କନ୍ଧମାଳ ( ସଞ୍ଜୟ ପାତ୍ର): ଜୈବିକ ଚାଷ ପାଇଁ ପ୍ରସିଦ୍ଧ କନ୍ଧମାଳ ଜିଲ୍ଲା। ଏଠିକାର ଜୈବିକ ହଳଦୀ, ଅଦା ସାଙ୍ଗକୁ ପନିପରିବା ସାରା ଦେଶରେ ନିଜର ଉକÒର୍ଷ ଗୁଣବତ୍ତା ଯୋଗୁଁ ଏକ ସତନ୍ତ୍ର ସ୍ଥାନ ଅଧିକାର କରିଛି। କନ୍ଧମାଳ ଜିଲ୍ଲାର ଭୌଗୋଳିକ ସ୍ଥିତି, ମୃତ୍ତିକା ମାନ ଏବଂ ଜଳସେଚନର ସମସ୍ୟା ଯୋଗୁଁ ଏଠାରେ ଧାନ ଭଳି ପାରମ୍ପରିକ ଚାଷର ଉପଯୋଗିତା ଖୁବ କମ ରହିଛି।ଏହି ଦୃଷ୍ଟିକୋଣରୁ ଜିଲ୍ଲାରେ ଏବେ ବିଭିନ୍ନ ଅଣ ପାରମ୍ପରିକ ବିକଳ୍ପ କୃଷି ପାଇଁ ସମ୍ଭାବନାର ସନ୍ଧାନ କରାଯାଉଛି। କଳା ଧାନ, କଳା ହଳଦୀ ଓ କଳା ଗହମ ଚାଷକୁ ଗୁରୁତ୍ୱ ଦିଆଯାଇ ଚାଷ କରାଯାଉଛି ।
ଗତ କିଛି ବର୍ଷ ମଧ୍ୟରେ ଏ ଦିଗରେ ନୂତନ ପ୍ରୟାସ ଆରମ୍ଭ କରାଯାଇଛି। ଜିଲ୍ଲାରେ ଜୈବିକ କୃଷିର ଅଗ୍ରଦୂତ ସାଜିଥିବା ସଂସ୍ଥା କସମ ପକ୍ଷରୁ ଉଦ୍ୟମ ଜାରି ରହିଛି। ତିନୋଟି ବିକଳ୍ପ ତଥା ଅର୍ଥକରୀ ଫସଲର ଉତ୍ପାଦନ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ଏଥିମଧ୍ୟରେ ରହିଛି କଳା ଧାନ, କଳା ହଳଦୀ ଓ କଳା ଗହମ। ଏମିତିରେ ତ କନ୍ଧମାଳ ହଳଦୀ ସମ୍ପର୍କରେ କେହି ଅଜଣା ନୁହନ୍ତି। ନିଜର ଗୁଣବତ୍ତା ପାଇଁ ବିଶ୍ୱସ୍ତରରେ ନାଁ କମାଇବା ସହିତ ଜିଆଇ ଟ୍ୟାଗ୍ ହାସଲ କରିଛି କନ୍ଧମାଳ ହଳଦୀ। କିନ୍ତୁ ଏଠାରେ ଏବେ ହଳଦୀର ଏକ ସ୍ୱତନ୍ତ୍ର ପ୍ରଜାତି କଳା ହଳଦୀ ଉତ୍ପାଦନ କରି ଲାଭବାନ ହେଉଛନ୍ତି ଚାଷୀ। କସମ ସମ୍ପାଦକ ସଞ୍ଜିତ ପଟ୍ଟନାୟକଙ୍କ ସୂଚନା ଅନୁସାରେ ୨୦୦୬ ମସିହାରେ ଏହି ହଳଦୀର ବିହନ କେରଳ ରାଜ୍ୟରୁ ଆଣି ଚାଷୀଙ୍କୁ ଯୋଗାଇ ଦିଆଯାଇଥିଲା। କିଛି ବର୍ଷ ବିଭିନ୍ନ କାରଣରୁ ଚାଷ ବନ୍ଦ ରହିଥିଲା। ଏବେ ପୁଣି ନୂତନ ଭାବେ ଆରମ୍ଭ ହୋଇଛି କଳା ହଳଦୀ ଚାଷ। କମ ସଂଖ୍ୟାରେ ହେଲେ ବି ଜିଲ୍ଲାର ସମସ୍ତ ବ୍ଲକ୍ରେ ହେଉଛି ଚାଷ। ବାର୍ଷିକ ପ୍ରାୟ ୪ କ୍ୱିଣ୍ଟାଲ ହଳଦୀ ଉତ୍ପାଦିତ ହେଉଛି। ସାଧାରଣ ହଳଦୀ ଭଳି ଏହା ଜାନୁଆରୀ- ଫେବୃଆରୀ ମାସରେ ଲଗାଯାଇ ଜୁଲାଇ-ଅଗଷ୍ଟ ବେଳକୁ ଅମଳ କରାଯାଇଥାଏ। କମ ପରିମାଣର ଅମଳ ହେଉଥିବାରୁ ଏବଂ ପ୍ରଚୁର ଔଷଧୀୟ ଗୁଣ ଯୋଗୁଁ ଏହାର ବିକ୍ରୀରେ କୌଣସି ସମସ୍ୟା ହୁଏନାହିଁ। ସାଧାରଣତଃ ଔଷଧ କମ୍ପାନୀ ଏହା ଚାଷୀଙ୍କ ଠାରୁ କିଣି ନେଇଥାଆନ୍ତି। ଏବେ ଏହାର ବଜାର ଦର ୧୫୦ରୁ ୨୦୦ ଟଙ୍କା ମଧ୍ୟରେ ରହିଛି। କର୍କଟ, ରକ୍ତଚାପ ଏବଂ ବିଭିନ୍ନ ଚର୍ମରୋଗର ନିରାକରଣ ପାଇଁ ଏହା ଏକ ଅବ୍ୟର୍ଥ ଔଷଧ ବୋଲି କୁହାଯାଏ।
ଜୈବିକ କୃଷିରେ ଅନ୍ୟତମ ନୂତନ ପ୍ରୟୋଗ ହେଉଛି କଳା ଗହମ। ରାଜ୍ୟରେ କନ୍ଧମାଳ ଜିଲ୍ଲାରେ ପ୍ରଥମ କରି ଏହି ପ୍ରୟୋଗ ଆରମ୍ଭ ହୋଇଛି। ଗତ ଖରିଫ ଋତୁରେ ପରୀକ୍ଷାମୂଳକ ଭାବେ ଚାଷୀଙ୍କୁ ୧୩ କିଲୋ ବିହନ ଯୋଗାଇ ଦିଆଯାଇଥିଲା। ପଞ୍ଜାବରୁ ଆସିଥିବା ଏହି ବିହନରେ ଫିରିଙ୍ଗିଆ ବ୍ଳକ୍ର କିଛି ଚାଷୀ ଆରମ୍ଭ କରିଥିଲେ କଳା ଗହମ ଚାଷ। ସେପ୍ଟେମ୍ୱର ମାସରେ ବିହନ ରୋପଣ କରାଯାଇ ଫେବୃଆରୀ ମାସରେ ଅମଳ ହୋଇଥିଲା। ଚଳିତ ବର୍ଷ ମଧ୍ୟ ସୀମିତ ପରିମାଣରେ ଚାଷ କରାଯାଇଛି। ପରୀକ୍ଷଣ ସଫଳ ହେଲେ ଆଗାମୀ ଖରିଫ ଋତୁରେ ପ୍ରାୟ ଏକ କ୍ୱିଣ୍ଟାଲ ବିହନ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରହିଥିବା ସୂଚନା ଦେଇଛନ୍ତି ଶ୍ରୀ ପଟ୍ଟନାୟକ। କଳା ଗହମର ଔଷଧୀୟ ଗୁଣ ଯୋଗୁଁ ଏହାର ବେଶ ଚାହିଦା ରହିଛି। ଉଚ୍ଚ ରକ୍ତଚାପ, ମଧୂମେହର ନିୟନ୍ତ୍ରଣ ପାଇଁ ଏହା ଅମୋଘ ଅପ ବୋଲି କୁହାଯାଏ। ଏଥିରୁ ପ୍ରସ୍ତୁତ ଅଟା ଗଲୁଟନ ମୁକ୍ତ ହୋଇଥିବାରୁ ମଧୂମେହ ରୋଗୀଙ୍କ ପାଇଁ ଅତି ଉପଯୋଗୀ।ଏବେ କିଲୋ ପ୍ରତି ପ୍ରାୟ ଏକ ଶହ ଟଙ୍କାରେ ବିକ୍ରି ହେଉଛି କଳା ଗହମ। ରାଜ୍ୟର ଏକମାତ୍ର ଜିଲ୍ଲା କନ୍ଧମାଳରେ ଏହି ଚାଷ କରାଯାଉଛି।
ସେହିପରି କଳାବତୀ ନାମରେ ଖ୍ୟାତ କନ୍ଧମାଳ ଜିଲ୍ଲାର କଳା ଧାନ ଜିଲ୍ଲା ପାଇଁ ଅନ୍ୟ ଏକ ପରିଚୟ ସୃଷ୍ଟି କରିଛି। ଉପରୁ ଏହା ସାଧାରଣ ଧାନ ଭଳି ଦେଖା ଯାଉଥିଲେ ବି ଭିତରର ଚାଉଳର ରଙ୍ଗ ସମ୍ପୂର୍ଣ୍ଣ କଳା। ଏଥିରେ ମଧ୍ୟ ରହିଛି କ୍ୟାନସର, ରକ୍ତଚାପ ନିୟନ୍ତ୍ରଣ କରିବାର କ୍ଷମତା। କସମର ପ୍ରୟାସରେ ୨୦୧୮ ମସିହାରେ ମାତ୍ର ୫ କିଲୋ ବିହନରେ ଫିରିଙ୍ଗିଆ, ଚକାପାଦ, ଖଜୁରୀପଡା, ରାଇକିଆ ଅଞ୍ଚଳରେ ପ୍ରୟୋଗାତ୍ମକ ଭାବେ ଚାଷ ଆରମ୍ଭ କରାଯାଇଥିଲା। ଏହି ଧାନର ବିଶେଷତ୍ୱ ହେଲା ଏହା ବର୍ଷକୁ ତିନି ଥର ଚାଷ ହୋଇ ପାରୁଛି। କନ୍ଧମାଳ ଜିଲ୍ଲାର ଢାଲୁଆ ଜମି ଓ ପାଣିପାଗ କଳାଧନ ଚାଷ ପାଇଁ ଅନୁକୂଳ ହୋଇଥିବାରୁ ଏଠାରେ ଏହି ଚାଷ ପାଇଁ ଯଥେଷ୍ଟ ସମ୍ଭାବନା ଥିବା କୃଷି ବିଶେଷଜ୍ଞ କହନ୍ତି। ଚାଷୀଙ୍କ ଠାରୁ ଚାଉଳ ସଂଗ୍ରହ କରି କସମ ବଜାରରେ କିଲୋ ପ୍ରତି ୧୪୦ ଟଙ୍କାରେ ବିକ୍ରି କରୁଛି। ତେବେ ଅନଲାଇନ ମାର୍କେଟରେ କିଲୋ ପ୍ରତି ୩୫୦ ଟଙ୍କାରେ ବିକ୍ରି କରୁଥିବା କହନ୍ତି କସମ ସମ୍ପାଦକ। ଏହି ଚାଉଳରେ ଶର୍କରା ପରିମାଣ ଅତି କମ ରହିଥିବାରୁ ଡାଏବେଟିସ ରୋଗୀଙ୍କ ପାଇଁ ଅତି ଉପାଦେୟ। ସରକାରୀ ପ୍ରୋତ୍ସାହନ ଓ ମାଗଣା ସାର ବିହନ, ସବସିଡି ମିଳିଲେ ଅଧିକ ସଂଖ୍ୟାରେ ଚାଷୀ ଏହାକୁ ଆପଣେଇ ନିଅନ୍ତେ ବୋଲି ମତ ପ୍ରକାଶ ପାଉଛି।