ବାରିପଦା: ପୁଣି ଥରେ ମୟୂରଭଞ୍ଜ ଛଉ ନୃତ୍ୟକୁ ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି। ଛଉ ନୃତ୍ୟ ଗୁରୁ ଶ୍ରୀ ପାଗୁଲୁ ଜେନାଙ୍କୁ ୨୦୨୫ ବର୍ଷ ପାଇଁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ମିଳିବା ନେଇ ବୁଧବାର ଘୋଷଣା କରାଯାଇଛି। ନୃତ୍ୟ ସଙ୍ଗୀତ ନାଟକ ଆଦି କ୍ଷେତ୍ରରେ ଏହା ଦେଶର ସର୍ବୋଚ୍ଚ ସମ୍ମାନ।
ବାରିପଦା ସହରର ଯମୁନାଦେଇପୁର ନିବାସୀ ଶ୍ରୀ ଜେନା ପିଲା ବେଳୁ ଛଉ ନୃତ୍ୟ ପ୍ରତି ଆକୃଷ୍ଟ ହୋଇ ବିଗତ ଚାରି ଦଶନ୍ଧି ଧରି ଏହି ନୃତ୍ୟ କରି ଆସୁଛନ୍ତି। ସେ ଦେଶର ବିଭିନ୍ନ ସ୍ଥାନରେ ନୃତ୍ୟ ପ୍ରଦର୍ଶନ କରି ଆସିଥିବା ବେଳେ ଭାରତ ବାହାରେ ୫ ଗୋଟି ଦେଶରେ ମଧ୍ୟ ନୃତ୍ୟ ପ୍ରଦର୍ଶନ କରି ପ୍ରଶଂସା ସାଉଁଟି ପାରିଛନ୍ତି। ସେ ବାରିପଦାସ୍ଥିତ ଦକ୍ଷିଣ ସାହି ଛଉ ନୃତ୍ୟ ମନ୍ଦିର ପକ୍ଷରୁ ନୃତ୍ୟ ପ୍ରଦର୍ଶନ କରି ଆସିଥିଲେ। ଜିଲ୍ଲାର ଅନେକ ଗ୍ରାମାଞ୍ଚଳ ଛଉ ନୃତ୍ୟ ଦଳ ଗୁଡ଼ିକର ଗୁରୁ ଭାବେ ବହୁ ଗୁଡ଼ିଏ ନୂତନ ନୃତ୍ୟର ସଂରଚନା କରି ଆସିଛନ୍ତି।ମୟୂରଭଞ୍ଜ ଛଉନୃତ୍ୟର ସଂରକ୍ଷଣ ସାଙ୍ଗକୁ ଏହାର ହୃତଗୌରବକୁ ପୁନଃ ସ୍ଥାପିତ କରିବା ପାଇଁ ବିଗତ ୨୦୧୬ରେ ଆରମ୍ଭ ହୋଇଥିବା ପ୍ରୋଜେକ୍ଟ ଛାଉଣୀ ସହିତ ସେ ପ୍ରଥମରୁ ହିଁ ସମ୍ପୃକ୍ତ ଅଛନ୍ତି। ଶ୍ରୀ ଜେନା ଏବେ ପ୍ରୋଜେକ୍ଟ ଛାଉଣୀର ପ୍ରମୁଖ ଗୁରୁ ତଥା ସେଣ୍ଟର୍ ହେଡ୍ ଭାବେ ଦାୟୀତ୍ୱ ନିର୍ବାହ କରୁଛନ୍ତି। ଏହା ସାଙ୍ଗକୁ ଜାତୀୟ ଛଉ କେନ୍ଦ୍ରର ଉପଦେଷ୍ଠା ଓ କେନ୍ଦ୍ର ସଂସ୍କୃତି ବିଭାଗର ବିଭିନ୍ନ କମିଟିର ସଦସ୍ୟ ଅଛନ୍ତି।
ଏହି ବିଷୟ ଘୋଷଣା ହେବା ପରେ ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀକୁ ସାଧୁବାଦ ଜଣାଯାଇଛି। ପ୍ରୋଜେକ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶୁଭଶ୍ରୀ ମୁଖାର୍ଜୀ କହିଛନ୍ତି ଯେ ପୂର୍ବରୁ ବର୍ଷ ବର୍ଷ ଧରି ମୟୂରଭଞ୍ଜ ଛଉ ନୃତ୍ୟର କଳାକାର ମାନଙ୍କୁ ସରକାରୀ ସ୍ତରରେ ଅଣଦେଖା କରାଯାଇ ଆସୁଥିଲା। ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ବିଗତ ଏକ ଦଶନ୍ଧି ଧରି ଯୋଗ୍ୟ କଳାକାର ମାନଙ୍କୁ ସରକାରଙ୍କ ପକ୍ଷରୁ ସ୍ୱୀକୃତି ପ୍ରଦାନ କରିବାକୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇ ଆସିଛି। ସେହି କ୍ରମରେ ବିଗତ ୨୦୨୩ ମସିହାରେ ଛଉ ନୃତ୍ୟ ଗୁରୁ ତ୍ରିଲୋଚନ ମହାନ୍ତଙ୍କୁ ଏହି ସମ୍ମାନ ମିଳିଥିବା ବେଳେ ବର୍ତ୍ତମାନ ଶ୍ରୀ ଜେନାଙ୍କୁ ଏହା ମିଳିପାରିଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିପରି ଶ୍ରୀ ଜେନାଙ୍କ ଏହି ସଫଳତା ପରବର୍ତ୍ତୀ ପିଢୀର ଛଉ କଳାକାରଙ୍କ ମନୋବଳ ବୃଦ୍ଧି କରିବ ବୋଲି ପ୍ରୋଜେକ୍ଟର ନିର୍ଦ୍ଦେଶକ ବିଭୁଦତ୍ତ ଦାସ ଆଶା ବ୍ୟକ୍ତ କରିଛନ୍ତି।