ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗିଡ଼ିପାବାଲି ଗ୍ରାମରେ ଘଟିଥିବା ଭୟଙ୍କର ଭୂସ୍ଖଳନ ଘଟଣାରେ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ଗୁରୁବାର ଦିନ ଭୂସ୍ଖଳନ ସ୍ଥଳରୁ ଆଉ ୩ଟି ମୃତଦେହ ଉଦ୍ଧାର କରାଯାଇଛି। ଏହି ଅଭାବନୀୟ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁସାରେ, ଗୋଟିଏ ଦିନର ବିରତି ପରେ ଆଜି ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏକ ୮୦ ଜଣିଆ ଉଦ୍ଧାରକାରୀ ଦଳ ଏହି ଅଭିଯାନରେ ସାମିଲ ହୋଇଥିଲେ। ଦୀର୍ଘ ସମୟର ଖୋଜାଖୋଜି ପରେ ଜଣେ ମହିଳା ଓ ଦୁଇଜଣ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକମାନଙ୍କୁ ଭୂମିକା ପ୍ରଧାନ, ଅରୁଣ ପ୍ରଧାନ ଏବଂ ଆଉ ଜଣେ ନାବାଳକ ଭାବେ ଚିହ୍ନଟ କରାଯାଇଛି। ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର ଘଟଣାସ୍ଥଳରେ ଉପସ୍ଥିତ ରହି ଏହି ସର୍ଚ୍ଚ ଅପରେସନର ତଦାରଖ କରୁଛନ୍ତି।
ପ୍ରକାଶଥାଉ କି, ନିକଟରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ଗିଡ଼ିପାବାଲି ଗ୍ରାମ ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇଯାଇଛି। ପୂର୍ବରୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହି ଦୁର୍ଘଟଣା ପରେ ପ୍ରାୟ ୧୩ ଜଣ ନିଖୋଜ ଥିବା ସୂଚନା ମିଳିଥିବା ବେଳେ, ବର୍ତ୍ତମାନ ସୁଦ୍ଧା ମୋଟ ୫ଟି ମୃତଦେହ ଉଦ୍ଧାର କରାଯାଇଛି। ଏବେ ମଧ୍ୟ କିଛି ଲୋକ ନିଖୋଜ ଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି।