ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଗଞ୍ଜେଇ ଗୋଦାମ। ଭୁବନେଶ୍ବରର କଳିଙ୍ଗ ବିହାର ଅଞ୍ଚଳରେ ଏକ ଭଡାଘରେ ଚାଲିଥିବା ଗଞ୍ଜେଇ ଗୋଦାମରେ ରେଡ୍ କରିଛି ସ୍ପେଶାଲ ସ୍କ୍ବାର୍ଡ । ରେଡ୍ ସମୟରେ ୧୨ ଲକ୍ଷ ଟଙ୍କାର ଗଞ୍ଜେଇ ସହ ୫ ଜଣଙ୍କୁ ଗିରଫ କରିଛି ପୁଲିସ।
ସୂଚନାଅନୁସାରେ ରାଜଧାନୀରେ କଳିଙ୍ଗ ବିହାର ଅଞ୍ଚଳରେ ବେଧଡକ ଚାଲିଥିଲା ଗଞ୍ଜେଇ ବେପାର। ଏଥି ସହିିତ ଏକ ଭଡାଘରେ ଗଞ୍ଜେଇ ଷ୍ଟକ ରଖାଯାଉଥିବା ପୁଲିସ ଜାଣିବାକୁ ପାଇଥିଲା। ଖବର ପାଇ ଭୁବନେଶ୍ବର ସ୍ପେଶାଲ ସ୍କ୍ବାର୍ଡ ଚଢାଉ କରିଥିଲା। ଚଢାଉ ବେଳେ ପୁଲିସ ବହୁ ପରିମାଣର ଗଞ୍ଜେଇ ଜବତ କରିଛି । ଏଥି ସହିତ ତିନି ମହିଳାଙ୍କ ସହ ଦୁଇ ପୁରୁଷଙ୍କୁ ଗିରଫ କରିଛି ପୁଲିସ।
ଏହି ଘଟଣାରେ ୨ ବିହାରୀ ଯୁବକଙ୍କ ମାଷ୍ଟର ମାଇଣ୍ଡ ଥିବା ସୂଚନା ମିଳିଛି। କନ୍ଧମାଳରୁ ଚୋରାରେ ଆଣି ଭୁବନେଶ୍ୱର ଭଡା ଘରେ ଛୋଟ ଛୋଟ ପକେଟ କରି ବାହାର ରାଜ୍ୟକୁ ହେଉଥିଲା ଚାଲଣ । ଘଟଣାରେ ପୁଲିସ ସନ୍ଦେହ ନକରିବ ସେଥିପାଇଁ ମହିଳାଙ୍କୁ ବ୍ୟବହାର କରୁଥିଲେ ବିହାରୀ ଯୁବକ ।