ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଲଜ୍ଜ୍ୟା । ରୋଗୀଙ୍କ ସହ ଆସିଥିବା ନାବାଳିକା ଆଟେଣ୍ଡାଣ୍ଟଙ୍କୁ ଦୁଷ୍କର୍ମ ଅଭିଯୋଗ । ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ସହଯୋଗୀ ଭାବେ ଆସିଥିବା ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଜଣେ ମହିଳାଙ୍କ ସମେତ ୩ ଗିରଫ ଜଣଙ୍କୁ ବାନ୍ଧିଲା ପୋଲିସ ।
ସୂଚନା ଅନୁଯାୟୀ, ନାବାଳିକା ଜଣକ ନିଜ ଖୁଡ଼ୀଙ୍କ ସହ ତାଙ୍କ କାକାଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା ଆସିଥିଲେ। ମୁଖ୍ୟ ଅଭିଯୁକ୍ତ, ବୁରୋମାଲ ଅଞ୍ଚଳର ରାଜା ବେସନ (୨୪), ନାବାଳିକା ଜଣକ ଡାକ୍ତରଖାନାରେ ଏକା ଥିବା ଦେଖି ଜୋର ଜବରଦସ୍ତ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଥିପାଇଁ ରାଜାଙ୍କୁ ସ୍ଥାନୀୟ ଅଞ୍ଚଳର ଆକାଶ ପ୍ରଧାନ ଏବଂ ତୃପ୍ତି ନାଏକ ନାମକ ଜଣେ ଯୁବତୀ ସହଯୋଗ କରିଥିଲେ ।
ଅଭିଯୋଗ ପାଇବା ପରେ ଏୟାରପୋର୍ଟ ଥାନା ପୋଲିସ ତଦନ୍ତ ଆରମ୍ଭ କରି ଆକାଶ ଏବଂ ତୃପ୍ତିଙ୍କୁ ବୁରୋମାଲରୁ ଗିରଫ କରିଥିଲା। ପରେ ମୁଖ୍ୟ ଅଭିଯୁକ୍ତ ରାଜା ମଧ୍ୟ ପୋଲିସ ହାତରେ ଧରାପଡ଼ିଥିଲା। ତିନି ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଆଇନ (POCSO Act) ର ବିଭିନ୍ନ ଦଫା ଲଗାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୋଲିସ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା କରାଇବା ସହ ଘଟଣାର ଅଧିକ ସୂଚନା ପାଇଁ ତଦନ୍ତ ଜାରି ରଖିଛି ।