ଖୋର୍ଦ୍ଧା: ଧୁମଧାମରେ ପାଳନ ହେଉଛି ରଜ ପର୍ବ। ମାମୁ ଘରକୁ ରଜ ପାଳିବାକୁ ଆସି ପୋଖରୀରେ ବୁଡ଼ି ଭଣଜାର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ନିକଟ ଛୋଟରାୟପୁର ଗାଁରେ। ମୃତ୍ଯୁ ଘଟିଥିବା ଭଣଜାର ନାଁ ଆୟୁଷ ପଟ୍ଟନାୟକ।
ସୂଚନା ଅନୁଯାୟୀ, ଆୟୁଷ ଓ ଆଉ ଜଣେ ଭାଇ ମାମୁ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସହ ମିଶି ପୋଖରୀରେ ଗାଧୋଉଥିବା ବେଳେ ୨ ଭଣଜା ଗଭୀର ଜଳରେ ବୁଡ଼ି ଯାିଥିଲେ। ହେଲେ ମାମୁ ଜଣଙ୍କୁ ହିଁ ପାଣିରୁ ଟାଣି ଆଣିବାରେ ସଫଳ ହୋଇଥିଲେ। କିନ୍ତୁ ଆୟୁଷଙ୍କର କୌଣସି ପତ୍ତା ମିଳି ନ ଥିଲା। ଖବର ପାଇ ଚିଲିକା ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ପୋଖରୀରେ ଖୋଜାଖୋଜି କରି ଆୟୁଷଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ଆୟୁଷଙ୍କୁ ମୃତ ଘୋଷଣା କରିଥିଲେ।