ଭୁବନେଶ୍ୱର: ୨୦୧୫ରୁ ୨୦୨୫। ଓଡ଼ିଶା ଶିଳ୍ପ ଯୁଗରେ ଆଣିଥିଲା ସୁବର୍ଣ୍ଣ ଦଶନ୍ଧି। ରାଜ୍ୟରେ ନିବେଶ, ଶିଳ୍ପାୟନ ଆଦି କ୍ଷେତ୍ରରେ ଓଡ଼ିଶା ଏହି ଦଶନ୍ଧିରେ ଅପୂର୍ବ ସଫଳତା ହାସଲ କରିବା ସହ ସାରା ଦେଶରେ ଶୀର୍ଷସ୍ଥାନ ଅଧିକାର କରିଛି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ସଫଳତାକୁ ସ୍ୱୀକୃତି ଦେଇଛି ଜାତୀୟସ୍ତରର ସଂସ୍ଥା। ଇନଭେଷ୍ଟମେଣ୍ଟ ଇନଫରମେସନ ଆଣ୍ଡ୍ କ୍ରେଡିଟ ରେଟିଂ(ଆଇସିଆରଏ) ରିପୋର୍ଟ ଅନୁଯାୟୀ ଗତ ଏକ ଦଶକ ଅର୍ଥାତ୍ ୨୦୧୫ରୁ ୨୦୨୪ ମସିହା ମଧ୍ୟରେ ଶିଳ୍ପ କ୍ଷେତ୍ରରେ ଚମକପ୍ରଦ, ଶ୍ରେଷ୍ଠ ଉପଲବ୍ଧି ହାସଲ କରିପାରିଛି। ଏହି ଦଶନ୍ଧ ମଧ୍ୟରେ ଓଡ଼ିଶାର ଇଣ୍ଡଷ୍ଟ୍ରିଆଲ ଗ୍ରସ ଷ୍ଟେଟ ଭ୍ୟାଲୁ ଆଡେଡ (ଜିଏସଭିଏ)/ସକଳ ରାଜ୍ୟ ମୂଲ୍ୟଯୁକ୍ତ ଅଭିବୃଦ୍ଧି ବାର୍ଷିକ ୧୦ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ଯାହା ସାରା ଦେଶରେ ସର୍ବାଧିକ। ଆଇସିଏଆର ପ୍ରକାଶିତ ରିପୋର୍ଟକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି ଓ ଓଡ଼ିଶାର ରୂପାନ୍ତରଣ ଯାତ୍ରାରେ ସହଭାଗୀ ହୋଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟାଦ ଜଣାଇଛନ୍ତି। ଓଡ଼ିଶାର ଏହି ଅଭିବୃଦ୍ଧି ହାର ଦେଶରେ ସର୍ବାଧିକ ବୋଲି ଜଣାପଡ଼ିଛି। ଓଡ଼ିଶାରେ ଏହି ସଫଳତାକୁ ନେଇ ବେଶ୍ ଖୁସି ପ୍ରକଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଗତ ଦଶନ୍ଧିରେ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ପାଇଁ ପୂର୍ବ ବିଜେଡି ସରକାର ଏକାଧିକ ନିଷ୍ପତ୍ତି ନେଇଥିଲେ। ସ୍ୱତନ୍ତ୍ର ଶିଳ୍ପ ନୀତି ସହ ଶିଳ୍ପ ପ୍ରସ୍ତାବଗୁଡ଼ିକର ସଅଳ ଏବଂ ତ୍ୱରିତ୍ ଢଙ୍ଗରେ କାର୍ଯ୍ୟନ୍ୱୟନ ପାଇଁ ସରକାର ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାର ପ୍ରଚଳନ କରିଥିଲେ। ରାଜ୍ୟରେ ଶୃଙ୍ଖଳିତ ଆଇନ ବ୍ୟବସ୍ଥା ସହ ଶିଳ୍ପ ନୀତିରେ ଏକାଧିକ ଆକର୍ଷଣୀୟ ସୁବିଧା ସୁଯୋଗ ଦେଶ, ବିଦେଶର ପ୍ରତିଷ୍ଠିତ ଶିଳ୍ପପତିଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବାରେ ସକ୍ଷମ ହୋଇଥିଲା। ଫଳରେ ପୂର୍ବ ବିଜେଡି ସରକାର ଓଡ଼ିଶାରେ ଆରମ୍ଭ କରିଥିବା ମେକ୍ ଇନ୍ ଓଡ଼ିଶା ଅଭିଯାନକୁ ଆଖିଦୃଶିଆ ସଫଳତା ମିଳିଥିଲା। ଯାହାକୁ ଆଇସିଆରଏଏଲ ଏହି ରିପୋର୍ଟ ସ୍ପଷ୍ଟ ଭାବେ ସ୍ୱୀକାର କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏ ନେଇ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ଗତ ସରକାର ମେକ୍ ଇନ୍ ଓଡ଼ିଶା ମାଧ୍ୟମରେ ନିବେଶକଙ୍କୁ ଆକୃଷ୍ଟ କରିବାକୁ ଭରପୁର ଉଦ୍ୟମ କରିଥିବା ବେଳେ ରାଜ୍ୟରେ ଶିଳ୍ପ ବାତାବରଣର ଅଭିବୃଦ୍ଧି ପାଇଁ ଏକାଧିକ ପଦକ୍ଷେପ ନେଇଥିଲେ। ଯାହାଫଳରେ ୨୦୨୪ରେ ଜିଏସଭିଏ(ଗ୍ରସ ଷ୍ଟେଟ ଭ୍ୟାଲୁ ଆଡେଡ)ରେ ଶିଳ୍ପ ସେୟାର ୫୧ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା। ଯାହା ଦେଶରେ ସର୍ବାଧିକ ବୋଲି ନବୀନ ଉଲ୍ଲେଖ କରିଛନ୍ତି। ସେହିପରି ସ୍ଥିର ମୂଲ୍ୟରେ ଜିଏସଭିଏ ଅଭିବୃଦ୍ଧି ୭ ପ୍ରତିଶତରୁ ଅଧିକ ରହିଛି। ଏହି ଅବିବୃଦ୍ଧି ସାରା ଦେଶରେ ଦ୍ୱିତୀୟ ସର୍ବାଧିକ ହୋଇଥିବା ବେଳେ ସମାନ ଅବଧିରେ ଦେଶର ଅଭିବୃଦ୍ଧି ୫.୮ ପ୍ରତିଶତ ରହିଛି। ନବୀନ କହିଛନ୍ତି ଯେ ଏହି ନିରନ୍ତର ଶିଳ୍ପ ଅଭିବୃଦ୍ଧି କେବଳ ଓଡ଼ିଶାର ଅର୍ଥନୀତିରେ ରୂପାନ୍ତରଣ ଆଣିନାହିଁ ବରଂ ଲୋକଙ୍କ ପାଇଁ ସମୃଦ୍ଧି ଆଣିପାରିଛି। ସାଢେ଼ ୪ କୋଟି ଓଡ଼ିଶାବାସୀଙ୍କ ସହଯୋଗ ବିନା ଏହା ସମ୍ଭବପର ହୋଇପାରିନଥାନ୍ତା। ଏହି ରୂପାନ୍ତରଣ ଯାତ୍ରାରେ ସହଯାତ୍ରୀ ହୋଇଥିବାରୁ ନବୀନ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ କେବଳ ଶିଳ୍ପ ଅଭିବୃଦ୍ଧି ନୁହେଁ, ବରଂ ନିବେଶ ପ୍ରସ୍ତାବ ପ୍ରାପ୍ତିରେ ମଧ୍ୟ ଓଡ଼ିଶା ବିଭିନ୍ନ ସମୟରେ ଦେଶରେ ଏକ ନମ୍ବର ସ୍ଥାନରେ ରହି ଆସିଛି। ୨୦୨୩ ମସିହାରେ ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ୨୦୨୩ ବର୍ଷରେ ସାରା ଦେଶର ବିଭିନ୍ନ ରାଜ୍ୟକୁ ୫ ଲକ୍ଷ ୧୦ ହଜାର ୮୫୨ କୋଟି ନିବେଶ ପ୍ରସ୍ତାବ ଆସିଥିବା ବେଳେ, ଏଥିରୁ ଓଡ଼ିଶାକୁ ସର୍ବାଧିକ ୨ ଲକ୍ଷ ୧୦ ହଜାର ୮୩୭ କୋଟି ଟଙ୍କାର ପ୍ରସ୍ତାବ ମିଳିଥିଲା। ଯାହା ମୋଟ ନିବେଶ ପ୍ରସ୍ତାବର ପ୍ରାୟ ୪୦ ପ୍ରତିଶତ ଥିଲା। ସେହିପରି ଶିଳ୍ପ ଅନୁକୂଳ ବାତାବରଣ କ୍ଷେତ୍ରରେ ଓଡ଼ିଶା ବିଭିନ୍ନ ସମୟରେ ଦେଶରେ ପ୍ରମୁଖ ରାଜ୍ୟମାନଙ୍କ ତାଲିକାରେ ପ୍ରତମ ୫ ରାଜ୍ୟ ମଧ୍ୟରେ ରହିଆସିଛି। ଯାହା ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱ, ୫-ଟି ଉପକ୍ରମର ପ୍ରଭାବ ଏବଂ ଶୃଙ୍ଖଳିତ ପ୍ରଶାସନିକ ନିଷ୍ପତ୍ତି ପାଇଁ ସମ୍ଭବ ହୋଇପାରିଥିଲା ବୋଲି ବିଶେଷଜ୍ଞ ମହଲ ମତପ୍ରକାଶ କରନ୍ତି।
Odisha’s industrial growth is the best in the country