ପୋଲିସ ଏସ୍‌ଆଇ ପରୀକ୍ଷା ସ୍କାମ: ଆଜିଠୁ ୪ଦିନିଆ ରିମାଣ୍ଡରେ ମାଷ୍ଟରମାଇଣ୍ଡ ଶଙ୍କର ସହ ଦୁଇ ସହଯୋଗୀ

ଭୁବନେଶ୍ୱର: ପୋଲିସ ଏସ୍‌ଆଇ ପରୀକ୍ଷା ସ୍କାମ । ଆଜିଠୁ ମାଷ୍ଟରମାଇଣ୍ଡ ଶଙ୍କର ଏବଂ ତା'ର ଦୁଇ ସହଯୋଗୀ ସୁରେଶ ଓ ସାଗରକୁ ୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ ସିବିଆଇ । ଏନେଇ ସ୍ବତନ୍ତ୍ର ସିବିଆଇ କୋର୍ଟ ଅନୁମତି ମିଳିଛି । ଝାରପଡ଼ା କାରାଗାରରୁ ଏହି ୩ ଅଭିଯୁକ୍ତଙ୍କୁ ନେଇ ପଚରାଉଚରା କରିବ ତଦନ୍ତକାରୀ ସଂସ୍ଥା‌। ଏହି ୩ ଅଭିଯୁକ୍ତ ଏସ୍‌ଆଇ ଅନିୟମିତତାର ମୁଖ୍ୟ କାର୍ପଟଦାର ବୋଲି ଦର୍ଶାଇଛି ସିବିଆଇ । ବିଶେଷ କରି ଶଙ୍କର ଠାରୁ ହଜାରେ କୋଟି ଟଙ୍କା ଡିଲ୍‌, ପ୍ରଚ୍ଛଦପଟରେ ଥିବା ବ୍ୟକ୍ତିଙ୍କ ଭୂମିକା କଣ ଥିଲା ତାହା ଜାଣିବା ପାଇଁ CBI ଯୋଜନା କରିଛି । 

ସେହିଭଳି  ଅନ୍ୟ ଦଲାଲଙ୍କ ଠାରୁ ସଂଗ୍ରହ କରିଥିବା ତଥ୍ୟକୁ ନେଇ ଶଙ୍କର ଲାଗି ଅଡୁଆ ବଢ଼ିବା ସହ ସେ ପେସାଦାର ଅପରାଧୀ ବୋଲି ସିବିଆଇ ଅଦାଲତରେ ଦର୍ଶାଇଛି। ଏହି ଗୋଟିଏ ପରୀକ୍ଷା ନୁହେଁ, ପୂର୍ବରୁ ହୋଇଥିବା ଏକାଧିକ ପରୀକ୍ଷାରେ ଶଙ୍କରର ଭୂମିକା ରହିଥିବା ଜଣାପଡ଼ିଛି। ଶଙ୍କରକୁ ପଚରାଉଚରା ପରେ ଅନେକ ଚିତ୍ର ଓ ଚରିତ୍ର ସାମ୍ନାକୁ ଆସିବା ପରେ ବଡ଼ ବଡ଼ିଆଙ୍କ ପାଳି ପଡ଼ିବ। ଶଙ୍କର ଲିଙ୍କରେ ଥିବା କିମ୍ବା ସନ୍ଦେହ ଘେରରେ ଥିବା ବ୍ୟକ୍ତିଙ୍କୁ ହାଜର ହେବା ଲାଗି ସିବିଆଇ ସମନ କରିଛି। ଏଥିସହ ସୁରେଶଠାରୁ ମଧ୍ୟ ଅନେକ ପ୍ରମାଣ ଯୋଗାଡ଼ କରିବ CBI । ପ୍ରଶ୍ନପତ୍ର ଛାପା ଓ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବା ବା ଟ୍ରାନ୍ସପୋର୍ଟ ଦାୟିତ୍ବ ସୁରେଶ ସଂସ୍ଥା ସିଲିକନ ଟେକ୍‌ ଲାବ୍‌ ନେଇଥିଲା। ଏହି ବଡ଼ଧରଣ ଅନିୟମିତତା କରି ଟଙ୍କା ଆତ୍ମସାତ କରିବାକୁ ପରସ୍ପର ଯୋଜନା ରଚିଥିଲେ। ଶଙ୍କରର ଦଲାଲ ନେଟୱର୍କ ଥିବାରୁ  ସେହି ଆଧାର କରି ମୋଟା ଅଙ୍କର ଟଙ୍କା ହାତେଇବା ଷଡ଼ଯନ୍ତ୍ର ହୋଇଥିଲା। ଶଙ୍କରକୁ ନିଜେ ଘରେ ଆଶ୍ରୟ ଦେବା ସହ ନେପାଳ ସୀମାନ୍ତ ଉତ୍ତରାଖଣ୍ଡକୁ ଖସାଇବାରେ ବଡ଼ ଭୂମିକା ମଧ୍ୟ ନେଇଥିଲା ସୁରେଶ।

About The Author: Madhusudan Das