କେନ୍ଦୁଝର: ଗିରଫ ହେଲେ କେନ୍ଦୁଝର ସହକାରୀ ଖଣି ଅଧିକାରୀ ପଦ୍ମନାଭ ହୋତା । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଦ୍ମନାଭ ହୋତାଙ୍କୁ ଗିରଫ କଲା ଭିଜିଲାନ୍ସ ବିଭାଗ । ପ୍ରକୃତ ଆୟଠାରୁ ୧୬୭% ଅଧିକ ସମ୍ପତ୍ତି ଠାବ କଲା ଭିଜିଲାନ୍ସ । ପଦ୍ମନାଭ ହୋତାଙ୍କ ବିପୁଳ ସମ୍ପତ୍ତି ଦେଖି ଭିଜିଲାନ୍ସ ବିଭାଗ ତଟକା । ଭୁବନେଶ୍ୱରରେ ୫୮୦୦ ବର୍ଗଫୁଟର ଗୋଟିଏ ୪ ମହଲା କୋଠା ରହିଛି । କେନ୍ଦୁଝର ଓ ଯାଜପୁରରେ ବହୁତଳ କୋଠା, ପୁରୀରେ ୨ ବେନାମୀ ଫ୍ଲାଟ ବି ରହିଛି । ଭୁବନେଶ୍ୱରରେ ୪ଟି ପ୍ଲଟ ସହ ମୋଟ୍ ୧୫ ପ୍ଲଟ୍ ଠାବ । ୫ ଏକର ଫାର୍ମ ହାଉସ ଓ ଏଥିରେ ୭୦ ଲକ୍ଷର ସାମଗ୍ରୀ ଠାବ । ୫୪ ଲକ୍ଷର ବ୍ୟାଙ୍କ ଜମା, ବୀମା, ମ୍ୟୁଚୁଆଲ ଫଣ୍ଡ ଆଦି ଠାବ ହୋଇଛି । ୩୦୦ ଗ୍ରାମ ସୁନା, ଗୋଟିଏ ଚାରି ଚକିଆ, ଦୁଇଟି ବାଇକ ମିଳିଲା । ୨୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଘରକରଣା ସାମଗ୍ରୀ ଠାକ କଲା ଭିଜିଲାନ୍ସ ।
ଭିଜିଲାନ୍ସ ଚଢ଼ାଉ ସମୟରେ ଶ୍ରୀ ହୋତା ଏତେ ସଂପତ୍ତି କେମିତି ଠୁଳ କରିପାରିଲେ, ତା’ର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଫଳରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ତାଙ୍କ ବିରୋଧରେ ଅଧିକ ତଦନ୍ତ ଜାରି ରହିଛି। ସୂଚନାଯୋଗ୍ୟ, ଗତକାଲି ଆୟ ବହିର୍ଭୂତ ସଂପତ୍ତି ଠୁଳ କରିବା ଅଭିଯୋଗରେ କେନ୍ଦୁଝରର କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଭୁବନେଶ୍ୱର, କେନ୍ଦୁଝର, ଯାଜପୁର ଓ ଭବାନୀପାଟଣା ସ୍ଥିତ ୭ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ସେ ପୁଳା ପୁଳା ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା।