ବଡ଼ ଚାଷୀଙ୍କୁ ସରକାରୀ ଝଟ୍‌କା: ମିଳିବନି ୮୦୦ ଟଙ୍କା ଇନ୍‌ପୁଟ୍‌ ସବ୍‌ସିଡି, କ୍ଷତିଗ୍ରସ୍ତ ହେବେ ୭ ଏକରରୁ ଅଧିକ ଚାଷ କରିଥିବା ଚାଷୀ

ଭୁବନେଶ୍ୱର: ରାଜ୍ୟରେ ଧାନ କିଣାକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ମଧ୍ୟରେ ଚାଷୀ ଦହଗଞ୍ଜ ହେଉଥିବା ବେଳେ ସେମାନଙ୍କ କଟା ଘା’ରେ ଚୂନ ମାରିଛନ୍ତି ରାଜ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବଡ଼ ଚାଷୀ ଅର୍ଥାତ୍‌ ୧୫୦ କ୍ୱିଣ୍ଟାଲଠାରୁ ଅଧିକ ଧାନ ବିକ୍ରି କରୁଥିବା ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ମିଳୁଥିବା ୮୦୦ ଟଙ୍କା ଇନ୍‌ପୁଟ୍‌ ସବସିଡ଼ି ମିଳିବ ନାହିଁ ବୋଲି ଯୋଗାଣମନ୍ତ୍ରୀଙ୍କ ଘୋଷଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ନିଜ ଘୋଷଣା ଅନୁଯାୟୀ ଚାଷୀଙ୍କଠାରୁ ସବୁ ଧାନ ଉଠାଇବେ। ମାତ୍ର ୧୫୦ କୁଇଣ୍ଟାଲ ଧାନ ପରେ ଆଉ ୮୦୦ ଟଙ୍କାର ଇନ୍‌ପୁଟ ସହାୟତା ଦିଆଯିବ ନାହିଁ। ୧୫୦ କୁଇଣ୍ଟାଲ ପର୍ଯ୍ୟନ୍ତ ଚାଷୀ ୩୧୦୦ ଟଙ୍କା ପାଇବେ। ଏହା ପରେ ଆଉ ଯେତେ ଧାନ ଦେବେ, ସରକାର ତାହାକୁ ୨୩୬୯ ଟଙ୍କାରେ କିଣିବେ। ଅର୍ଥାତ୍ ହାରାହାରି ୭ ଏକରରୁ ଅଧିକ ଜମିରେ ଧାନ ଚାଷ କରିଥିବା ଚାଷୀ ସିଧାସଳଖ କ୍ଷତିଗ୍ରସ୍ତ ହେବେ ।

ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ ସାରା ରାଜ୍ୟରେ ଚାଷୀଙ୍କ ମଧ୍ୟରେ  ଅସନ୍ତୋଷ ତୀବ୍ର ହୋଇଛି। ରାଜ୍ୟ ସରକାର ଚାଷୀଙ୍କୁ ଇନ୍‌ପୁଟ ସହାୟତା ଘୋଷଣା କରିବା ପରେ ଅନେକ ପ୍ରଶଂସା ନେଇଥିଲେ; ହେଲେ ପ୍ରଥମ ବର୍ଷରୁ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ସହ କଟ୍‌ନୀଛଟ୍‌ନୀ ପରିମାଣ ବଢ଼ିଗଲା। କ୍ୱିଣ୍ଟାଲ  ପିଛା ୧୨-୧୫ କିଲୋ ଧାନ କଟ୍‌ନୀଛଟ୍‌ନୀ କରିବା ପରେ ସରକାରଙ୍କ ଉପରେ ଚାଷୀଙ୍କ ଅସନ୍ତୋଷ ବଢ଼ିଥିଲା। ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ଧାନ କିଣା ସ୍ୱାଭାବିକ ହୋଇପାରୁ ନାହିଁ। ପଶ୍ଚିମ ଓଡ଼ିଶାରେ ୨ ମାସ ହେବ ସରକାରୀ ଭାବେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ସବୁ ଚାଷୀଙ୍କୁ ଟୋକନ ମଧ୍ୟ ମିଳିପାରି ନାହିଁ। ଏହାକୁ ନେଇ ଉପକୂଳରୁ-ପଶ୍ଟିମ ଓ ଦକ୍ଷିଣ ଓଡ଼ିଶା ସବୁଠି ଚାଷୀ ପ୍ରତିକ୍ରିୟାଶୀଳ ହେଉଛନ୍ତି। ଏହାକୁ ପ୍ରଶମିତ କରିବା ବଦଳରେ ଚାଷୀ ନୌଟଙ୍କି କରୁଛନ୍ତି ଓ ଦଲାଲଗିରି କରୁଥିବା ଉପମୁଖ୍ୟମନ୍ତ୍ରୀ ଆକ୍ଷେପ କରିଛନ୍ତି। ଏହି ସମୟରେ ଯୋଗାଣ ମନ୍ତ୍ରୀ ୧୫୦ କ୍ୱିଣ୍ଟାଲରୁ ଅଧିକ ଧାନ ବିକ୍ରି ଉପରେ ଚାଷୀଙ୍କୁ ଇନ୍‌ପୁଟ ସବସିଡ଼ି ଦିଆଯିବ ନାହିଁ ବୋଲି ଘୋଷଣା ଚାଷୀଙ୍କ କ୍ରୋଧକୁ ବିସ୍ଫୋରିତ କରିଛି। 

ବର୍ତ୍ତମାନ ସରକାରୀ ନିୟମ ଅନୁଯାୟୀ ଅଣଜଳସେଚିତ ଜମି ମାଲିକଙ୍କଠାରୁ ଏକର ପିଛା ୧୩ କ୍ୱିଣ୍ଟାଲ ଧାନ ନିଆଯାଉଥିବା ବେଳେ ଜଳସେଚିତ ଜମି ମାଲିକଙ୍କ ଠାରୁ ୧୯ କୁଇଣ୍ଟାଲ ଧାନ ନିଆଯାଉଛି। ବାସ୍ତବରେ ରାଜ୍ୟରେ ବର୍ତ୍ତମାନ ଏକର ପିଛା ଉତ୍ପାଦନର ପରିମାଣ ୨୫-୩୦ କୁଇଣ୍ଟାଲ ପର୍ଯ୍ୟନ୍ତ ରହୁଛି।  ପୂର୍ବରୁ ଚାଷୀମାନେ ଉତ୍ପାଦିତ ଧାନ ରଖିବାକୁ ବାଧ୍ୟ ହେଉଥିଲେ। ଏହାସହିତ ବଳକା ଧାନକୁ ଶାଗମାଛ ଦରରେ ବିକ୍ରି କରୁଥିଲେ। ମାତ୍ର ଏଥିରେ ପୁଣି କଟକଣା ଲଗାଯାଇଛି।

ଏ ସମ୍ପର୍କରେ କଂଗ୍ରେସ ସମବାୟ ବିଭାଗର ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ କହିଛନ୍ତି, ସରକାର ଜାଣିଶୁଣି ଧାନ କିଣୁନାହାନ୍ତି। ଏହାଫଳରେ ଚାଷୀମାନେ ବାଧ୍ୟ ହୋଇ ଅଭାବୀ ବିକ୍ରୀ ଜାଲରେ ପଡ଼ିବେ। ମିଲର ମାନଙ୍କ ସହିତ ସଲାସୁତୁରା କରି କୋଟି କୋଟି ଟଙ୍କା ଚାନ୍ଦା ନେଇ ରାଜ୍ୟର ଚାଷୀମାନଙ୍କୁ ଏ ସରକାର ଜାଣିଶୁଣି ହଇରାଣ କରୁଛି। ଏ ବର୍ଷ ୭୫ କୁଇଣ୍ଟାଲରୁ ଅଧିକ ଧାନ କୌଣସି ଚାଷୀଙ୍କ ପାଖରୁ କିଣିବେ ନାହିଁ ବୋଲି ଗୁପ୍ତ ନିଷ୍ପତ୍ତି ହୋଇଛି।  ଏମଏସପି ଧାନ କୁଇଣ୍ଟାଲ ପିଛା ୬୯ ଟଙ୍କା ବଢ଼ିଥିଲେ ମଧ୍ୟ ତାହା ଦିଆଯାଉ ନାହିଁ। କଟନିଛଟନି ଏକ ନିୟମରେ ପରିଣତ ହୋଇସାରିଛି। ତେଣୁ ସରକାର ପୂର୍ବରୁ ଯେଉଁ ଘୋଷଣା କରିଥିଲେ, ତାହାକୁ ପାଳନ କରନ୍ତୁ ବୋଲି ସେ କହିଛନ୍ତି।

ଯଦି ଜଣେ ଚାଷୀ ୧୦୦ କୁଇଣ୍ଟାଲ ଧାନ ଉତ୍ପାଦନ ହେଲେ ପରିବାର ପାଇଁ ୪୦ ପ୍ରତିଶତ ଧାନ ରହିଲେ, ୬୦ କୁଇଣ୍ଟାଲ ଧାନ ବଳକା ରହୁଛି। ଏହି ହାରରେ ୬୦୦ କୁଇଣ୍ଟାଲ ଧାନ ଉତ୍ପାଦନ କରୁଥିବା ଚାଷୀ ୪୦ ପ୍ରତିଶତ ଅର୍ଥାତ୍‌ ୨୪୦ କୁଇଣ୍ଟାଲ ଧାନ ନିଜ ପାଇଁ ରଖି ଅବଶିଷ୍ଟ  ୩୬୦ କୁଇଣ୍ଟାଲ ଧାନ ବିକ୍ରି କରୁଥିଲେ। ମାତ୍ର ସରକାର ୧୫୦ କୁଇଣ୍ଟାଲ ଧାନର ଇନ୍‌ପୁଟ ସବସିଡି ଦେଲେ ବାକି ଧାନ ବିକ୍ରିବେଳେ ଚାଷୀ କ୍ଷତି ସହିବା ନିଶ୍ଚିତ ହୋଇଛି। ନିର୍ବାଚନ ସମୟରେ ରାଜ୍ୟ ସରକାର ସମସ୍ତ ଧାନ କିଣିବେ ବୋଲି କହିଥିଲେ। ମାତ୍ର ଏବେ ଏହି ନିଷ୍ପତ୍ତିରୁ ଓହରି ଯାଇ ଚାଷୀଙ୍କୁ ପ୍ରତାରଣା କରାଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। 

ଏହି ପ୍ରସଙ୍ଗରେ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି, ପୂର୍ବ ଥର ଚାଷୀ ଯେଉଁ ପରିମାଣର ଧାନ ବିକିବେ ବୋଲି ଟୋକନ ପାଇଥିଲେ, ତାଠାରୁ ଏଥରେ ଯଥେଷ୍ଟ କମିଛି। ଏହା ଏକ ସରକାରୀ ଷଡ଼ଯନ୍ତ୍ର। ବିଜେପି ସରକାରଙ୍କ ଚାଷୀ ବିରୋଧୀ ମାନସିକତା ବିଭିନ୍ନ ସମୟରେ ସେମାନଙ୍କ ବକ୍ତବ୍ୟରେ ବାହାରି ପଡ଼ୁଛି। ସରକାର ଚାଷୀଙ୍କଠାରୁ ସବୁ ଧାନ ନ ଉଠାଇବା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି ଶ୍ରୀ ନନ୍ଦ କହିଛନ୍ତି।

About The Author: Madhusudan Das