। ସମସ୍ତେ ବର୍ଷକର ଦୁଃଖକଷ୍ଟ ଭୁଲି ପର୍ବରେ ସାମିଲ ହୁଅନ୍ତି। ଏକାଠି ହୋଇ ଉତ୍ସବ କରି ଏକତାର ସୂତ୍ରରେ ବାନ୍ଧି ହେବାପାଇଁ ଅବସରଟିଏ ଦେଇଥାଏ ଏହି ପର୍ବ। ନୂଆଁଖାଇକୁ ନବାନ୍ନ ଭକ୍ଷଣ ମଧ୍ୟ କୁହାଯାଏ। ଏହି ପର୍ବ ପାଞ୍ଜି ଅନୁସାରେ ଭାଦ୍ରକ ଶୁକ୍ଳ ପଞ୍ଚମୀ ତିଥିରେ (ଗଶେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ ।

ଏହା ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି, ଭାଷା, ପରମ୍ପରା, ଚାଲି-ଚଳଣ ଏବଂ ସର୍ବୋପରି ଭାବାବେଗ ସହିତ ଓତପ୍ରୋତ ଭାବେ ଜଡ଼ିତ । ପଶ୍ଚିମ ଓଡ଼ିଶାବାସୀଙ୍କର ମୁଖ୍ୟଜୀବିକା ହେଉଛି କୃଷି। କୃଷିଜାତ ଅନ୍ନର ମହତ୍ତ୍ବକୁ ନେଇ କେଉଁ ଆବହମାନ କାଳରୁ ଏହି ନୂଆଁଖାଇ ପର୍ବ ପାଳିତ ହୋଇଆସୁଛି। ଓଡ଼ିଶାର ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଓ ବୌଦ୍ଧ ଜିଲ୍ଲା ସମେତ କୋରାପୁଟର କେତେକ ଅଞ୍ଚଳ ଏବଂ ଛତିଶଗଡ଼ ରାଜ୍ୟର ଦେଓଭୋଗ ସମେତ କେତେକ ଅଞ୍ଚଳରେ ଏହି ନୂଆଁଖାଇ ପର୍ବ ଖୁବ ଧୁମଧାମ୍‌ରେ ପାଳିତ ହୋଇଥାଏ।

ନୂଆଁଖାଇ ଯେ, କେବଳ ପାରମ୍ପରିକ ପର୍ବ ନୁହେଁ, ବରଂ ଏହି ପର୍ବ ଭ୍ରାତୃତ୍ବଭାବ ଓ ଏକତାର ପର୍ବ, ସୌହାର୍ଦ୍ଦ୍ୟ ମହାମିଳନର ପର୍ବ। କାରଣ ଯିଏ ଯେଉଁଠି ଯେତେଦୂରରେ ଥାଆନ୍ତୁ ନା କାହିଁକି ଅନ୍ତତଃ ବର୍ଷକୁ ଥରେ ଏହି ନିର୍ଦ୍ଦିଷ୍ଟ ପର୍ବ ସମୟରେ ସମସ୍ତେ ଏକତ୍ର ହୋଇଥାନ୍ତି। ସ୍ରଷ୍ଟାଙ୍କ ପ୍ରତି ସମର୍ପଣ ଓ କୃତଜ୍ଞ ହେବାର ପ୍ରତୀକ ମହାନ୍‌ ଗଣପର୍ବ ନୂଆଁଖାଇ। ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସଅଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର ଆରମ୍ଭ ହୋଇଥାଏ। ଚାଷୀ ପ୍ରଥମକରି ଏହି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିଥାଏ। ପରେ ଏଥିରୁ ପ୍ରସ୍ତୁତ ଭୋଗକୁ ପରିବାର ସମସ୍ତେ ଖାଇଥାନ୍ତି। ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ କୁହାଯାଏ ନୂଆଁଖାଇ । ନୂଆଁଖାଇ ପାଇଁ ଆଗରୁ “ଲଗ୍ନ” ବା “ତିଥି” ନିର୍ଣ୍ଣୟ କରାଯାଇଥାଏ। ନୂଆଁଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସରିବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଗ୍ରହଣ କରନ୍ତି । ପୂର୍ବରୁ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଁ ଖାଇବାର ଲଗ୍ନ ଧାର୍ଯ୍ୟ କରୁଥିଲେ । ଏହା ପରେ ରାଜାଙ୍କ ଇଷ୍ଟଦେବୀଙ୍କ ନାଁ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ। ଏହି କାରଣରୁ ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଁଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ହେଉ ନ ଥିଲା । ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଁଖାଇ ପର୍ବ ପାଳନ କରାଯିବା ପାଇଁ ଘୋଷଣା କରି ଏହି ଦିନକୁ ସରକାରୀ ଛୁଟି ଭାବେ ଘୋଷଣା କରିଥିଲେ।  ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଗ୍ରହଣ କରାଯାଇ ସର୍ବସମ୍ମତ କ୍ରମେ ଗଣେଶ ପୂଜାର ପରଦିନ ଅର୍ଥାତ୍‌ ଋଷି ପଞ୍ଚମୀ ଦିନଟି ନୂଆଁଖାଇ ଭାବେ ସ୍ଥିର କରାଗଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଁଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି ।

ପଶ୍ଚିମ ଓଡ଼ିଶା ଶକ୍ତିପୀଠ ଭାବେ ପରିଚିତ । କଳାହାଣ୍ଡିର ମାଣିକେଶ୍ୱରୀ, ଜୁନାଗଡ଼ର ଲଙ୍କେଶ୍ୱରୀ, ସମ୍ବଲପୁରର ସମଲେଶ୍ୱରୀ, ବଲାଙ୍ଗୀର ଓ ପାଟଣାଗଡ଼ର ପାଟଣେଶ୍ୱରୀ, ସୋନପୁରର ସୁରେଶ୍ୱରୀ ଆଦି ଦେବାଦେବୀଙ୍କ ପୀଠରେ ପ୍ରଥମେ ନବାନ୍ନ ଭୋଗଲାଗି ହେବାପରେ ସେହି ନୂଆ ଅନ୍ନକୁ ସମସ୍ତେ ଗ୍ରହଣ କରିବାର ପରମ୍ପରା ରହିଆସିଛି। ନୂଆଁଖାଇ ପାଇଁ ବାହାର କରାଯାଏ ଅମୃତବେଳା । ସେହି ମୁହୂର୍ତ୍ତରେ ନୂଆଭାବରେ ଅମଳ କରାଯାଇଥିବା ଷାଠିଆ ଧାନରୁ ପ୍ରସ୍ତୁତ ଅନ୍ନକୁ ରାନ୍ଧି ଖିଆଯାଏ । ନୂଆଁଖାଇର ପ୍ରାକ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥାଏ ନିର୍ଦ୍ଦିଷ୍ଟ ଦିନର କିଛି ଦିନ ପୂର୍ବରୁ। ନୂଆଁଖାଇ ଦିନ ସମସ୍ତେ ଶୀଘ୍ର ଶଯ୍ୟାତ୍ୟାଗ କରି ନିଜ ନିଜର ନିତ୍ୟକର୍ମ ସାରନ୍ତି। ସମସ୍ତେ ନୂତନ ବସ୍ତ୍ର ପରିଧାନ କରି ପୂଜାପାଠରେ ବସନ୍ତି। ନୂଆ ଧାନରୁ ପ୍ରସ୍ତୁତ ଚୁଡ଼ା, ପିଠାପଣା ଦେବଦେବୀଙ୍କୁ ସମର୍ପଣ କରନ୍ତି। ଧୂପ ଦୀପ ଦେଇ ପୂଜା କରନ୍ତି। ଏହି ସମୟରେ ପରିବାରର ସମସ୍ତେ ଯିଏ ଯେତେ ଦୂରରେ ଥିଲେ ମଧ୍ୟ ନିଜ ଗ୍ରାମରେ ଆସି ଏକତ୍ରିତ ହୋଇଥାନ୍ତି। ନବନିର୍ମିତ ଚୁଲିରେ ନୂଆହାଣ୍ଡିରେ ଧାନ ପକାଇ ଚୁଡ଼ା ଭଜା ଯାଇଥାଏ । ସେହି ନୂତନ ଚୂଡ଼ାରେ ଗାଈ ଘିଅ, କ୍ଷୀର, ନଡ଼ିଆ, କଦଳୀ, ଗୁଡ଼ ଆଦି ମିଶ୍ରଣ କରାଯାଇ ପ୍ରସାଦ ବା ନବାନ୍ନ ପ୍ରସ୍ତୁତ କରାଯାଇଥାଏ। ନୂଆଁଖାଇରେ ସର୍ବଶୁଦ୍ଧି ଓ ଦେବଦେବୀଙ୍କ ମାନ୍ୟତା ପ୍ରାପ୍ତ କୁରେଇ ପତ୍ର ପୂର୍ବରୁ ସଂଗ୍ରହ କରି ରଖାଯାଇଥାଏ । ସେହି କୁରେଇ ପତ୍ରରେ ହିଁ ଘରର ମୁଖିଆ ସମସ୍ତଙ୍କୁ ନବାନ୍ନ ବଣ୍ଟନ କରିଥାନ୍ତି। ଜାତି ଅନୁସାରେ ଭିନ୍ନ ଭିନ୍ନ ପତ୍ରରେ ନୂଆଁ ଖାଇଥାନ୍ତି।

ପ୍ରଥମେ ଇଷ୍ଟ ଦେବାଦେବୀଙ୍କ ପାଖରେ ନୂଆ ଧାନର ବେଣୀ କରି ଝୁଲାଇ ଦିଆଯାଇଥାଏ ଏବଂ ଇଷ୍ଟ ଦେବଦେବୀ ଓ ପୂର୍ବପୁରୁଷଙ୍କୁ ନବାନ୍ନ ଅର୍ପଣ କରିସାରିବା ପରେ ପ୍ରତ୍ୟେକ ବ୍ୟକ୍ତି ସାନରୁ ବଡ଼ ଯାଏ ସମସ୍ତେ ନିଜ ନିଜ ମୁଣ୍ଡରେ ଲଗାଇ ନବାନ୍ନ ପ୍ରସାଦ ଭକ୍ଷଣ କରିଥାନ୍ତି। ନୂଆଁଖାଇ ଅବସରରେ ସାନମାନେ ବଡ଼ମାନଙ୍କୁ ନୂଆଁଖାଇ ଜୁହାର କରନ୍ତି। ପ୍ରଥମେ ଗ୍ରାମଦେବତୀଙ୍କ ପୀଠ ବା ଭାଗବତ ଟୁଙ୍ଗିରେ ଏକାଠି ହୋଇ ମୁଣ୍ଡିଆ ମାରିସାରିବା ପରେ ସାନମାନେ ବଡ଼ମାନଙ୍କଠୁ ଆଶୀର୍ବାଦ କାମନା କରିଥାନ୍ତି । ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ହୋଇଥାଏ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜିତ ହୋଇଥାଏ ।  ନୂଆଁଖାଇର ପରଦିନକୁ ନୂଆଁଖାଇ ବାସି ପାଳନ କରାଯାଇଥାଏ। ଏହିଦିନ ଆହୁରି ଧୁମଧାମ୍‌ରେ ପିଠାପଣା, ମାଛ, ମାଂସ ଇତ୍ୟାଦି କରି ଭୋଜିଭାତ ମାଧ୍ୟମରେ ବନ୍ଧୁମିଳନ ତଥା ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ। ସ୍ଥାନେ ସ୍ଥାନେ ନବାନ୍ନ ଭକ୍ଷଣ ପରେ ସାତ ଆଠଦିନ ପରେ ମଧ୍ୟ ଆଖପାଖ ସାଂସ୍କୃତିକ ଦଳ ଓ ମୁଖ୍ୟ ଲୋକମାନଙ୍କୁ ନେଇ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥାଏ। ଆଜି ନୂଆଁଖାଇ ପର୍ବ କେବଳ ରାଜ୍ୟର ପଶ୍ଚିମ ଭାଗରେ ସୀମିତ ହୋଇ ରହିନାହିଁ। ନୂଆଁଖାଇ ଭେଟ୍‌ଘାଟ ନାମରେ ବର୍ଷର ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଅନୁଷ୍ଠାନ ଦ୍ବାରା ହର୍ଷ ଉଲ୍ଲାସ ମଧ୍ୟରେ ନୂଆଖାଇ ପାଳନ କରାଯାଉଛି। ବିଦେଶରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକମାନେ ନୂଆଁଖାଇ ଭେଟ୍‌ଘାଟ୍‌ରେ ସାମିଲ ହୋଇ ପରସ୍ପର ମଧ୍ୟରେ ସ୍ନେହଶ୍ରଦ୍ଧା ବାଣ୍ଟିଥାନ୍ତି। କୃଷିଭିତ୍ତିକ ଓ ଭାଇଚାରାର ବାର୍ତ୍ତାବାହକ ନୂଆଁଖାଇ ଆମକୁ ତ୍ୟାଗ, ନିଷ୍ଠା, ସେବା,ଭକ୍ତି ଓ ବିଶ୍ବାସ ସମ୍ବନ୍ଧରେ ଶିକ୍ଷା ଦେଇଥାଏ।

About The Author: The Sakala