ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ଭୁବନେଶ୍ୱର: ଆଜି ସୁପ୍ରିମକୋର୍ଟରେ ହେବାକୁ ଯାଉଛି ରାଜ୍ୟ ପୁଲିସ ଡିଜି ନିଯୁକ୍ତି ମାମଲାର ଶୁଣାଣି। ଗତ କିଛି ସପ୍ତାହ ହେଲା ରାଜ୍ୟରେ ଡିଜିପି ପଦକୁ ନେଇ ଲାଗି ରହିଥିବା ବିବାଦ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ରାୟ ଅନେକ ଗୁରୁତ୍ୱ ବହନ କରୁଛି। ତେଣୁ ରାଜ୍ୟର ନଜର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ନିବଦ୍ଧ ହୋଇଛି । ଗତ ଅଗଷ୍ଟ ୧୬ ତାରିଖରେ ତତ୍‌କାଳୀନ ପୁଲିସ ଡିଜି ୱା.ବି ଖୁରାନିଆ ଅବସର ନେଇଥିଲେ। ଏହାପୂର୍ବରୁ ରାଜ୍ୟ ସରକାର କିଛି ବରିଷ୍ଠ ଆଇପିଏସ୍‌ ଅଫିସରଙ୍କ ନାମ ୟୁପିଏସ୍‌ସିକୁ ପଠାଇଥିଲେ। ୟୁପିଏସ୍‌ସି ଏମାନଙ୍କ ମଧ୍ୟରୁ ୩ଟି ନାମ ରାଜ୍ୟ ସରକାରଙ୍କ ପାଖକୁ ପଠାଇଥାନ୍ତା। ଏହି ୩ ଜଣଙ୍କ ମଧ୍ୟରୁ ଜଣେ ରାଜ୍ୟରେ ପରବର୍ତ୍ତୀ ପୁଲିସ ଡ଼ିଜି ହୋଇଥାଆନ୍ତେ । ମାତ୍ର ଏହାପୂର୍ବରୁ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ୟୁପିଏସ୍‌ସି ଭବନରେ ଓଡ଼ିଶା ଡିଜି ମନୋନୟନ ନିମନ୍ତେ ଅନୁଷ୍ଠିତ ବୈଠକରେ ଉପୁଜିଥିବା ବିବାଦ ଏଥିରେ ବାଧକ ହୋଇଥିଲା। 

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି.ଚିଦାମ୍ବରମ୍‌ ଯୁକ୍ତି କରିଥିଲେ ଯେ ଓଡ଼ିଶା ସରକାର ଡିଜି ନିଯୁକ୍ତିରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ ପ୍ରକାଶ ସିଂ ମାର୍ଗଦର୍ଶିକାକୁ ଉଲ୍ଲଂଘନ କରିଛନ୍ତି । ଏହାପରେ ସୁପ୍ରିମ୍‌କୋର୍ଟ ପ୍ରକାଶ ସିଂ ମାମଲାର ଆମିକସ୍‌ କ୍ୟୁରୀ ରାଜୁ ରାମଚନ୍ଦ୍ରନ୍‌ଙ୍କ ମତାମତ ଲୋଡିଥିଲେ । ଶ୍ରୀ ରାମଚନ୍ଦ୍ରନ୍‌ ଓଡ଼ିଶାରେ ଡିଜି ମନୋନୟନରେ ପ୍ରକାଶ ସିଂ ଗାଇଡ଼୍‌ଲାଇନ୍‌ର ଉଲଙ୍ଘନ ହୋଇଥିବା ମତ ଦେଇଥିଲେ। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏଜି ପୀତାମ୍ବର ଆଚାର୍ଯ୍ୟ ରାଜ୍ୟ ସରକାର କୌଣସି ନିୟମ ଉଲଙ୍ଘନ କରି ନଥିବା ଯୁକ୍ତି ବାଢ଼ିଥିଲେ ହେଁ ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ  ଡିଜି ଚୟନ ପ୍ରକ୍ରିୟାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅଗଷ୍ଟ ୧୬ରେ ପୂର୍ବତନ ଡିଜିଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ରାଜ୍ୟ ସରକାର ବିନୟତୋଷ ମିଶ୍ରଙ୍କୁ କାର୍ଯ୍ୟକାରୀ ଡିଜି ନିଯୁକ୍ତ କରିଛନ୍ତି ।

About The Author: Madhusudan Das