ଜଗତସିଂହପୁର: ଜଗତସିଂହପୁର କାଠିଆପଡ଼ା ଗାଁରେ ନିର୍ବନ୍ଧ ପରଦିନ ପ୍ରେମିକାକୁ ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ । ସୁପାରୀ କିଲର ଲାଲୁ ଯାଦବକୁ ବିହାରରୁ ଗିରଫ ପରେ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଜଗତସିଂହପୁର ଏସପି ଅଙ୍କିତ ବର୍ମା । ପ୍ରେମିକାକୁ ହତ୍ୟା ପାଇଁ ୨ଲକ୍ଷ ଟଙ୍କାର ସୁପାରୀ ଦେଇଥିଲା ପ୍ରେମିକ ସୂର୍ଯ୍ୟକାନ୍ତ ସ୍ୱାଇଁ । ପ୍ରେମିକାର ଅନ୍ୟତ୍ର ନିର୍ବନ୍ଧ ହୋଇଯିବାରୁ ବିହାରର ସୁପାରୀ କିଲର ସହ ମିଶି ହତ୍ୟା କରିଥିଲା ସୂର୍ଯ୍ୟକାନ୍ତ ।
ସୂଚନାଯୋଗ୍ୟ, ପ୍ରେମିକା ସସ୍ମିତା ଦାସଙ୍କର ଅନ୍ୟତ୍ର ନିର୍ବନ୍ଧ ହେବା ପରେ ଗତ ମାସ ୨୦ତାରିଖ ତଥା ନିର୍ବନ୍ଧ ପରଦିନ ସସ୍ମିତାଙ୍କୁ ତାଙ୍କର ପୂର୍ବତନ ପ୍ରେମିକ ସୂର୍ଯ୍ୟକାନ୍ତ ସ୍ୱାଇଁ ଘର ପାଖ ବିଲକୁ ଡାକି ସୁପାରୀ କିଲର ସହ ମିଶି ଅତି ନିର୍ମମ ଭାବରେ ହତ୍ୟା କରିଥିଲା । ହତ୍ୟାକାଣ୍ଡ ପରେ ଉଭୟ ଫେରାର ହୋଇଯାଇଥିବା ବେଳେ ଜାମସେଦପୁରରୁ ହତ୍ୟାକାରୀ ପ୍ରେମିକ ସୂର୍ଯ୍ୟକାନ୍ତ ସ୍ୱାଇଁକୁ ଦୁଇ ଦିନ ମଧ୍ୟରେ ଗିରଫ କରିଥିଲା ପୁଲିସ । ପରେ ସୁପାରୀ କିଲର ଲଲୁ କୁମାରଙ୍କୁ ବିହାରରୁ ଗିରଫ କରାଯାଇଛି ।
ପ୍ରେମିକ ସୂର୍ଯ୍ୟକାନ୍ତ ସ୍ବାଇଁ ଏବଂ ସୁପାରୀ କିଲର ଲାଲୁ ଯାଦବ ଗୋଟିଏ ଅଟୋୱାର୍କସ ସଂସ୍ଥାରେ କାମ କରନ୍ତି । ସୂର୍ଯ୍ୟକାନ୍ତ ପ୍ରେମିକା ଠାରୁ ଧୋକା ପାଇବା ଯୋଗୁଁ ପ୍ରେମିକା ସସ୍ମିତାଙ୍କୁ ହତ୍ୟା କରିବା ପାଇଁ ଲାଲୁକୁ ଦୁଇ ଲକ୍ଷ ଟଙ୍କାର ସୁପାରୀ ଦେବାକୁ ଡିଲ୍ ହେବା ସହିତ ୨୦ ହଜାର ଆଡଭାନ୍ସ ଦେଇଥିଲା ସୂର୍ଯ୍ୟକାନ୍ତ । ଥରେ ଉଦ୍ୟମ କରି ବିଫଳ ହେବା ପରେ ଗତ ୨୦ ତାରିଖ ଦିନ ହତ୍ୟା କରିବାରେ ସଫଳ ହୋଇଥିଲେ । ତେବେ ସୁପାରୀ କିଲର ଠାରୁ ଗୋଟିଏ ହ୍ୟୁଣ୍ଡାଇ କାର୍, ଗୋଟିଏ ମୋବାଇଲ, ଏଟିଏମ୍ କାର୍ଡ, ଆଧାର କାର୍ଡ ଆଦି ଜବତ କରିଛି ପୋଲିସ ।