କେନ୍ଦ୍ରାପଡା(ଦେବଦତ୍ତ ଦାଶ): ମିଶନ ଶକ୍ତି ଆଜି ପ୍ରଗତି ଆଣିଛି। ଏନେଇ ୨୦୨୨-୨୩ ଆର୍ଥିକ ବର୍ଷରେ ଏସ୍ଏଚ୍ଜିକୁ ୧୧, ୦୦୦ କୋଟିରୁ ଅଧିକ ସହାୟତା ରାଶି ଯୋଗାଇ ମହିଳାମାନଙ୍କୁ ସଶକ୍ତ କରାଯାଇଛି। ଏସ୍ଏଚ୍ଜିରୁ ୨ ପ୍ରତିଶତ ସୁଧରେ ଗତ ୨ ବର୍ଷ ତଳେ ଜଣେ ମହିଳା ସଦସ୍ୟା ୪୦ ହଜାର ଟଙ୍କା ଋଣ ନେଇଥିଲେ। ଏହି ଋଣ ଟଙ୍କାରେ ମେସିନ କିଣି ଧୂପକାଠି ତିଆରି ଆରମ୍ଭ କରିଥିଲେ। ଦୃଢ଼ଇଛା ଶକ୍ତି ବଳରେ ମହିଳା ଜଣଙ୍କ ନିଜେ ସ୍ୱାବଲମ୍ୱୀ ହେବା ସହ ସୁରଟରୁ ଫେରିଥିବା ନିଜ ଅଞ୍ଚଳରେ କିଛି ବ୍ୟକ୍ତିଙ୍କୁ ରୋଜଗାରକ୍ଷମ କରାଇ ପାରିଛନ୍ତି ଝୁଲଣା ସ୍ୱାଇଁ।
କେବଳ ଯେ ନିଜ ସ୍ୱାମୀଙ୍କୁ ରୋଜଗାର ଦେଇଛନ୍ତି ତାହା ନୁହେଁ ବରଂ ଅଞ୍ଚଳର ଅନ୍ୟ ୭ରୁ ୧୦ ଜଣ ମହିଳାଙ୍କୁ ସ୍ୱାବଲମ୍ୱୀ କରାଇପାରିଛନ୍ତି। ଏମିତିକି ମହିଳା ଜଣଙ୍କ ନିଜ ପରିବାର ସଦସ୍ୟଙ୍କ ସହିତ ଗାଁର ଅନ୍ୟ କେତେକ ମହିଳାଙ୍କ ସହାୟତାରେ ଗାଁର ଅର୍ଥନୀତିକୁ ସୁଦୃଢ କରିବାକୁ ଚେଷ୍ଟା କରିଛନ୍ତି। ଉଦ୍ୟୋଗୀ ମହିଳା ଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ନୈନ୍ଦିପୁର ଅଞ୍ଚଳର ଝୁଲଣା ସ୍ୱାଇଁ।।ଝୁଲଣା ମୈତ୍ରମୁନି ଗୋଷ୍ଠିରୁ ୨ ବର୍ଷ ତଳେ ୪୦ ହଜାର ଟଙ୍କା ଋଣ ନେଇ ଧୂପକାଠି କାରଖାନା କରିଛନ୍ତି। ଝୁଲଣାଙ୍କ ସ୍ୱାମୀ ଗୁଜୁରାଟରେ ଏକ କପଡ଼ା ୟୁନିଟରେ କାମ କରୁଥିଲେ। ବିଗତ ୨୨ ବର୍ଷ ହେଲା ସେ କପଡ଼ା କାରଖାନାରେ ମାତ୍ର ୧୫ ହଜାର ଟଙ୍କା ଦରମାରେ କାର୍ଯ୍ୟ କରୁଥିଲେ। କିନ୍ତୁ କରୋନା ମହାମାରୀ ଯୋଗୁ ଘରକୁ ପଳାଇ ଆସିଥିଲେ। ଆଉ ଏଠାରେ ଶରୀର ଅସୁସ୍ଥ ହୋଇଗଲା।ରୋଜଗାରର ସବୁ ରାସ୍ତା ତାଙ୍କର ବନ୍ଦ ହୋଇଗଲା। ପରିବାର ଚଳିବା କଷ୍ଟକର ହୋଇପଡ଼ିଲା। ତେବେ ଝୁଲଣା ତାଙ୍କ ସ୍ୱାମୀ ଅଧିର ସ୍ୱାଇଁଙ୍କୁ ଆଉ ବାହାରକୁ ଯିବାକୁ ମନାକଲେ। ଏସ୍ଏଚଜିରୁ କିଛି ଟଙ୍କା ଋଣ ଆଣି ଧୂପକାଠି ତିଆରି ମେସିନ ଆଣିଲେ। ସ୍ୱାମୀ ସ୍ତ୍ରୀ ଦୁହେଁ ମିଶି ଧୂପକାଠି ତିଆରି ଆରମ୍ଭ କଲେ। ଆଉ ପାଖଆଖ ମହିଳାଙ୍କୁ ମଧ୍ୟ ଏଥିରେ ସାମିଲ କଲେ। ସବୁ ଖର୍ଚ୍ଚ ଯାଇ ଏବେ ମାସିକ ୨୫ ରୁ ୩୦ ହଜାର ଟଙ୍କା ଲାଭ ହେଉଛି ବୋଲି ଝୁଲଣା କହିଛନ୍ତି। ହାତ ପାହାନ୍ତାରେ ଧୂପକାଠି ତିଆରି ହେଉଥିବାରୁ ବେଶ କମ ଦାମରେ ମିଳିଯାଉଛି।ତେବେ ଏହି ଧୂପକାଠି କିଣିବାକୁ ଲୋକଙ୍କ ଆଗ୍ରହ ଦେଖିବାକୁ ମିଳୁଛି। ଆହୁରି ମଧ୍ୟ ନିକଟସ୍ଥ ବଜାରରେ ଧୂପକାଠି ବିକ୍ରି କରି ନିଜେ ଓ ଅନ୍ୟମାନଙ୍କ ପରିବାରକୁ ଦୁଇ ପଇସା ରୋଜଗାର କରାଇବାର ବାଟ ଦେଖାଉଛନ୍ତି। ତାଛଡା ଧୂପକାଠି କାରଖାନା ଅଞ୍ଚଳର ଅର୍ଥନୀତିକୁ ମଧ୍ୟ ସୁଦୃଢ କରିବାରେ ସହାୟକ ହେଉଛି ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି। ତେବେ ଏସ୍ଏଚଜି ଋଣରୁ ଆଜି ଧୂପକାଠି କାରଖାନା ଶ୍ରୀ ଭକ୍ତି ଅଗରବତୀ କରିପାରିଥିବାରୁ ଝୁଲଣା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।