କୋକସରା (ଜଗଦୀଶ ନାଏକ):୧୦ ହଜାର ବର୍ଷ ପୂର୍ବରୁ ଭାରତରେ ଚାଲିଥିବା ଅଭିଚାର ତନ୍ତ୍ରଧାରାର ଏକ କ୍ଷୀଣ ସ୍ରୋତ ଆଜି ମଧ୍ୟ କଳାହାଣ୍ଡିରେ ଦେଖିବାକୁ ମିଳେ। ଆର୍ଯ୍ୟ ସଂସ୍କୃତିର ପ୍ରଭାବରେ ସାରାଭାରତ ବର୍ଷରେ ଅଭିଚାର ତନ୍ତ୍ର ବିଲୀନ ହୋଇଯାଇଥିବା ବେଳେ ଏକ ପ୍ରାଚୀନ ସଂସ୍କୃତିର ମାଟି ଭାବେ କଳାହାଣ୍ଡି ଏହି ଧାର୍ମିକ ଧାରାର ବୈଜୟନ୍ତୀ ଉଡ଼ାଇ ଚାଲିଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣିର ବୁଢ଼ାରଜା ଅଭିଚାର ତନ୍ତ୍ର ଧାରାର ଏକ ବଳିଷ୍ଠ ଦେବତା ଭାବେ ଆଜି ମଧ୍ୟ ଉପାସିତ ହୋଇ ଆସୁଛନ୍ତି।
କଳାହାଣ୍ଡିର ଲୋକଗୀତ ଜାଇଫୁଲ, ମାଏଲାଜାଡ଼, ରସରକେଲି, ଡାଲଖାଇ, ବଜାସାଲ୍, ବାଙ୍ଗିରୀ, ବୋରିଆ, ହୁମୋନନ, ବଉଲି, ଘୁମୁରା, ଦେହାତି, ଛଡରସ, ହଲିଆ ଗୀତ, ଚପକରାଟି ଆଦି ଅସଂଖ୍ୟ ଲୋକ ଗୀତରେ ବୁଢ଼ାରଜାଙ୍କ ମହିମା ରହିଛି। ଅନେକ ଲୋକଗୀତ ଆରମ୍ଭ କରିବା ପୂର୍ବରୁ ବୁଢ଼ାରଜାଙ୍କ ନାମନେଇ ଗାନ କରାଯାଇଥାଏ।
ଯଥା- ଜୁଆର ଗୋ ମା’ ବୁଢ଼ାରଜା ପତରେପାନେ ପୂଜା ତର୍ ନାଁ ଧରି ଗୀତ ଗାଉଚେଁ ‘ସଭାରେ ନକର ଲଜା’ ‘ଜୁଆର୍ ମା’ ଆମର୍ ମାଟପାଟ କେ ‘ଜୁଆର୍ ମା’ ଆମର୍ ମାଟପାଟକେ ଜୁଆର୍ ମା’ କଲାବୁକା ଦେମି ଦୁଆରସନୀକେ ଜୁଆର୍ ମା’ ‘ଆମର ମାଟ ପାଟକେ’ କଳାହାଣ୍ଡିର ପ୍ରାଚୀନ ଧର୍ମଧାରା ପିତୃ ଓ ପ୍ରକୃତିକୁ ଆଧାରକରି ବ୍ୟାପ୍ତ ହୋଇଥିଲା। ଅରଣ୍ୟ ଦେବୀ ପରବର୍ତ୍ତୀ ସମୟରେ କୃଷି ସଂସ୍କୃତିର ଉପାସ୍ୟ ହୋଇ ଯାଇଛନ୍ତି। ତେଣୁ ଏହି ଅଞ୍ଚଳରେ ଦେବତାମାନଙ୍କୁ ମଧ୍ୟ ମା’ ବୋଲି ସମ୍ୱୋଧନ କରାଯାଇଥାଏ। ଲୋକ ବିଶ୍ୱାସ ଅନୁସାରେ ବୁଢ଼ାରଜା ସମସ୍ତ ଦେବତାଙ୍କ ମାମୁଁ ଓ ତାଙ୍କ ଶାଳୀ ହେଉଛନ୍ତି ଦେବୀ ‘ନିଆଲିମଲି’, ତେଣୁ ଲୋକ ଗୀତରେ ନିଆଲିମଲିଙ୍କୁ ଶାଳୀ ଭାବରେ ସମ୍ଭୋଧିତ କରାଯାଇଥାଏ। ଶାଲି ନିଆଲିମଲିର କେଁ ଚଲନ ‘ରାତି ଦେଖା ଦରପନରେ ‘ଶାଲି ନିଆଲିମଲି’ ‘ଶାଲି ନିଆଲି ମଲିର ବାଟରେ ଘର’ ‘ଜୋଏ ମଗା ଲାଗେ ଡରରେ’ ଶାଲି ନିଆଲିମଲି ଏହାର ପଦ୍ୟ ପ୍ରମାଣ।
କଳାହାଣ୍ଡିର ଜନ ମାନସରେ ଏକ ପ୍ରତ୍ୟକ୍ଷ ଦେବତା ଭାବରେ ପୂଜା ପାଇ ଆସୁଥିବା ବୁଢ଼ାରଜାଙ୍କ ପାଖରେ ନିଜର ଦୁଃଖ କଥା ଜଣାଇବା ପାଇଁ ଅନେକ ଦୂରଦୂରାନ୍ତରୁ ଲୋକମାନେ ଆସିଥାନ୍ତି। ବୁଢ଼ାରଜାଙ୍କ ପ୍ରତିନିଧି ଭାବରେ ମନ୍ଦିରର ପୂଜକ ସେମାନଙ୍କ ସମସ୍ୟାର ସମାଧାନ କରିଥାନ୍ତି। ବର୍ଷକୁ ଥରେ ବୁଢ଼ାରଜାଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହା ‘ବୁଢ଼ାରଜା ଦଶରା’ ନାମରେ ଖ୍ୟାତ।
ଲୋକ ସଂସ୍କୃତି ଗବେଷକ ମାନଙ୍କ ମତରେ ବୁଢ଼ାରଜାଙ୍କ ଦଶରା ବର୍ତ୍ତମାନର ଦଶହରା ପର୍ବ ଠାରୁ ବହୁତ ପୁରୁଣା। ବୁଢ଼ାରଜା କଳାହାଣ୍ଡିରେ ପ୍ରାଚୀନ ଧର୍ମ ଧାରାର ମୁଖ୍ୟ ଦେବତା ଭାବେ ରହି ଥିବାବେଳେ ପାର୍ଶ୍ବ ଦେବଦେବୀ ଭାବେ ଭୀମା, ଜାଡେନ, ମାଉଳୀ, ବସ୍ତେରେନ, ଜେନାବୁଡା, ଡଙ୍ଗରବୁଡା, କବଡା, ଦୁଆରଶନୀ, ମାନେକଶରୀ, ବାଆଦୀ, ମା’ ଠାକୁରାଣୀ, ଭୈରବ, ଗରବରାଇ, ଚଅଁରୀଆ, ଭଣ୍ଡାରଘରେଣୀ ଆଦି ପୂଜା ପାଇଥାନ୍ତି। ବୁଢ଼ାରଜାଙ୍କ ମୁଖ୍ୟ ବିଗ୍ରହରେ ଶୁକ୍ଳଭୋଗ ଲାଗୁଥିବାବେଳେ ପାର୍ଶ୍ବ ଦେବା ଦେବୀମାନଙ୍କୁ ମଦ୍ୟ ଓ ବଳିପ୍ରଦାନ କରାଯାଇଥାଏ। ଯେଉଁମାନଙ୍କ କୌଣସି ସନ୍ତାନ ସନ୍ତତି ନଥାଏ ସେମାନେ ବୁଢ଼ାରଜାଙ୍କ ପାଖରେ ଗୁହାରି କରିବା ସହିତ ମନ୍ଦିର ସାମ୍ନାରେ ଥିବା ସ୍ୱେତ ବୃକ୍ଷର ଚାରିପଟେ ବୁଲି ଶିରାଙ୍କ ଠାରୁ ଆଶୀର୍ବାଦ ନେଲେ ତାଙ୍କର ମନସ୍କାମନା ପୂର୍ଣ୍ଣ ହୋଇ ନିଶ୍ଚିତ ଭାବରେ ସନ୍ତାନ ପ୍ରାପ୍ତି ହୋଇଥାଏ। ଏହି ବିଶ୍ୱାସ ବଳବତ୍ତର ଥିବାରୁ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସମେତ ପଡୋଶୀ ଛତିଶଗଡ଼ ରାଜ୍ୟରୁ ଅନେକ ମାନସିକ ନାରୀମାନେ ବୁଢ଼ାରଜାଙ୍କ ଦଶରା ସମୟରେ ଆସି ତାଙ୍କ ପାଖରେ ଭୋଗରାଗ କରିଥାନ୍ତି। ବୁଢ଼ାରଜାଙ୍କ ଉତ୍ପତ୍ତି କଥନ ସମ୍ୱନ୍ଧରେ ଅନେକ କିମ୍ୱଦନ୍ତୀ ରହି ଥିବାବେଳେ ଏହା ଅପୂର୍ଣ୍ଣ ମନେହୁଏ। ବର୍ତ୍ତମାନ ରାଜ୍ୟ ସରକାର ଏହାର ସୌନ୍ଦର୍ଯ୍ୟକରଣ ପାଇଁ ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦେଇଛନ୍ତି। ଅଭିଚାର ତନ୍ତ୍ର ଧାରାର ଏହି ମହାନ ଦେବତା ବୁଢ଼ାରଜାଙ୍କ ବିଷୟରେ ଅଧିକ ଗବେଷଣା କଲେ ଏହା ଓଡ଼ିଶା କାହିଁକି ସାରା ଭାରତରେ ପ୍ରାଚୀନ ଧର୍ମ ଧାରାର ନୂତନ ଦିଗନ୍ତ ଦେଖାଇବ।