ହାତୀ-ମଣିଷ ଲଢ଼େଇ ରୋକିବାକୁ ବହୁସୂତ୍ରୀ ଯୋଜନା: ‘ଗଜସାଥୀ’ରେ ଯୋଡ଼ି ହେବ ୨୦୦୦ ଗାଁ

ଭୁବନେଶ୍ୱର: ରାଜ୍ୟରେ ବିସ୍ତାରିତ ହେବ ‘ଗଜସାଥୀ’ କାର୍ଯ୍ୟକ୍ରମ। ପ୍ରାରମ୍ଭିକ ଭାବେ ରାଜ୍ୟର ୫୦୦ ଗ୍ରାମରେ ଆରମ୍ଭ ହୋଇଥିବା ଏହି ସଚେତନତା କାର୍ଯ୍ୟକ୍ରମ ଗତ ବର୍ଷ ୧୨ ଶହ ଗ୍ରାମକୁ ବିସ୍ତାରିତ ହେଉଛି। ଚଳିତ ବର୍ଷ ଗଜସାଥୀ କାର୍ଯ୍ୟକ୍ରମ ୨ ହଜାର ଗ୍ରାମକୁ ସମ୍ପ୍ରସାରଣ କରିବା ପାଇଁ ଲକ୍ଷ୍ୟ ରଖିଛି ବୋଲି ବନ୍ୟପ୍ରାଣୀ ପିସିସିଏଫ୍‌‌ ଏସ୍‌‌କେ ପୋପଲି କହିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରତି ଗ୍ରାମରେ ଗ୍ରାମ୍ୟ କମିଟି ଦ୍ୱାରା ୫ ଜଣ ସ୍ୱେଚ୍ଛାସେବୀଙ୍କୁ ଚୟନ କରାଯାଇ ଗଜ […]

ଭୁବନେଶ୍ୱର: ରାଜ୍ୟରେ ବିସ୍ତାରିତ ହେବ ‘ଗଜସାଥୀ’ କାର୍ଯ୍ୟକ୍ରମ। ପ୍ରାରମ୍ଭିକ ଭାବେ ରାଜ୍ୟର ୫୦୦ ଗ୍ରାମରେ ଆରମ୍ଭ ହୋଇଥିବା ଏହି ସଚେତନତା କାର୍ଯ୍ୟକ୍ରମ ଗତ ବର୍ଷ ୧୨ ଶହ ଗ୍ରାମକୁ ବିସ୍ତାରିତ ହେଉଛି। ଚଳିତ ବର୍ଷ ଗଜସାଥୀ କାର୍ଯ୍ୟକ୍ରମ ୨ ହଜାର ଗ୍ରାମକୁ ସମ୍ପ୍ରସାରଣ କରିବା ପାଇଁ ଲକ୍ଷ୍ୟ ରଖିଛି ବୋଲି ବନ୍ୟପ୍ରାଣୀ ପିସିସିଏଫ୍‌‌ ଏସ୍‌‌କେ ପୋପଲି କହିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରତି ଗ୍ରାମରେ ଗ୍ରାମ୍ୟ କମିଟି ଦ୍ୱାରା ୫ ଜଣ ସ୍ୱେଚ୍ଛାସେବୀଙ୍କୁ ଚୟନ କରାଯାଇ ଗଜ ସାଥୀ ଭାବେ ନିୟୋଜନ କରାଯାଉଛି। ଯେଉଁମାନେ କି ବନ ବିଭାଗକୁ ହାତୀଙ୍କ ବିଚରଣ ସଂକ୍ରାନ୍ତ ସୂଚନା ଦେବା ସହ ହାତୀ ମଣିଷ ଲଢ଼େଇ ହ୍ରାସ ଦିଗରେ କାର୍ଯ୍ୟ କରୁଛନ୍ତି। ଅନ୍ୟପଟେ ନିକଟରେ ମୁଖ୍ୟମନ୍ତ୍ରୀ ଅନୁଗୁଳ ବନ୍ତଳାରେ ଚାଲିଥିବା ହାତୀ ମଣିଷ ଲଢ଼େଇ ହ୍ରାସ ପାଇଁ ୪.୬୪ କୋଟି ଟଙ୍କା ଅନୁମୋଦନ କରିଥିବା ବେଳେ ଏଥିରେ ସୋଲାର ପାୱାର ଫେନ୍ସ, ହାଇମାଷ୍ଟ ଲାଇଟ୍‌‌ ଓ ବାୟୋ-ଆକ୍ୟୁଷ୍ଟିକ୍‌‌ ଡିଭାଇସ୍‌‌ ଆଦି ଲଗାଇବାକୁ ନିଷ୍ପତ୍ତି ହୋଇଛି। ଏହି ଅଞ୍ଚଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସୋଲାର ଫେନ୍ସିଂ ପାଇଁ ଲକ୍ଷ୍ୟ ରହିଥିବା ବେଳେ ବାୟୋ-ଆକ୍ୟୁଷ୍ଟିକ୍‌‌ ମଧ୍ୟ ଲଗାଇବାକୁ ଯୋଜନା କରାଯାଇଛି। ଏହା ଦ୍ୱାରା ହାତି ଆସିଲେ ସାଇରନ୍‌‌ ସହ ରେଡ୍‌‌ ଲାଇଟ୍‌‌ ଦେଖାଯିବ ଓ ଏଥିପାଇଁ ଲୋକେ ସତର୍କ ହୋଇପାରିବେ ବୋଲି ବ୍ୟବସ୍ଥା କରାଯାଇଛି।

ହାତୀ ଚଳାଚଳ ପ୍ରବଣ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ପିପିପି ମୋଡରେ କରାଯାଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ୯୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ପ୍ରଦାନ କରୁଥିବା ବେଳେ ବଳକା ୧୦ ପ୍ରତିଶତ ଅର୍ଥ ଗ୍ରାମବାସୀମାନେ ଶ୍ରମ ଆକାରରେ ଦେଇଛନ୍ତି। ଓରେଡା ଏମ୍ପାନେଲ ଭେଣ୍ଡରଙ୍କ ଦ୍ୱାରା ସୋଲାର ଫେନ୍ସିଂ ହେଉଛି। ସୋଲାର ପାୱାର ଫେନ୍ସିଂ ଅଞ୍ଚଳରେ ହାତୀ ପଶିବାକୁ ଚେଷ୍ଟା କଲେ ସେମାନଙ୍କୁ କରେଣ୍ଟ ଲାଗିବ, କିନ୍ତୁ ଏହାଦ୍ୱାରା କୌଣସି କ୍ଷତି ହେବନି ବୋଲି ପିସିସିଏଫ୍‌‌ କହିଛନ୍ତି। ବନ୍ତଳାର ୪୧ କମି ସୋଲାର ପାୱାର ଫେନ୍ସିଂ ସହ ଯେଉଁ ସ୍ଥାନ ଅନ୍ଧାରିଆ ରହୁଛି ସେଠାରେ ହାଇମାଷ୍ଟ ଲାଇଟ୍‌‌ ଲଗାଯିବା ପାଇଁ ପଦକ୍ଷେପ ନିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ନିଜେ ପିସିସିଏଫ ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ତୁରନ୍ତ ଏହି କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ପିସିସିଏଫ୍‌‌ ଏସ୍‌‌କେ ପୋପଲି କହିଛନ୍ତି ଯେ, ଧନ-ଜୀବନ ସୁରକ୍ଷା ପାଇଁ ଜଙ୍ଗଲୀ ହାତୀ ବେକରେ ରେଡିଓ କଲାରିଂ ଲଗାଯିବ। ଏଥିଲାଗି ବାଙ୍ଗାଲୋରର ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସର ଏସିଆନ ନେଚର କଞ୍ଜରଭେସନ ଫାଉଣ୍ଡେସନ ସହ ଚୁକ୍ତି ସ୍ୱାକ୍ଷର କରିଛି ବନ ବିଭାଗ। ପ୍ରାରମ୍ଭିକ ଭାବେ ପାଇଲଟ ପ୍ରକଳ୍ପ ଆଧାରରେ ଖୁବଶୀଘ୍ର ୩ଟି ହାତୀ ବେକରେ ରେଡିଓ କଲାର ଲାଗିବ। ଫଳରେ ହାତୀ ଦଳର ଚଳ ପ୍ରଚଳ ନେଇ ରିଅଲ ଟାଇମ ତଥ୍ୟ ହାସଲ ହୋଇପାରିବ। ଯଦି ସେମାନେ ନିଜ କରିଡ଼ରରୁ ବାହାରକୁ ଯାଉଛନ୍ତି, ସେମାନଙ୍କୁ ଟ୍ରାକ କରି ବାଟକୁ ଅଣାଯିବ ଓ ହାତୀଙ୍କ ଗତିବିଧି ନେଇ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇପାରିବ। ପୂର୍ବରୁ ଏହା କର୍ଣ୍ଣାଟକ, ତାମିଲନାଡୁରେ ପ୍ରମାଣିତ ହୋଇସାରିଛି। ଏହା ସଫଳ ହେଲେ ଏହାକୁ ଅନ୍ୟ ହାତୀପଲ କ୍ଷେତ୍ରରେ ପ୍ରୟୋଗ କରାଯିବ ବୋଲି ସେ କହିଛନ୍ତି।

About The Author: The Sakala