ବାରିପଦା: କାକାବନ୍ଧ ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଶତାଧିକ ଅନ୍ତେବାସୀ ଡାଇରିଆରେ ଅସୁସ୍ଥ ହେବା ଘଟଣା । ଆଜି ଚିକିତ୍ସାଧୀନ ଅବସ୍ଥାରେ ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ନଳଗଜା ଅଞ୍ଚଳର ୫ମ ଶ୍ରେଣୀ ଛାତ୍ରୀ ରୁପାଲି ବେଶ୍ରାଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି ।
ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଆଶ୍ରମ ବିଦ୍ୟାଳୟର ହଷ୍ଟେଲରେ ଖାଦ୍ୟ ଖାଇବା ପରେ ଶତାଧିକ ଅନ୍ତେବାସୀ ଝାଡ଼ାବାନ୍ତି ଓ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ପରେ ସମସ୍ତଙ୍କୁ ରାସଗୋବିନ୍ଦପୁର ସିଏଚସିରେ ଭର୍ତ୍ତି ହୋଇଥିଲେ। ମାତ୍ର ଗତକାଲି ଗୁରୁତର ହେବାରୁ ୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାରୁ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ଥିବା ରୁପାଲିଙ୍କୁ ଗତକାଲି ଠାରୁ ICUରେ ରଖାଯାଇଥିଲା । ହେଲେ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ଅନ୍ୟପଟେ ଗୁରୁତର ଛାତ୍ର ଛାତ୍ରୀଙ୍କୁ ମେଡିକାଲରେରେ ଭେଟି ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା। ସେପଟେ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଵାରିପଦା ପିଆରଏମ୍ ହସ୍ପିଟାଲରେ ଚାପା ଉତ୍ତେଜନା ଲାଗିରହିଛି। ଚିକିତ୍ସାରେ ଅବହେଳା ପାଇଁ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ମୃତକଙ୍କ ପରିବାରଙ୍କୁ କ୍ଷତି ପୂରଣ ଦାବୀରେ ଆନ୍ଦୋଳନ ଚାଲିଛି। ହସ୍ପିଟାଲ ପରିସରରେ ବିଭିନ୍ନ ଦଳର ନେତା ଓ କର୍ମୀ ଉପସ୍ଥିତ ରହି ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।