କେନ୍ଦୁଝର: କେନ୍ଦୁଝର ପୁଲିସକୁ ଶନିବାର ଏକ ବଡ଼ ସଫଳତା ମିଳିଛି। କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନା ସମେତ ରାଉରକେଲା, ଢେଙ୍କାନାଳ, ସମ୍ବଲପୁର ଆଦି ଜିଲ୍ଲାରେ ୨୮ଟି ବଡ଼ ଡ଼କାୟତିରେ ସାମିଲଥିବା ମାଷ୍ଟର ମାଇଣ୍ଡ ଦାଶରଥୀ ଧୀବରକୁ ପୁଲିସ ଗିରଫ କରିଛି।
ସୂଚନା ଅନୁଯାୟୀ, ଗତବର୍ଷ ଅକ୍ଟୋବର ମାସ ୧୮ ତାରିଖରେ ଗିରଫ ଡ଼କାୟତ ଦାଶରଥି ଧୀବର ନେତୃତ୍ୱରେ ୬ଜଣ ଡ଼କାୟତ ନୟାକୋଟ ଥାନା ଅଞ୍ଚଳ ଫୁଲଝର ସ୍ଥିତ ସ୍ୱପ୍ନେଶ୍ଵର ଫିଲିଙ୍ଗ ଷ୍ଟେସନରେ ମଧ୍ୟ ରାତ୍ରିରେ ସଟର ଭାଙ୍ଗି ୪ଲକ୍ଷ ଟଙ୍କା, ଲାପଟପ ସମେତ ଅନ୍ୟାନ୍ୟ ସାମଗ୍ରୀ ଲୁଟିନେଇଥିଲେ। ଏହି ମାମଲା ଆଧାରରେ ପୁଲିସ ସ୍ୱତନ୍ତ୍ର ଟିମ ଗଠନ କରି ପୂର୍ବରୁ ୫ ଜଣ ଡକାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
ଏହି ଡକାୟତି ସମେତ ବିଭିନ୍ନ ଜିଲ୍ଲାରେ ୨୮ ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ ଶରଥୀ ଧୀବର ଫେରାର ଥିଲା। କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶରେ ଗଠିତ ଏକ ଟିମ ଶେଷରେ ଶନିବାର ଡ଼କାୟତ ସର୍ଦ୍ଦାରକୁ ଗିରଫ କରିବାରେ ସଫଳ ହୋଇଛି। ତା ନାଁରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନାରେ ୨୦ ଟି, ରାଉରକେଲା ପୁଲିସ ଜିଲ୍ଲାରେ ୬ଟି, ଢେଙ୍କାନାଳ ଜିଲ୍ଲାରେ ୧ଟି ଏବଂ ସମ୍ବଲପୁରେ ୧ ଡ଼କାୟତି ମାମଲାରେ ସମ୍ପୃକ୍ତ ଥିବା ପୁଲିସ କହିଛି। ଗିରଫ ଡ଼କାୟତ ପାଖରୁ ଗୋଟିଏ ପିସ୍ତଲ, ୧ ଖୁକରୀ, ସୁନା ରୁପା ଅଳଙ୍କାର, ବୋଲେରୋ ଓ ବାଇକ ଜବତ କରାଯାଇଛି।