ବାରିପଦା: ଟାେର୍ଗଟ୍ରେ ଥିଲେ ଚାକିରି ଆଶାୟୀ ଗରିବ, ମଧ୍ୟବିତ୍ତ ଘରର ଯୁବତୀ। କଥାବାର୍ତ୍ତାରୁ ସଂପର୍କ ଆରମ୍ଭ କରି ସେମାନଙ୍କୁ ଫସାଇବା ପରେ ଚାକିରି ଆଳରେ ବାରିପଦାକୁ ନେଇଆସୁଥିଲେ। କିନ୍ତୁ ଏଠାକୁ ଆଣିବା ପରେ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରୁଥିଲେ। ସହର ଭିତରେ ଘର ଭଡ଼ା ନେଇ ବେଶ୍ ସନ୍ତର୍ପଣରେ ଚଳାଇଥିଲେ ଦେହବେପାର। ଭଞ୍ଜପୁର ଥାନା ପୁଲିସ୍ ଆଜି ବାରିପଦା ସହରରୁ ଏଭଳି ଏକ ସେକ୍ସ ରାକେଟ୍ ଠାବ କରିବା ସହ ୨ ଯୁବତୀଙ୍କୁ ଉଦ୍ଧାର କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳାଜଣଙ୍କ ହେଲେ, ଭୁଗୁଡାକଟା ଅଞ୍ଚଳର ମାନି ଦଳେଇ। ତାଙ୍କ ସ୍ବାମୀ ଫେରାର୍ ହୋଇଯାଇଛି। ଏହି ଦମ୍ପତି ପୂରା ରାକେଟ୍ର ମାଷ୍ଟରମାଇଣ୍ଡ ବୋଲି ଜଣାଯାଇଛି।
ସୂଚନା ଅନୁଯାୟୀ, ଭୁଗୁଡାକଟା ଅଞ୍ଚଳରେ ଏକ ଭଡ଼ା ଘରେ ମାନି ଓ ତାଙ୍କ ସ୍ୱାମୀ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟରେ ଲଗାଉଥିଲେ। ପ୍ରଥମେ ଚାକିରି ପ୍ରଲୋଭନ ଦେଇ ସମ୍ପର୍କ ସୃଷ୍ଟି କରି ସ୍ୱାମୀ-ସ୍ତ୍ରୀ ଯୁବତୀଙ୍କୁ ବିଭିନ୍ନ ସ୍ଥାନରୁ ବାରିପଦାକୁ ଆଣୁଥିଲେ। ପରେ ଉକ୍ତ ଯୁବତୀଙ୍କୁ ଦେହ ବ୍ୟବସାୟ ଲଗାଉଥିଲେ। ଏଭଳି କିଛି ଦିନ ଚାଲିବା ପରେ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା ଏବଂ ଭଞ୍ଜପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଭଞ୍ଜପୁର ଥାନା ପୁଲିସ ଚଢ଼ଉ କରି ମହିଳାଙ୍କୁ ଗିରଫ କରିଛି। ଉଦ୍ଧାର ୨ ଯୁବତୀଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗର ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ବାଲେଶ୍ୱରରେ ବୋଲି ଜଣାପଡିଛି। ସେମାନଙ୍କ ପରିବାର ଲୋକେ ନେବାକୁ ନ ଆସିବାରୁ ଦୁହିଁଙ୍କୁ ୱାନ ଷ୍ଟପ ସେଣ୍ଟରରେ ରଖିବା ବ୍ୟବସ୍ଥା କରିଛି ପୁଲିସ। ପୁଲିସ ସେକ୍ସ ରାକେଟ୍ ଚାଲିଥିବା ଘରୁ ୨୧ ହଜାର ୪୯୦ ଟଙ୍କା, ୩ଟି ମୋବାଇଲ, କଣ୍ଡୋମ, ଗୋଟିଏ ବାଇକ ଓ ଗୋଟିଏ ସ୍କୁଟି ଜବତ କରିଛି।
ସୂଚନାଯୋଗ୍ୟ ଯେ, ବର୍ଷକ ପୂର୍ବରୁ ମଧ୍ୟ ବାରିପଦା ସହରରେ ବାଲାଂଦେଶୀ ନାବାଳିକାଙ୍କୁ ଆଣି ଦେହବ୍ୟବସାୟରେ ଲଗାଇବା ପରେ କଟକ ଓ ଭୁବନେଶ୍ୱରକୁ ଚାଲାଣ ହେଉଥିବା ଘଟଣା ସାମ୍ନାକୁ ଆସିଥିଲା। ତେଣୁ ବାରମ୍ୱାର ଏପରି ଅଭିଯୋଗ ହୋଇଆସୁଥିବାରୁ ସହରରେ ସାଦା ପୋଷାକଧାରୀ ପୁଲିସକୁ ଅଧିକ କ୍ରିୟାଶୀଳ କରାଇବାକୁ ସାଧାରଣରେ ଦାବି ହେଉଛି।