ଭୁବନେଶ୍ୱର: ଗମାଙ୍ଗ ପରିବାର ପୁଣି ଥରେ କଂଗ୍ରେସକୁ ଫେରିବେ। ଏନେଇ ଏଆଇସିସି ଅଧ୍ୟକ୍ଷଙ୍କ ସହ ଜୋରସୋରରେ ଆଲୋଚନା ଚାଲିଛି। ଗତ ଜାନୁଆରୀ ମାସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁତ୍ର ଶିଶିର ଗମାଙ୍ଗ ଓଡ଼ିଶାରେ ବିଆର୍ଏସ୍ର ଦାୟିତ୍ୱ ସମ୍ଭାଳିଥିଲେ। ମାତ୍ର ବିଆରଏସ୍ର ରାଜ୍ୟରେ ରାଜନୈତିକ ଭବିଷ୍ୟତ ଅସ୍ପଷ୍ଟ ଥିବା କହି ପୁଣି ଥରେ ନିଜର ପୁରୁଣା ଦଳ କଂଗ୍ରେସକୁ ଫେରିବା ନେଇ ପ୍ରକ୍ରିୟା ଚଳାଇଛନ୍ତି। ତେବେ ଆଇଏସିସି ପକ୍ଷରୁ ଗମାଙ୍ଗ ପରିବାରକୁ ଦଳରେ ସାମିଲ କରିବା ନେଇ ସବୁଜ ସଙ୍କେତ ମିଳିସାରିଛି। କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗରେ ଶିଶିର ଗମାଙ୍ଗ କହିଛନ୍ତି ଯେ, ବିଆରଏସ ଓଡ଼ିଶାକୁ ଆସିବାକୁ ଆଗ୍ରହ ଦେଖାଉନାହିଁ। ତେଣୁ ଆମେ ପୁଣି ଥରେ କଂଗ୍ରେସକୁ ଫେରିବାକୁ ଚାହୁଁଛୁ। ତେବେ ପ୍ରଦେଶ କଂଗ୍ରେସ ପକ୍ଷରୁ ଦଳରେ ସାମିଲ ହେବା ନେଇ ଆଗ୍ରହ ପ୍ରକାଶ ପାଇଥିଲା। ଏହାପରେ ଆମେ ଦଳରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛୁ।
ସୂଚନାଯୋଗ୍ୟ ଯେ ଦିଲ୍ଲୀସ୍ଥିତ ଏଆଇସିସି କାର୍ଯ୍ୟାଳୟରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହ ଶିଶିର ଗମାଙ୍ଗର ଦଳରେ ମିଶିବା ନେଇ ସିଧାସଳଖ ଆଲୋଚନା ହୋଇଛି। ସେ ଖୁବଶୀଘ୍ର ଦଳରେ ସାମିଲ ହେବାକୁ ଯାଉଛନ୍ତି। ଗିରିଧର କଂଗ୍ରେସକୁ ଫେରିଲେ କଂଗ୍ରେସ କର୍ମୀ ଓ ନେତାମାନେ ସ୍ୱାଗତ କରିବାକୁ ପ୍ରସ୍ତୁତ ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ ସୂଚନା ମିଳିଛି। ସେହିଭଳି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ଗିରିଧର ଗମାଙ୍ଗ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ୯ ଥରର ସାଂସଦ। କଂଗ୍ରେସରେ ପୁରୁଣା ଲୋକମାନେ ଆସିବା ଦରକାର। ଦିଲ୍ଲୀରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, ଶରତ ପଟ୍ଟନାୟକ ଓ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଉପସ୍ଥିତିରେ ଶିଶିର ଗମାଙ୍ଗଙ୍କ ସହ ଆଲୋଚନା ହୋଇଛି। ତେବେ ଦଳରେ କିଏ ମିଶିବ ତାହା ଦଳର ସୁପ୍ରିମୋ ନିଷ୍ପତ୍ତି ନେଉଛନ୍ତୁ ବୋଲି ତାରା କହିଛନ୍ତି।