ବାରିପଦା: ଭିଜିଲାନ୍ସ ପଞ୍ଝାରେ ବେତନଟୀ ଆର ଆଣ୍ଡ ବି ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଆର ଆଣ୍ଡ ବି (ରାସ୍ତା ଓ ଗୃହ ନିର୍ମାଣ) ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କ ବିଭିନ୍ନ ଠିକଣାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି। ଆୟ ଉତ୍ସଠାରୁ ବହୁ ପରିମାଣର ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗ ଆଧାରରେ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୂଚନା ଅନୁଯାୟୀ, ଭିଜିଲାନ୍ସର ୫ ଜଣ ଡିଏସ୍ପି ଏବଂ ୮ ଜଣ ଇନ୍ସପେକ୍ଟରଙ୍କ ସମେତ ବହୁ ସଂଖ୍ୟକ କର୍ମଚାରୀ ଏହି ଅପରେସନରେ ସାମିଲ ହୋଇଛନ୍ତି। ମୟୂରଭଞ୍ଜ, ବାଲେଶ୍ୱର ଏବଂ ଖୋର୍ଦ୍ଧା ଜିଲ୍ଲାର ମୋଟ ୧୦ଟି ସ୍ଥାନରେ ଏହି ଖୋଳତାଡ଼ ଚାଲିଛି।
ଯେଉଁ ୧୦ଟି ସ୍ଥାନରେ ଚାଲିଛି ତଲାସି:
ବାଲେଶ୍ୱର ଅଙ୍ଗାରଗାଡ଼ିଆସ୍ଥିତ ୩ ମହଲା ବିଶିଷ୍ଟ ଆବାସିକ ଭବନ
ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାରେ ଥିବା ୨ ମହଲା କୋଠା
ମୟୂରଭଞ୍ଜ ଜିଲ୍ଲା ବେତନଟୀସ୍ଥିତ କାର୍ଯ୍ୟାଳୟ
ବେତନଟୀରେ ଥିବା ତାଙ୍କ ସରକାରୀ ବାସଭବନ
ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅନ୍ତର୍ଗତ ରାୟନ-ରାମଚନ୍ଦ୍ରପୁରସ୍ଥିତ ପୈତୃକ ଘର
ବାଲେଶ୍ୱର ବସନ୍ତପୁରସ୍ଥିତ ଫାର୍ମ ହାଉସ୍
ବାଲେଶ୍ୱର ବାମପଦାସ୍ଥିତ ଅନ୍ୟ ଏକ ଘର
ବାଲେଶ୍ୱର ଅଙ୍ଗାରଗାଡ଼ିଆସ୍ଥିତ ଜଣେ ଘନିଷ୍ଠ ସହଯୋଗୀଙ୍କ ବାସଭବନ
ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗାସ୍ଥିତ ଅନ୍ୟ ଜଣେ ସହଯୋଗୀଙ୍କ ଘର
ବାଲେଶ୍ୱର ବାମପଦାରେ ଥିବା ଆଉ ଜଣେ ସହଯୋଗୀଙ୍କ ବାସଭବନ
ବର୍ତ୍ତମାନ ସୁଦ୍ଧା ଖୋଳତାଡ଼ ଜାରି ରହିଥିବା ବେଳେ ତାଙ୍କର ନଗଦ ଟଙ୍କା, ସୁନା ଗହଣା, ବ୍ୟାଙ୍କ ଜମା ଓ ଅନ୍ୟାନ୍ୟ ସ୍ଥାବର-ଅସ୍ଥାବର ସମ୍ପତ୍ତିର ଆକଳନ କରାଯାଉଛି। ଚଢ଼ାଉ ଶେଷ ହେବା ପରେ ମୋଟ ସମ୍ପତ୍ତିର ପରିମାଣ ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ବିଭାଗ ସୂତ୍ରରୁ ପ୍ରକାଶ ପାଇଛି।