ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ପାଣିପାଗ ସମ୍ପର୍କରେ ଏକ ବଡ଼ ସୂଚନା ଦିଆଯାଇଛି। ଆସନ୍ତା ଅକ୍ଟୋବର ୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଆଇଏମଡିର ସୂଚନା ଅନୁଯାୟୀ, ବର୍ତ୍ତମାନ ଥାଇଲାଣ୍ଡ ଉପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହି ସିଷ୍ଟମ୍ ସମୁଦ୍ର ପତନଠାରୁ ମୋଟ ୭.୬ କିଲୋମିଟର ଉପରକୁ ବ୍ୟାପିଥିବା ଜଣାପଡ଼ିଛି। ଏହା କ୍ରମଶଃ ଅଗ୍ରସର ହୋଇ ଅକ୍ଟୋବର ୧୧ ସୁଦ୍ଧା ଆଣ୍ଡାମାନ ସାଗରରେ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଅକ୍ଟୋବର ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା କରାଯାଉଛି।
ଅନ୍ୟପକ୍ଷରେ, ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ବା ବିଦାୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ରାଜ୍ୟର ବରଗଡ଼, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାର କିଛି ଅଞ୍ଚଳରୁ ମୌସୁମୀ ବିଦାୟ ନେବା ଆରମ୍ଭ କରିଛି। ପାଣିପାଗ ବିଶେଷଜ୍ଞଙ୍କ ମତରେ ଆଗାମୀ ୩ ରୁ ୪ ଦିନ ମଧ୍ୟରେ ପୂର୍ବ ଭାରତର ଆହୁରି ଅନେକ ଅଞ୍ଚଳରୁ ମୌସୁମୀ ସମ୍ପୂର୍ଣ୍ଣ ରୂପେ ବିଦାୟ ନେବ।
ଆଇଏମଡି ପକ୍ଷରୁ ଆହୁରି ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଆସନ୍ତା ଅକ୍ଟୋବର ୧୫ ରୁ ୨୧ ତାରିଖ ମଧ୍ୟରେ ସମଗ୍ର ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଭାବେ ବିଦାୟ ନେବାର ପ୍ରବଳ ସମ୍ଭାବନା ରହିଛି।