ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ୫ମ ଦିନ । ତେବେ ଆଜି ସ୍ୱାଭାବିକ ଭାବେ ଚାଲିଛି ଗୃହ କାର୍ଯ୍ୟ। ବିଧାୟକ ନିତ୍ୟାନନ୍ଦ ଗଣ୍ଡ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କୁ ଏକ ପ୍ରଶ୍ନ କରିଥିଲ। ରାଜ୍ୟରେ ସାପକାମୁଡାରେ, ବଜ୍ରପାତରେ, ବାଘ ଓ କୁମ୍ଭୀର ଖାଇ ମାରିଦେବା, ହାତୀ ଆକ୍ରମଣରେ କେତେ ଜଣ ଗତ ୨ ବର୍ଷ ମଧ୍ୟରେ ମୃତ୍ୟୁବରଣ କରିଛନ୍ତି । ସେବାବଦକୁ ସରକାର କ୍ଷତିପୂରଣ ଓ ଅନୁକମ୍ପାମୂଳକ ସହାୟତା ରାଶି କେତେ ଜଣଙ୍କୁ କେତେ ଟଙ୍କା ଲେଖାଏଁ ଅନୁଦାନ ଦେଇଛନ୍ତି।
ଏହାର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିକହିଥିଲେ ଯେ, ବିଗତ ୨ ବର୍ଷ ମଧ୍ୟରେ (୨୦୨୧- ୨୨ ରୁ ୨୦୨୨-୨୩) ରାଜ୍ୟରେ ସାପ କାମୁଡାରେ ୧୩୩୬ ଜଣ ମୃତ୍ୟୁବରଣ କରିଥିବା ବେଳେ ୪୨୪ ଜଣ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ପାଣ୍ଡିରୁ କ୍ଷତିଗ୍ରସ୍ତ ପରିବାରକୁ ଜଣଙ୍କ ପିଛା ୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଅଛି ।
ପାଣିରେ ବୁଡି ମୃତ୍ୟୁବରଣ କଲେ ସରକାର ଜଣଙ୍କ ପିଛା ୪ ଲକ୍ଷ ଟଙ୍କା ଲେଖାଏଁ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରୁଛନ୍ତି । ଆତ୍ମହତ୍ୟା କରିବା ପାଇଁ ନଦୀକୁ ଡେଇଁବା ଜନିତ ମୃତ୍ୟୁ ଏବଂ ବିଷଖାଇ ମୃତ୍ୟୁବରଣ କଲେ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ କୌଣସି ସହାୟତା ରାଶି ପ୍ରଦାନ କରାଯାଇ ନ ଥାଏ ।
ବିଗତ ୨ ବର୍ଷ ମଧ୍ୟରେ (୨୦୨୧-୨୨ ରୁ ୨୦୨୨-୨୩) ବାଘ ଆକ୍ରମଣରେ କେହି ମୃତାହତ ହୋଇନଥିବା ବେଳେ, କୁମ୍ଭୀର ଆକ୍ରମଣରେ ୧୧ ଜଣ ଓ ହାତୀ ଆକ୍ରମଣରେ ୨୫୯ ଜଣ ମୃତ୍ୟୁବରଣ କରିଛନ୍ତି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପ୍ରତ୍ୟେକ ମୃତ ବ୍ୟକ୍ତିପିଛା ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଅଛି । ଚଳିତ ବର୍ଷ ‘ମଇ’୨୨ ଠାରୁ ଅନୁକମ୍ପାମୂଳକ ସହାୟତା ରାଶି ୪ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି ।