ଗଞ୍ଜାମରେ ବିଜେଡ଼ିର ମିଶ୍ରଣ ପର୍ବ : ଗୋଳନ୍ଥରା ଓ ମନ୍ତ୍ରୀଡ଼ି ସରପଞ୍ଚଙ୍କ ସମେତ ବିଜେଡିରେ ମିଶିଲେ ଶତାଧିକ ବିଜେପି କର୍ମୀ

ବ୍ରହ୍ମପୁର/ଗୋପାଳପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହିଁ । ଏହି ଚିନ୍ତାଧାରାକୁ ଦେଖି ବର୍ତ୍ତମାନ ସାରା ରାଜ୍ୟର ଲୋକ ବିଜେଡି ପ୍ରତି ନିଜର ଆନୁଗତ୍ୟ ଦେଖାଇ ଦଳରେ ସାମିଲ ହେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହେଉଛନ୍ତି ବୋଲି ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ(ବବି ଦାସ) ନୂତନ ଭାବେ ଦଳରେ ସାମିଲ ହୋଇଥିବା ନେତା ଓ କର୍ମୀଙ୍କୁ ଶପଥ […]

ବ୍ରହ୍ମପୁର/ଗୋପାଳପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହିଁ । ଏହି ଚିନ୍ତାଧାରାକୁ ଦେଖି ବର୍ତ୍ତମାନ ସାରା ରାଜ୍ୟର ଲୋକ ବିଜେଡି ପ୍ରତି ନିଜର ଆନୁଗତ୍ୟ ଦେଖାଇ ଦଳରେ ସାମିଲ ହେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହେଉଛନ୍ତି ବୋଲି ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ(ବବି ଦାସ) ନୂତନ ଭାବେ ଦଳରେ ସାମିଲ ହୋଇଥିବା ନେତା ଓ କର୍ମୀଙ୍କୁ ଶପଥ କରାଇଥିଲେ । ଭିଡିଓ କଲ୍‌ ମାଧ୍ୟମରେ ସେ ଏହି ମିଶ୍ରଣ ପର୍ବରେ ଯୋଗଦେଇ ନେତା ଏବଂ କର୍ମୀଙ୍କୁ ଉତ୍ସାହିତ କରିଥିଲେ । ରବିବାର ଗୋପାଳପୁର ନିର୍ବାଚନ ମଣ୍ଡଳିର ରଙ୍ଗେଇଲୁଣ୍ଡା ବ୍ଲକ୍‌ ଭୈରବୀ ମନ୍ଦିର ପ୍ରାଙ୍ଗଣରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପିର ଶତାଧିକ କର୍ମୀଙ୍କ ସମେତ ମନ୍ତ୍ରୀଡ଼ି ଏବଂ ଗୋଳନ୍ଥରା ପଞ୍ଚାୟତର ସରପଞ୍ଚ ଏହି ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ । ନବୀନଙ୍କ ବିକାଶପଥକୁ ଆଗକୁ ନେବା ସହ ନିଜ ଅଞ୍ଚଳର ବିକାଶ କରିବେ ବୋଲି ଦୁହେଁ ନିଷ୍ପତ୍ତି ନେଇଥିବା କହିଛନ୍ତି ।ମନ୍ତ୍ରୀଡି ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ଦାସ ବିଜେପି ଦଳ ଛାଡି ନିଜର ଶତାଧିକ କମିଙ୍କ ସହ ବିଜେଡିରେ ଯୋଗଦାନ କରିଛନ୍ତି । ସେହି ପରି ଗୋଳନ୍ଥରା ସରପଞ୍ଚ ସଶ୍ମିତା ଜେନା ଓ ବିଭିନ୍ନ ପଞ୍ଚାୟତର ବିଜେପି ନେତା ଓ ସମାଜସେବୀ ପ୍ରମୁଖ ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଗୋପବନ୍ଧୁ ଦାଶଙ୍କ ସମେତ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ରାଜ୍ୟ ଶ୍ରମିକ ବୋର୍ଡ ଅଧ୍ୟକ୍ଷ ତଥା ରାଜ୍ୟସଭା ସଦସ୍ୟ ସୁବାଷ ସିଂ, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମଞ୍ଚାସୀନ ହୋଇଥିଲେ । ଅତିଥିମାନେ ନୂତନ ଭାବେ ବିଜେଡିରେ ସାମିଲ ହୋଇଥିବା ନେତା ଏବଂ କର୍ମୀଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରାଇଥିଲେ । କାର୍ଯ୍ୟକ୍ରମରେ ଉକ୍ତ ଅଞ୍ଚଳର ପ୍ରାୟ ଦୁଇ ହଜାରରୁ ଊଦ୍ଧ୍ୱର୍ କର୍ମୀ ଓ ନେତା ଉପସ୍ଥିତ ରହିଥିଲେ । ଏହି ମିଶ୍ରଣ କାର୍ଯ୍ୟକ୍ରମକୁ ୫୫ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଦସ୍ୟ ଶଶିଭୂଷଣ ମହାନ୍ତି ଏବଂ ଜିଲ୍ଲା ଉପସଭାପତି ସିଏଚ୍‌.ଦିଲେଶ୍ୱର ରେଡ୍ଡୀ ମଞ୍ଚ ପରିଚାଳନା କରିଥିଲେ । ବିଜେଡି ବ୍ଲକ୍‌ ସଭାପତି ଅଜିତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ବଡମ୍ବା ବିଧାୟକ ଏତେ ବଡ଼ ମିଶ୍ରଣ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇ ନିଜକୁ ଗର୍ବ ଅନୁଭବ କରୁଥିବା କହିବା ସହ ନୂତନ ନେତା ଏବଂ କର୍ମୀଙ୍କୁ ସ୍ୱାଗତ କରିଥିଲେ । ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି ସମସ୍ତଙ୍କ ନଜର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଉପରେ ରହିଛି । ତେଣୁ ସମସ୍ତେ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ଏବଂ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଉପସ୍ଥିତ କର୍ମୀ ଏବଂ ନେତାଙ୍କୁ ଗୋପବନ୍ଧୁ ଦାଶ ପରାମର୍ଶ ଦେଇଥିଲେ ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସିଏଚ୍‌.ଭରତ ପାତ୍ର, ବ୍ଲକ୍‌ ଅଧ୍ୟକ୍ଷା ସିଏଚ୍‌.ଉଷାରାଣୀ, ଜିଲ୍ଲା ପରିଷଦ ମଞ୍ଜୁଶ୍ରୀ ଦଳେଇ, ବ୍ଲକ ଯୁବ ବିଜେଡି ସଭାପତି ବିନୋଦ କୁମାର ମହାଙ୍କୁଡ଼, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର କୋଠିଆ, ବ୍ଲକ୍‌ ମହିଳା ସଭାନେତ୍ରୀ ପି.କମଳା ରେଡ୍ଡୀ, ହଳଦିଆପଦର ସରପଞ୍ଚ ରାଜଶ୍ରୀ ଦୋରା, ଯୁବନେତା ଅଜିତ ରାଉଳ, ମିଳେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ଅନୁଜ ନାୟକ, ବ୍ଲକ ଉପସଭାପତି ପ୍ରକାଶ ଚନ୍ଦ୍ର ସାମନ୍ତ, ବ୍ଲକ କୋଷାଧ୍ୟକ୍ଷ ନୀଳମାଧବ ପାତ୍ର, ଦଣ୍ଡପାଣି ପାଣିଗ୍ରାହୀ, ଡି.ଚିନ୍ତାମଣି, ସରପଞ୍ଚ ବିଷ୍ଣୁୁପ୍ରୀୟା ନାୟକ, ସ୍ୱର୍ଣ୍ଣମୟୀ ପାଢୀ, ରାଜ୍ୟ ସମ୍ପାଦକ ମୁନା ନାୟକ, ଯୁବ ନେତା ବଳରାମ ଦଳେଇ, ବିଭୁତି ଭୂଷଣ ଲେଙ୍କା ପ୍ରମୁଖ ଉପସ୍ଥିତ ରହିଥିଲେ ।

About The Author: The Sakala