ବିଦାୟ ବେଳର ବନ୍ଧୁ ଗଙ୍ଗା ବେହେରା; ବୟସ ୭୨, ୨ଶହରୁ ଊର୍ଦ୍ଧ୍ବ ଶବ ସତ୍କାର

ଆସିକା:କଥାରେ ଅଛି ଜୀବନର ଶେଷ ସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ। ବର୍ତ୍ତମାନର ବ୍ୟସ୍ତବହୁଳ ଓ ସ୍ୱାର୍ଥ ସର୍ବସ୍ୱ ଦୁନିଆରେ କାହାପାଇଁ କାହାର ସମୟ ନଥାଏ। ସମସ୍ତେ ନିଜ ନିଜର ବ୍ୟକ୍ତିଗତ ଦୁନିଆରେ ବ୍ୟସ୍ତ। ବିଦାୟ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ ବୋଲି ସତ କରି ଦେଖାଇଛନ୍ତି ଆସିକା ଏନ୍‍ଏସି ଅଧୀନସ୍ଥ ୧୫ନଂ ୱାର୍ଡର ଯୋକବନ୍ଧ ସାହିର ବାସିନ୍ଦା ଗଙ୍ଗା ବେହେରା। ସଭିଙ୍କ ମହଲରେ ସେ ଗଙ୍ଗା ଭାଇ ରୂପେ ସୁପରିଚିତ। ଜୀବିକାରେ ଜଣେ ପୋଷାକ […]

ଆସିକା:କଥାରେ ଅଛି ଜୀବନର ଶେଷ ସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ। ବର୍ତ୍ତମାନର ବ୍ୟସ୍ତବହୁଳ ଓ ସ୍ୱାର୍ଥ ସର୍ବସ୍ୱ ଦୁନିଆରେ କାହାପାଇଁ କାହାର ସମୟ ନଥାଏ। ସମସ୍ତେ ନିଜ ନିଜର ବ୍ୟକ୍ତିଗତ ଦୁନିଆରେ ବ୍ୟସ୍ତ। ବିଦାୟ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ ବୋଲି ସତ କରି ଦେଖାଇଛନ୍ତି ଆସିକା ଏନ୍‍ଏସି ଅଧୀନସ୍ଥ ୧୫ନଂ ୱାର୍ଡର ଯୋକବନ୍ଧ ସାହିର ବାସିନ୍ଦା ଗଙ୍ଗା ବେହେରା। ସଭିଙ୍କ ମହଲରେ ସେ ଗଙ୍ଗା ଭାଇ ରୂପେ ସୁପରିଚିତ। ଜୀବିକାରେ ଜଣେ ପୋଷାକ ଆଇରନ୍‍ ଦୋକାନୀ। ବର୍ତ୍ତମାନ ତାଙ୍କୁ ୭୨ବର୍ଷ ବୟସ। ସେ ବର୍ତ୍ତମାନ ସୁଦ୍ଧା ୨୦୦ରୁ ଊର୍ଦ୍ଧ୍ବ ଶବସତ୍କାର କରି ସାରିଲେଣି। ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଧନୀ ଅବା ଗରିବ ହେଉ ଯେଉଁଠି ବି କୌଣସି ଲୋକଙ୍କ ମୃତ୍ୟୁଖବର ଶୁଣିବା ମାତ୍ରେ ବିନା ସ୍ୱାର୍ଥରେ ଗଙ୍ଗା ସେଠାରେ ପହଞ୍ଚି ମୃତକଙ୍କ ପରିଜନଙ୍କ ସହ ଦୁଃଖରେ ସାମିଲ ହୋଇ ସମବେଦନା ଜଣାଇବା ସହ ପାରମ୍ପରିକ ରୀତିରେ ଶେଷକୃତ୍ୟ ସମ୍ପନ୍ନରେ ଲାଗି ପଡ଼ିଥାନ୍ତି। ଶବ ସତ୍କାର ଏକ କଠିନ କାର୍ଯ୍ୟ ହୋଇଥିଲେ ମଧ୍ୟ ଏଥିରେ ସେ ଆନନ୍ଦ ପାଆନ୍ତି। ଏହି କାର୍ଯ୍ୟ ପାଇଁ କେବେ କାହାଠାରୁ ପାରିଶ୍ରମିକ ବାବଦରେ କିଛି ପାଇବାକୁ ଇଛା କରନ୍ତି ନାହିଁ। କେହି ଦେଲେ ତାହାକୁ ଫେରାଇ ଦିଅନ୍ତି। ସ୍ଥାନୀୟ ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେକୌଣସି ଜାତି ଅବା ଅନ୍ୟ ସମ୍ପ୍ରଦାୟ ହେଉ ମୃତ୍ୟୁ ଖବର ଶୁଣିବା ମାତ୍ରେ ବାଛବିଚାର ନ କରି ନିଜ ବ୍ୟବସାୟ ଛାଡ଼ି କାଳ ବିଳମ୍ବ ନ କରି ସେଠାରେ ପହଞ୍ଚି ଯାଆନ୍ତି। ତାଙ୍କୁ ଯେତେବେଳେ ପ୍ରାୟ ୨୦ବର୍ଷ ବୟସ ହୋଇଥିଲା ସେବେଠାରୁ ସେ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏଥିପାଇଁ ତାଙ୍କୁ ଆତ୍ମସନ୍ତୋଷ ମିଳିଥାଏ। ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସେ ଏହି ଶବ ସତ୍କାର କାମ କରିବା ଲାଗି ଆଜି ଯାଏଁ କୌଣସି ପ୍ରକାର ସ୍ୱପ୍ନ କିମ୍ବା କୌଣସି ଆତ୍ମା ଡରାଇ ନଥିବା କୁହନ୍ତି ଗଙ୍ଗା। ସେ ଶବସତ୍କାର ବେଳେ କାହାର ସାହାଯ୍ୟ ଲୋଡନ୍ତିନି। କମ୍‍ କାଠରେ ଶବ ସତ୍କାର କୌଶଳ ତାଙ୍କୁ ବେଶ୍‍ ଜଣା। ସାଧାରଣତଃ ସଚ୍ଚୋଟ, ଧର୍ମପରାୟଣ, ପରୋପକାରୀ ମୃତ ବ୍ୟକ୍ତି ଯେତେ ବିଶାଳ ଶରୀର ହେଉନା କାହିଁକି ତାହା ଶୀଘ୍ର ପୋଡିଯାଏ। ତେବେ କୁଟିଳ ଓ ହିଂସା ପରାୟଣ ମୃତବ୍ୟକ୍ତିଙ୍କ ଶରୀରରୁ ଆତ୍ମା ଶୀଘ୍ର ଛାଡେନି କି ଶୀଘ୍ର ପୋଡେନି ବୋଲି ଶବ ସତ୍କାର ପ୍ରେମୀ ଗଙ୍ଗା ବେହେରାଙ୍କ ବିଶ୍ୱାସ ରହିଛି।

About The Author: The Sakala