କୋଟିଆବାସୀଙ୍କ ଆର୍ଥିକ ଓ ସାମାଜିକ ବିକାଶ ଦିଗରେ ବହୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପମାନ ନେଇଛନ୍ତି ଓଡ଼ିଶା ସରକାର

କୋରାପୁଟ(ସୁବୋଧ ଚେଟ୍ଟୀ ଓ ପଟାଙ୍ଗୀରୁ ଶ୍ରୀକାନ୍ତ ଚୌଧୁରୀ): ଓଡ଼ିଆଙ୍କ ଉଦାରତାର ସୁଯୋଗ ନେଇ ସୀମାନ୍ତରେ ନିଜ କାୟାବିସ୍ତାର କରିବାରେ ଉଦ୍ୟମ ଜାରି ରଖିଥିଲା ଆନ୍ଧ୍ରପ୍ରଦେଶ। ଏହା ମଧ୍ୟରେ କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ଅଞ୍ଚଳକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବାଦବିବାଦ ପୁଣି ମୁଣ୍ଡ ଟେକିଥିଲା। ଏଭଳି ପରିସ୍ଥିତିରେ ଓଡ଼ିଶା ସରକାର କୋଟିଆବାସୀଙ୍କ ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା କରିବା ସହ ସେମାନଙ୍କ ଆର୍ଥିକ ଓ ସାମାଜିକ ବିକାଶ ଦିଗରେ ବହୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପମାନ ନେଇଛନ୍ତି। ଯେଉଁଥିପାଇଁ […]

କୋରାପୁଟ(ସୁବୋଧ ଚେଟ୍ଟୀ ଓ ପଟାଙ୍ଗୀରୁ ଶ୍ରୀକାନ୍ତ ଚୌଧୁରୀ): ଓଡ଼ିଆଙ୍କ ଉଦାରତାର ସୁଯୋଗ ନେଇ ସୀମାନ୍ତରେ ନିଜ କାୟାବିସ୍ତାର କରିବାରେ ଉଦ୍ୟମ ଜାରି ରଖିଥିଲା ଆନ୍ଧ୍ରପ୍ରଦେଶ। ଏହା ମଧ୍ୟରେ କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ଅଞ୍ଚଳକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବାଦବିବାଦ ପୁଣି ମୁଣ୍ଡ ଟେକିଥିଲା। ଏଭଳି ପରିସ୍ଥିତିରେ ଓଡ଼ିଶା ସରକାର କୋଟିଆବାସୀଙ୍କ ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା କରିବା ସହ ସେମାନଙ୍କ ଆର୍ଥିକ ଓ ସାମାଜିକ ବିକାଶ ଦିଗରେ ବହୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପମାନ ନେଇଛନ୍ତି। ଯେଉଁଥିପାଇଁ କୋଟିଆ ଆଜି ବିକାଶର ପାଦଦେଶରେ ପହଞ୍ଚିଛି।

ବିବାଦର ପୃଷ୍ଠଭୂମି
ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ପୂର୍ବରୁ ଜୟପୁର ରାଜାଙ୍କର ଏକ ଅଂଶ ରହିଥିଲା କୋଟିଆ ପଞ୍ଚାୟତ। ପରବର୍ତ୍ତୀ ସମୟରେ ଓଡ଼ିଶାକୁ ଭାଷାଭିତ୍ତିକ ସ୍ୱତନ୍ତ୍ର ରାଜ୍ୟ ଗଠନ ପାଇଁ ତତ୍କାଳୀନ ଭାରତ ସରକାର ୧୯୩୬ ମାର୍ଚ୍ଚ ୧୯ରେ ଏକ ଅଧ୍ୟାଦେଶ (କନ୍‌ଷ୍ଟିଟ୍ୟୁଚନ ଅଫ୍‌ ଓରିଶା ଅଣ୍ଡର ୧୯୩୬,ନଂ-ଏଫ-୨୦/୩୫ ଜି(ବି) ଜାରି କରିଥିବାବେଳେ କୋଟିଆ ପଞ୍ଚାୟତ ସମେତ ସମଗ୍ର ପଟ୍ଟାଙ୍ଗି ବ୍ଲକକୁ ଓଡ଼ିଶାରେ ସାମିଲ କରିଥିଲେ। ତଦନୁଯାୟୀ, ୧୯୪୨ରେ କୋଟିଆର ୨୮ଟି ରାଜସ୍ୱ ଗ୍ରାମ ମଧ୍ୟରୁ ୭ଟି ରାଜସ୍ୱ ଗ୍ରାମ ଯଥା-ତୁରିଆ, ବରାବନ୍ଧ, ତଳକାଣ୍ଟି, ଗୁମେଲପଦର, ମାତାଲାମ୍ବା, ସୁଲିଆମାରି ଏବଂ କାଟ୍ରାଗୁଡ଼ାକୁ ପଟ୍ଟାଙ୍ଗି ତହସିଲ କୋଟିଆ ପଞ୍ଚାୟତର ରାଜସ୍ୱ ଗ୍ରାମ ଭାବେ ରେକର୍ଡ କରାଯିବା ସହ ଖଜଣା ଆଦାୟ କରାଗଲା। ତେବେ ମିଳିତ ସର୍ଭେ ସମୟରେ ଭୁଲବଶତଃ କୋଟିଆ ପଞ୍ଚାୟତର ବାକି ୨୧ଟି ଗ୍ରାମକୁ ଛାଡ଼ିଦିଆ ଯାଇଥିଲା। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୧୯୫୫ରେ ଆନ୍ଧ୍ରପ୍ରଦେଶ ଗଠନ ହେବା ପରେ ମଧ୍ୟ ଉକ୍ତ ୨୧ଟି ଗ୍ରାମକୁ ସର୍ଭେ କରାଯାଇ ନ ଥିଲା। ସେତେବେଳେ ଓଡ଼ିଶା କିମ୍ବା ଆନ୍ଧ୍ରପ୍ରଦେଶ କେହି ଉକ୍ତ ୨୧ଟି ଗ୍ରାମ ପ୍ରତି ଗୁରୁତ୍ୱ ଦେଇ ନ ଥିଲେ। କିନ୍ତୁ ଭାରତ ସରକାରଙ୍କ ନୋଟିଫିକେସନ୍‌ ଅନୁଯାୟୀ ଉକ୍ତ ୨୧ଟି ଗ୍ରାମପୁଞ୍ଜ ଓଡ଼ିଶାର ଓ ଓଡ଼ିଶା ସେହି ଅଞ୍ଚଳର ବିକାଶମୂଳକ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଭାରତ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଓଡ଼ିଶା ସରକାର କୋଟିଆରେ ୧୯୬୩ରେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ,୧୯୬୮ରେ ଏକ ପୁଲିସ ଫାଣ୍ଡି ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ପଞ୍ଚାୟତ ଅଫିସ, କୃଷି ବିଭାଗ ଓଭର୍‌ସିଅର ଓ ଗ୍ରାମ୍ୟ କୃଷି କେନ୍ଦ୍ର, ପୋଷ୍ଟ ଅଫିସ, ୩୮୦ ଶଯ୍ୟା ବିଶିଷ୍ଟ ସମାଜ ମଙ୍ଗଳ ବିଭାଗର ଏକ ଆବାସିକ ବିଦ୍ୟାଳୟ, ସାପ୍ତାହିକୀ ହାଟ, ପ୍ରାଣୀ ଚିକିତ୍ସା କେନ୍ଦ୍ର ସ୍ଥାପନା କରିଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଶା ସରକାର ବିଭିନ୍ନ ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର, ପାନୀୟ ଜଳ ବ୍ୟବସ୍ଥା କରିବା ସହ ବିଭିନ୍ନ ସରକାରୀ ବିଭାଗର ଗୃହ ନିର୍ମାଣ କରିଥିଲେ। ଅନ୍ୟ ପକ୍ଷରେ ୧୯୫୫ରେ ଆନ୍ଧ୍ରପ୍ରଦେଶ ମାଡ୍ରାସ ପ୍ରେସିଡେନସିରୁ ଅଲଗା ହୋଇ ସ୍ୱତନ୍ତ୍ର ରାଜ୍ୟ ହେବା ପରେ ମଧ୍ୟ ସୀମାନ୍ତ ୨୧ଟି ଗ୍ରାମ ପ୍ରତି କେବେ ଦୃଷ୍ଟି ପକାଇ ନ ଥିଲା। କିନ୍ତୁ କୋଟିଆର ଚତୁଃପାର୍ଶ୍ବରେ ଥିବା ଏକାଧିକ ପାହାଡ଼ରେ ସୁନା, ପ୍ଲାଟିନମ୍‌, ମାଙ୍ଗାନିଜ, ବକ୍ସାଇଟ୍‌, ଗ୍ରାଫାଇଟ୍‌ ଓ ଚୂନ ପଥର ଖଣି ରହିଥିବା ଜାଣିବା ପରେ ୧୯୬୨ରୁ ବିବାଦ ଆରମ୍ଭ କରିଥିଲା। ୧୯୬୨ରେ ଆନ୍ଧ୍ରପ୍ରଦେଶ ସୀମାକୁ ନେଇ ବିବାଦ ଉଠାଇବା ସହ କୋଟିଆର ଖଣି ଉପରେ ଦୃଷ୍ଟି ଦେବା କାରଣକୁ ନେଇ ୧୯୬୪ରେ ପଟ୍ଟାଙ୍ଗିର ତତ୍କାଳୀନ ବିଡିଓ ବିଏନ୍‌ ମହାପାତ୍ର ଏବଂ ତହସିଲଦାର ଏସ୍‌ଏସ୍‌ ନିଶାନ୍ତ ରାଜ୍ୟ ସରକାରଙ୍କୁ ଆନ୍ଧ୍ରପ୍ରଦେଶର ଗତିବିଧି ସମ୍ପର୍କରେ ସୂଚନା ଦେଇ କୋଟିଆରେ ପୁଲିସ ମୁତୟନ ପାଇଁ ପରାମର୍ଶ ଦେଇଥିଲେ। ତେବେ ଓଡ଼ିଶାକୁ ପ୍ରତି ଆକ୍ରମଣ କରିବାକୁ ସେତେବେଳେ ଆନ୍ଧ୍ରପ୍ରଦେଶ ସରକାର ମଧ୍ୟ କୋଟିଆ ଅଞ୍ଚଳରେ ତାଙ୍କ ପୁଲିସ ମୁତୟନ କରିଥିଲେ। ଶେଷରେ ଆନ୍ଧ୍ରର ଅନୁପ୍ରବେଶ ରୋକିବାକୁ ଓଡ଼ିଶା ସରକାର ୧୯୬୮ରେ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ମାମଲା ରୁଜୁ କରିଥିଲେ। କୋଟିଆର ଉକ୍ତ ୨୧ଟି ଗ୍ରାମ ଉପରେ ଓଡ଼ିଶାର କର୍ତ୍ତୃତ୍ବ ରହିବା ଓ ଆନ୍ଧ୍ରପ୍ରଦେଶ ପୁଲିସ ସେଠାରୁ ହଟିବାକୁ ଆଦେଶ ଦେବା ପାଇଁ ଓଡ଼ିଶା ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରାର୍ଥନା କରିଥିଲା। ୧୯୮୮ରେ ସର୍ବୋଚ୍ଚ ନ୍ୟାୟାଳୟ ସ୍ଥଗିତାଦେଶ ଦେଇ ମାମଲାର ବିଚାର ଯାଏ ସ୍ଥିତାବସ୍ଥା ଜାରି ରଖିବାକୁ ଆଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ସର୍ବୋଚ୍ଚ ନ୍ୟାୟାଳୟ କୋରାପୁଟ ଜିଲ୍ଲା ଜଜ୍‌ଙ୍କୁ କମିଶନର୍‌ ଭାବେ ନିଯୁକ୍ତ କରି ବିବାଦୀୟ ସୀମାନ୍ତ ଅଞ୍ଚଳ ସମ୍ପର୍କରେ ଉଭୟ ପକ୍ଷର ପ୍ରମାଣ ରେକର୍ଡ କରିବାକୁ ଦାୟିତ୍ୱ ଦେଇଥିଲେ। ୨୦୦୦ ମସିହାରେ କମିଶନର୍‌ ତଥା ଜିଲ୍ଲା ଜଜ୍ ମୁକୁନ୍ଦ ମିଶ୍ର ଉଭୟ ପକ୍ଷର ପ୍ରମାଣ ରେକର୍ଡ କରି ସର୍ବୋଚ୍ଚ ନ୍ୟାୟାଳୟକୁ ଦେଇଥିଲେ। କମିଶନର ତଥା ଜିଲା ଜଜ୍‌ଙ୍କ ରେକର୍ଡ ଅନୁଧ୍ୟାନ କରିବା ପରେ ୨୦୦୬ ମାର୍ଚ୍ଚ ୩୦ରେ ସର୍ବୋଚ୍ଚ ନ୍ୟାୟାଳୟ ଏକ ଆଦେଶ ଜାରି କରି ଭାରତୀୟ ସମ୍ବିଧାନର ୧୩୧ ଧାରା ଅନୁଯାୟୀ ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦର ସମାଧାନ କରିବା ନ୍ୟାୟାଳୟର କ୍ଷମତା ପରିଧି ମଧ୍ୟରେ ନ ଥିବା ଦର୍ଶାଇଥିଲେ। ସେଥିପାଇଁ କୋର୍ଟ ଉକ୍ତ ମାମଲାରେ ହସ୍ତକ୍ଷେପ କରିବାକୁ ମନାକରିବା ସହ ଏହା କେବଳ ସଂସଦରେ ସମାଧାନ କରାଯାଇ ପାରିବ ବୋଲି ପରାମର୍ଶ ଦେଇଥିଲେ। ତେବେ ସଂସଦରେ ମଧ୍ୟ ଆଜି ଯାଏ ଏ ନେଇ କୌଣସି ନିଷ୍ପତ୍ତି ହୋଇ ପାରି ନ ଥିବାବେଳେ ଆନ୍ଧ୍ରପ୍ରଦେଶ ସରକାର ସର୍ବୋଚ୍ଚ ନ୍ୟାୟାଳୟର ଆଦେଶକୁ ଅମାନ୍ୟ କରି ବାରମ୍ବାର ଅନୁପ୍ରବେଶ କରୁଛି। ବିବାଦୀୟ କୋଟିଆ ଅଞ୍ଚଳ ଓଡ଼ିଶାର ବୋଲି ପ୍ରମାଣ କରିବାକୁ ୨୦୦୨ରେ କେତେକ ବୁଦ୍ଧିଜୀବୀ ଜିଲ୍ଲା ପ୍ରଶାସନ ଓ ତତ୍କାଳୀନ ବିଧାୟକ ଜୟରାମ ପାଙ୍ଗିଙ୍କ ସହାୟତାରେ କୋଟିଆରେ ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଏକ ମନ୍ଦିର ପ୍ରତିଷ୍ଠା କରି ଆଦିମ ଶ୍ରୀକ୍ଷେତ୍ର ଭାବେ ନାମିତ କରିଥିେଲ। ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଦ୍ୱାରା ମନ୍ଦିର ପ୍ରତିଷ୍ଠା ହୋଇଥିବାବେଳେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକ୍ରମେ ଏଠାରେ ଆରମ୍ଭରୁ ରଥଯାତ୍ରାର ଗୋଟିଏ ଦିନ ପରେ ରଥଟଣା ହୋଇଆସୁଛି। ଜଣେ ଆଦିବାସୀ ଦିଶାରୀ ଏଠାରେ ନିୟମିତ ପୂଜା କରୁଛନ୍ତି।

ବିବାଦୀୟ ଅଞ୍ଚଳରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି
କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ଚାଲିଥିବା ବିବାଦର କୌଣସି ସମାଧାନ ପନ୍ଥା ବାହାରି ନ ଥିବାବେଳେ ଆନ୍ଧ୍ରର ଦାଦାଗିରି ଦିନକୁ ଦିନ ସୀମା ଟପିବାରେ ଲାଗିଛି। ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶରେ କିଛି ବର୍ଷ ଚୁପ ରହିବା ପରେ ଆନ୍ଧ୍ର ଉକ୍ତ ଅଞ୍ଚଳରେ ୨୦୧୮ରେ ପୁନର୍ବାର ବେଆଇନ ଭାବେ ଅନୁପ୍ରବେଶ କରିଥିଲା। ଆନ୍ଧ୍ର ପକ୍ଷରୁ ବିବାଦୀୟ ଗ୍ରାମଗୁଡ଼ିକରେ କଂକ୍ରିଟ ରାସ୍ତା, ସ୍କୁଲଗୃହ, ଅଙ୍ଗନବାଡ଼ି କେନ୍ଦ୍ର, ପାନୀୟ ଜଳ ବ୍ୟବସ୍ଥା ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟ କରାଯିବା ସହ ରାସନ କାର୍ଡ ପ୍ରଦାନ ସାଙ୍ଗକୁ ଗ୍ରାମବାସୀଙ୍କୁ ଭୋଟ ଦାନରେ ସାମିଲ କରାଯାଉଛି। ନିଜ ଅଞ୍ଚଳ ବୋଲି ଆନ୍ଧ୍ରପ୍ରଦେଶ ଦାବି କରୁଥିବା ଗ୍ରାମଗୁଡ଼ିକ ହେଲା ଗଞ୍ଜେଇ ପଦର, କୋଟିଆ, ସିଡି ୱାଲସା, ଉପର ସେମ୍ବି, ତଳ ସେମ୍ବି, ଧୁଳି ପଦର, ଆରଜୁ ୱାଲସା, ନେରେଡିୱାଲସା, ତାଡି ୱାଲସା, ମାର୍କାର, ବର୍ଣ୍ଣପାଡୁ, ଡଲିଆମ୍ବ, ଫଗୁଣ ସିନେରୀ, ଫାଟୁ ସିନେରୀ, ସଲପଗୁଡ଼ା, କର୍ଣ୍ଣଦୋରା, ହରମାଣ୍ଡିଙ୍ଗି, ମହିପାଣି, ରଣାସିଂ, ପନିକି ଓ ସିମାଗଡ଼ା। ଏହି ୨୧ଟି ଗ୍ରାମକୁ ନେଇ ଆନ୍ଧ୍ର ପ୍ରଦେଶ ସରକାର ବିଜୟନଗରମ୍‌ ଜିଲ୍ଲାର ସାଲୁର ମଣ୍ଡଳ ଅଧୀନରେ ତିନୋଟି ପଞ୍ଚାୟତ ଯଥା ଗଞ୍ଜେଇ ପଦର, ଫଗୁଣ ସିନେରୀ ଓ ଫାଟୁ ସିନେରୀ ଗଠନ କରିଛନ୍ତି। ସେହିପରି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଏବଂ ସାଧାରଣ ନିର୍ବାଚନ ସମୟରେ ଆନ୍ଧ୍ର ପକ୍ଷରୁ ନେରେଡି ୱାଲସା ଠାରେ ଦୁଇଟି ମତଦାନ କେନ୍ଦ୍ର ପ୍ରତିଷ୍ଠା କରି ଭୋଟ ଗ୍ରହଣ କରାଯାଉଛି। ବିବାଦୀୟ ଗ୍ରାମର ପ୍ରାୟ ସମସ୍ତ ଛାତ୍ରଛାତ୍ରୀ ଆନ୍ଧ୍ରପ୍ରଦେଶ ସରକାରୀ ସ୍କୁଲରେ ପଢୁଛନ୍ତି। ୨୧ଟି ଗ୍ରାମରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ରାସନକାର୍ଡ ଜରିଆରେ ଖାଦ୍ୟ ସାମଗ୍ରୀ, ବାର୍ଦ୍ଧକ୍ୟ ଓ ବିଧବାଙ୍କୁ ମାସିକ ୩୦୦୦ଟଙ୍କା ଭତ୍ତା, ଆବାସ ଯୋଜନାରେ ଘର, ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରତି ପରିବାରକୁ ମାଗଣା ବିଦ୍ୟୁତ ସଂଯୋଗ ଦିଆଯାଇଛି। ଆନ୍ଧ୍ରପ୍ରଦେଶ ଏହି ଅଞ୍ଚଳକୁ ହାତେଇବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଞ୍ଚଳରେ ଥିବା ଖଣିଜ ପଦାର୍ଥ। ଭୂତତ୍ୱ ବିଭାଗ ପକ୍ଷରୁ ସ୍ୱଷ୍ଟ କରା ଯାଇ ନ ଥିଲେ ମଧ୍ୟ କୋଟିଆର ଚତୁଃପାର୍ଶ୍ବରେ ଥିବା ପାହାଡ଼ଗୁଡ଼ିକରେ ସୁନା, ପ୍ଲାଟିନମ, ମାଙ୍ଗାନିଜ, ବକ୍ସାଇଟ, ଗ୍ରାଫାଇଟ ଓ ଚୂନ ପଥର ଖଣି ରହିଥିବା ଜାଣିବା ପରେ ଆନ୍ଧ୍ର ସେହି ଅଞ୍ଚଳକୁ ହାତେଇବା ପାଇଁ ବିଚଳିତ ହୋଇ ପଡୁଥିବା ଚର୍ଚ୍ଚା ହେଉଛି। ଅନ୍ୟ ପକ୍ଷରେ ବିବାଦୀୟ ସୀମାନ୍ତ ଗ୍ରାମବାସୀଙ୍କୁ ପ୍ରଶାସନିକ ସୁବିଧା ଯୋଗାଇ ଦେବାକୁ ଆନ୍ଧ୍ରର ୱାଇ.ଏସ୍‌.ଜଗନ୍ ମୋହନ ରେଡ୍ଡୀ ସରକାର ମାନ୍ୟମ (ଉପାନ୍ତ) ଜିଲ୍ଲା ପ୍ରତିଷ୍ଠା କରି କୋଟିଆ ଠାରୁ ୪୫ କିଲୋମିଟର ଦୂରରେ ଥିବା ପାର୍ବତୀପୁରମକୁ ଜିଲ୍ଲା ସଦର ମହକୁମା କରିଥିବାବେଳେ ସାଲୁର ବିଧାୟକ ପିଡିକା ରାଜନ ଦୋରାଙ୍କୁ ଉପମୁଖ୍ୟମନ୍ତ୍ରୀ କରିଥିବା ଆଲୋଚନା ହେଉଛି ।

ସଫଳ ହୋଇଛି ଓଡ଼ିଶାର ପ୍ରଥମ ଷ୍ଟ୍ରବେରୀ ଚାଷ
ଷ୍ଟ୍ରବେରୀ ଏପରି ଏକ ସୁଆଦିଆ ଫଳ, ଯାହା ଆମ ରାଜ୍ୟରେ ବିରଳ। ଜଳବାୟୁ ଅନୁଯାୟୀ ଷ୍ଟ୍ରବେରୀ ସାଧାରଣତଃ ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ତାମିଲନାଡୁ,ଏବଂ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ଚାଷ କରା ଯାଇଥାଏ। ତେବେ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ ଜିଲ୍ଲାରେ ଷ୍ଟ୍ରବେରୀ ଚାଷ କରିବାକୁ ମନସ୍ଥ କରି ୨୦୨୨ରେ ପଦକ୍ଷେପ ନେଇଥିଲେ ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳ ଅବଦ୍ଦାଲ୍ ଏମ୍ ଅଖତର କୋରାପୁଟ ଜିଲ୍ଲାରେ ଷ୍ଟ୍ରବେରୀ ଚାଷ କରିବାକୁ ପରିକଳ୍ପନା କରି କୋଟିଆରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଦିବାସୀ ଅଧ୍ୟୁଷିତ କୋଟିଆରେ ଷ୍ଟ୍ରବେରୀ ଚାଷ ଆରମ୍ଭ କରାଗଲେ ସ୍ଥାନୀୟ ଲୋକେ ଓ ମହିଳା ସ୍ୱୟଂସହାୟିକ ଗୋଷ୍ଠୀ ଉପକୃତ ହେବେ; ତେଣୁ ଏହାର ଦାୟିତ୍ୱ ଜିଲ୍ଲାପାଳ କୋରାପୁଟ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାକୁ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କୋରାପୁଟ ଆଇଟିଡିଏ ପକ୍ଷରୁ କୋଟିଆରେ ଷ୍ଟ୍ରବେରୀ ଚାଷ ନିମନ୍ତେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ଓଡ଼ିଶା ସରକାର କୋଟିଆର ଆଦିବାସୀ ସମୁଦାୟଙ୍କ ଉନ୍ନତି ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରି ଆସୁଥିବାବେଳେ କୋଟିଆରେ ଷ୍ଟ୍ରବେରୀ ଚାଷ କରି ଆଉ ଏକ ନୂଆ ଆଧ୍ୟାୟ ଆରମ୍ଭ କରିଛନ୍ତି। ସେହି କ୍ରମରେ ୨୦୨୨ରେ କୋଟିଆର ଡୋଲିଆମ୍ବରେ ପରୀକ୍ଷାମୂଳକ ଭାବେ ଷ୍ଟ୍ରବେରୀ ଚାଷ ଆରମ୍ଭ କରା ଯାଇଥିଲା। ପାରମ୍ପରିକ ଡଙ୍ଗର ଓ ଜଙ୍ଗଲ ଚାଷ କରୁଥିବା ଲୋକଙ୍କୁ ଏଭଳି ଏକ ଅର୍ଥକାରୀ ଫସଲ ଚାଷ ବିଷୟରେ ଆଗ୍ରହ ସୃଷ୍ଟି କରିବା ପ୍ରଶାସନ ପାଇଁ ଅତି କଷ୍ଟକର କାମ ଥିଲା। ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ନିଜ କାର୍ଯ୍ୟାଳୟର କିଛି ଅଭିଜ୍ଞ କର୍ମଚାରୀଙ୍କ ସହ ବିଚାରବିମର୍ଶ କରି ଷ୍ଟ୍ରବେରୀ ଚାଷ ସମ୍ପର୍କରେ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରିବା ସହ ପାଖ ଅଞ୍ଚଳରେ ହେଉଥିବା ଚାଷ ଦେଖିବାକୁ ଯାଇ ପ୍ରତ୍ୟକ୍ଷ ଜ୍ଞାନ ଆହୋରଣ କରିଥିଲେ। ଆବଶ୍ୟକ ଜଳବାୟୁ, ପରିବେଶ ଏବଂ ଅନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ଦେଖିଲେ ଏହିଚାଷ ପାଇଁ କୋଟିଆ ଗ୍ରାମପୁଞ୍ଜ ପ୍ରକୃଷ୍ଟ ସ୍ଥାନ ବୋଲି ବିବେଚନା କରାଯାଉଛି। ସେଥିପାଇଁ ବାରମ୍ବାର ଆଲୋଚନା ଓ ଭିଡିଓ ପ୍ରଦର୍ଶନ ପରେ ଡୋଲିଆମ୍ବ ଗ୍ରାମବାସୀ ଏଥିପ୍ରତି ଆକୃଷ୍ଟ ହୋଇଥିଲେ ଓ ଏହି ଗ୍ରାମର ଗଙ୍ଗା, ଜମୁନା ଓ ନିଶାଣିମୁଣ୍ଡା ନାମକ ତିନୋଟି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଏହି ଚାଷ କାର୍ଯ୍ୟରେ ସାମିଲ୍ ହୋଇଥିଲେ। ଏଥିପାଇଁ ମହାରାଷ୍ଟ୍ରର ପୁନେରୁ ଚାରା ଆଣି ଲୋକଙ୍କୁ ଯୋଗାଇ ଦେବା ସହ ଆବଶ୍ୟକ ଜ୍ଞାନକୌଶଳ ଯୋଗାଇ ଦିଆଯାଇଥିଲା। ମାତ୍ର ୪୦ ରୁ ୪୫ଦିନ ପରେ ଫଳ ଆସିଲା ଓ ଜିଲ୍ଲା ପ୍ରଶାସନ ଏହାର ବଜାର ବ୍ୟବସ୍ଥା ମଧ୍ୟ କରିଥିଲା ଓ ଚାଷୀମାନେ ବେଶ୍ ଦି ପଇସା ରୋଜଗାର କରିଥିଲେ। ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଗତବର୍ଷ କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବାବେଳେ କୋଟିଆର ଷ୍ଟ୍ରବେରୀ ଚାଷ ଅଞ୍ଚଳ ପରିଦର୍ଶନ କରି ଷ୍ଟ୍ରବେରୀ ଚାଖିବା ସହ ଏହାର ସ୍ୱାଦ ଅନନ୍ୟ ବୋଲି ବକ୍ତବ୍ୟ ଦେଇ ଚାଷ କରିଥିବା ଗ୍ରାମବାସୀ ତଥା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ପ୍ରୋତ୍ସାହିତ କରି ଏହାର ସଂପ୍ରସାରଣ ପାଇଁ ପ୍ରସ୍ତାବ ଦେଇଥିଲେ। କୋଟିଆର ଷ୍ଟ୍ରବେରୀ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଚାଖିବା ପରେ ଖୁବ୍ ପ୍ରଶଂସା କରିଥିଲେ। କୋଟିଆରେ ଷ୍ଟ୍ରବେରୀ ଚାଷର ସଫଳତାକୁ ଦୃଷ୍ଟିରେ ରଖି ଏହି ଚାଷକୁ ଆହୁରି ଅନୂନ୍ୟ ୪ -୫ ଟି ଗାଁରେ ପ୍ରାୟ ୫୦ ଏକର ଜମିରେ କରିବାକୁ ବିଭାଗ ସ୍ଥିର କରିଥିଲା। ଲୋକଙ୍କୁ ସଚେତନ କରାଇବା ସହ ଲୋକଙ୍କ ଆଗ୍ରହ, ଆନୁସଙ୍ଗିକ ବ୍ୟବସ୍ଥା ଓ ପରିବେଶ ଅନୁଯାୟୀ ସ୍ଥାନ ଚିହ୍ନଟ କରିବା ପରେ ଜାନିଗୁଡ଼ାର ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା ୩ ଏକର, ଓଡିଶା-ଆନ୍ଧ୍ର ସୀମାନ୍ତ ଫାଟୁସିନେରୀ ଗ୍ରାମରେ ପ୍ରାୟ ୯ଏକର ଓ ପର୍ଯ୍ୟଟନସ୍ଥଳୀ ଗାଲିଗବଡ଼ରରେ ୬ଏକର ଜମିରେ ଚାଷକାର୍ଯ୍ୟ ଆରମ୍ଭ କରାଯାଇଥିଲା। ସ୍ଥାନୀୟ ବଜାରରେ ଏହା ଉପଲବ୍ଧ ହେବାସହ ଭୁବନେଶ୍ୱରର ବିଭିନ୍ନ ପ୍ରମୁଖ ସପିଙ୍ଗ୍‌ ମଲ୍ଗୁଡ଼ିକରେ କୋଟିଆ ଷ୍ଟ୍ରବେରୀ ବ୍ରାଣ୍ଡରେ ବିକ୍ରି କରାଯିବାକୁ ଯୋଜନା କରାଯାଇଛି। ଖୁଚୁରା ଦର ୨୦୦ ଗ୍ରାମର ପେକିଂ କରାଯାଇ ୧୦୦ଟଙ୍କାରେ ବିକ୍ରି କରା ଯାଉଥିବାବେଳେ ଚାଷୀ କିପରି ଅଧିକ ଅର୍ଥ ପାଇପାରିବେ, ତାହାର ବ୍ୟବସ୍ଥା ଆଇଟିଡିଏ କୋରାପୁଟ ତରଫରୁ କରାଯାଇଛି। ଏଥି ପାଇଁ ଜୟପୁରର ଏକ ସଂସ୍ଥା ଭୁବନେଶ୍ୱରର ବିଭିନ୍ନ ସପିଂ ମଲରେ ବିକ୍ରି କରିବାକୁ ବ୍ୟବସ୍ଥା କରିଥିବାବେଳେ ଚାରା ଯୋଗାଇଥିବା ସଂସ୍ଥା ଏବଂ ବିଶାଖାପାଟଣା ଓ ଜଗଦଲପୁରର ବିଭିନ୍ନ ବ୍ୟବସାୟୀ ମଧ୍ୟ କିଣି ନେଉଥିବା ଜଣାପଡ଼ିଛି । ଫଳରେ ସ୍ଥାନୀୟ କିଛି ଲୋକେ ପାରମ୍ପରିକ ଚାଷ ଛାଡ଼ି ପାହାଡ଼ିଆ ଜମିରେ ଷ୍ଟ୍ରବେରୀ ଚାଷ କରିବାକୁ ମନ ବଳାଇଥିବା ଦେଖିବାକୁ ମିଳିଛି।

ବିକାଶ ପଥେ କୋଟିଆ
କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଚାଲିଥିବା ବିବାଦର କୌଣସି ସମାଧାନ ପନ୍ଥା ବାହାରି ନ ଥିଲେ ମଧ୍ୟ ଆନ୍ଧ୍ରର ନାଲିଆଖିକୁ ଓଡ଼ିଶା କଡ଼ା ଟକ୍କର ଦେବା ଆରମ୍ଭ କରିଛି । ଗତ ୫ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲା ପ୍ରଶାସନ କୋଟିଆ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ କରି କୋଟିଆ ଓଡ଼ିଶାର ବୋଲି ପ୍ରମାଣିତ କରିବାକୁ ଉଦ୍ୟମ ଜାରି ରଖିଛି। ୨୦୧୮ ରେ କୋରାପୁଟ ଜିଲ୍ଲାର ଲୋକ ମହୋତ୍ସବ ‘ପରବ’ କୋଟିଆ ପଞ୍ଚାୟତ ସଦର ମହକୁମାରୁ ଶୁଭାରମ୍ଭ କରି ଜିଲ୍ଲା ପ୍ରଶାସନ ଆନ୍ଧ୍ର ପ୍ରଦେଶକୁ ଉଚିତ ଜବାବ୍ ଦେଇଥିଲେ । ୨୦୧୮-୧୯ରେ ଓଡ଼ିଶା ସରକାର କୋଟିଆର ବିକାଶ ନିମନ୍ତେ ୧୫୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିଲେ। ନିଜ ଅଞ୍ଚଳ ବୋଲି ଆନ୍ଧ୍ର ପ୍ରଦେଶ ଦାବି କରୁଥିବା ଗଞ୍ଜେଇ ପଦର, କୋଟିଆ, ସିଡି ୱାଲସା, ଉପର ସେମ୍ବି, ତଳ ସେମ୍ବି, ଧୂଳି ପଦର, ଆରଜୁ ୱାଲସା, ନେରଡିୱାଲସା, ତାଡି ୱାଲସା, ମାର୍କାର, ବର୍ଣ୍ଣପାଡୁ, ଡଲିଆମ୍ବ, ଫଗୁଣ ସିନେରୀ, ଫାଟୁ ସିନେରୀ, ସଲପଗୁଡା, କର୍ଣ୍ଣଦୋରା, ହରମାଣ୍ଡିଙ୍ଗି, ମହିପାଣି, ରଣାସିଂ, ପନିକି ଓ ସିମାଗଡା ପ୍ରମୁଖ ୨୧ଟି ଗ୍ରାମରେ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଦ୍ୱାରା ବିକାଶ କାର୍ଯ୍ୟ ଆଗେଇ ଚାଲିଛି । ପଟ୍ଟାଙ୍ଗି ବ୍ଲକ୍ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗ , ସୁନାବେଡ଼ା ଡିଭିଜନ୍‌, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କୋରାପୁଟ, ପୂର୍ତ୍ତ ବିଭାଗ କୋରାପୁଟ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ସମଗ୍ର ଶିକ୍ଷା ବିଭାଗ ଦ୍ୱାରା କୋଟିଆର ବିକାଶକୁ ଆଗେଇ ନିଆଯାଉଛି। କୋଟିଆର ବିକାଶ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ୧୫୦ କୋଟି ଟଙ୍କାର ପେକେଜରୁ କୋଟିଆଠାରୁ କାଟ୍ରାଗଡ଼ାକୁ ପାହାଡ଼ କାଟି ରସ୍ତା କରାଯାଇଥିବା ବେଳେ ତଳ ଗଞ୍ଜେଇପଦରରେ ଗ୍ରାମୀଣ ଆବାସ ଯୋଜନାରେ ଘର, କୋଟିଆରେ ହାଟ ପିଣ୍ଡି, ଯାତ୍ରୀ ପ୍ରତୀକ୍ଷାଳୟ, ମୋବାଇଲ୍ ଟାୱାର୍ ନିର୍ମାଣ କରାଯାଇଛି। ସେହିପରି ନୂତନ ହସ୍ପିଟାଲ୍ ବିଲ୍ଡିଂ ସମେତ କର୍ମଚାରୀ ବାସଗୃହ, ନୂତନ ଥାନା କୋଠା, ଗଞ୍ଜେଇପଦରରେ କୋଟିଆ ହାଇସ୍କୁଲର ଛାତ୍ରାବାସ, କୋଟିଆରେ ଶ୍ରେଣୀ ଗୃହ ଓ ଛାତ୍ରୀ ନିବାସ, କ୍ଲଷ୍ଟର୍ ହାଉସ୍ , କୋଟିଆ-ତୁରିଆ ରାସ୍ତାର ଉନ୍ନତିକରଣ କାର୍ଯ୍ୟ କରାଯାଇଛି। କେବଳ ଏତିକି ନୁହେଁ, ରାଜ୍ୟ ସରକାର କୋଟିଆ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଥୁରିଆରେ ବିଜ୍ଞାନ କଲେଜ, ଦେଓମାଳିରେ ପର୍ଯ୍ୟଟନର ବିକାଶ କାର୍ଯ୍ୟ ଜାରି ରଖିଛନ୍ତି। ଲୋକଙ୍କ ଗମନାଗମନ ନିମନ୍ତେ ଜୟପୁର-କୋଟିଆ ସରକାରୀ ବସ୍ ଚଳାଚଳ ଆରମ୍ଭ କରିଛନ୍ତି।

About The Author: The Sakala