ନିଖୋଜର ୨୪ ଘଣ୍ଟା ପରେ ଶିଶୁକନ୍ୟା ଉଦ୍ଧାର; ସନ୍ଦିଗ୍ଧ ଅଟକ, ପୁଲିସର ତଦନ୍ତ ଜାରି

ବାରିପଦା: ଘର ଆଗରୁ ନିଖୋଜ ହୋଇଯାଇଥିବା ସାଢ଼େ ଚାରି ବର୍ଷର ଶିଶୁକନ୍ୟା ଦିନକ ପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛି। ଶିଶୁଟିକୁ ଛାଡ଼ି ଫେରାର ହେବାକୁ ଉଦ୍ୟମ କରୁଥିବା ଜଣେ ଅଜଣା ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୁଲିସ ଜିମା ଦେଇଛନ୍ତି।

ପ୍ରାପ୍ତ ସୂଚନା ମୁତାବକ, ବାରିପଦା ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ଅନ୍ତର୍ଗତ ଯମୁନାଦେଇପୁରରେ ଭଡ଼ାରେ ରହୁଥିବା ବିଏସଏଫ ଯବାନ ସୁନିଲ ସୋରେନ ଓ ଚାନ୍ଦମଣୀ ସୋରେନଙ୍କ ଝିଅ ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଟ୍ୟୁସନରୁ ଫେରି ଘର ସାମ୍ନା ବାଲିଗଦା ନିକଟରେ ଖେଳୁଥିଲା। ଏହି ସମୟରେ ମାଆ ଘର ଭିତରକୁ ରୋଷେଇ କରିବାକୁ ଯାଇଥିବା ବେଳେ ଶିଶୁଟି ଅଚାନକ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ମଧ୍ୟ ସନ୍ଧାନ ନମିଳିବାରୁ ପରିବାର ଲୋକେ ଭଞ୍ଜପୁର ଥାନାରେ ଲିଖିତ ଅଭିଯୋଗ ଦାୟର କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଚଳାଇଥିଲା।

ସୋମବାର ସକାଳେ ଜଣେ ଅଜଣା ଯୁବକ ଶିଶୁଟିକୁ ଘର ପଛପଟେ ଛାଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ସନ୍ଦେହରେ କାବୁ କରିଥିଲେ। ତୁରନ୍ତ ପରିବାର ଓ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ତଦନ୍ତ ଭୟରେ ଯୁବକ ଜଣକ ଶିଶୁଟିକୁ ଫେରାଇ ଦେଇଥିବା ଅନୁମାନ କରାଯାଉଛି। ଉଦ୍ଧାର ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ତାଙ୍କ ପରିଚୟ ଓ ଅପହରଣ ଉଦ୍ଦେଶ୍ୟ ସମ୍ପର୍କରେ ତଦନ୍ତ ଜାରି ରହିଛି। ଝିଅ ସୁରକ୍ଷିତ ଫେରିବା ପରେ ପରିବାର ପକ୍ଷରୁ ପୁଲିସ ଓ ଗଣମାଧ୍ୟମକୁ କୃତଜ୍ଞତା ଜଣାଯାଇଛି।

About The Author: Madhusudan Das