ଅନ୍ଧବିଶ୍ୱାସର କରୁଣ ପରିଣତି: ଗୁଣି ଗାରେଡି ସନ୍ଦେହରେ ଘରେ ପଶି ବୃଦ୍ଧାଙ୍କୁ ନିର୍ମମ ହତ୍ୟା

ରାଇରଙ୍ଗପୁର: ଡାହାଣୀ, ଗୁଣିଗାରେଡ଼ି ଓ ଅନ୍ଧବିଶ୍ୱାସ ଦୂରୀକରଣ ନେଇ ସଚେତନତା କାର୍ଯ୍ୟକ୍ରମ ସତ୍ତ୍ୱେ ଅନ୍ଧବିଶ୍ୱାସ ଗଳିରୁ ଲୋକେ ବାହାରି ପାରୁନାହିଁ। ଯାହାକୁ ନେଇ ଅନ୍ଧବିଶ୍ୱାସ କରୁଣ ପରିଣତି ଦେଖିବାକୁ ମିଳିଛି। ଗୁଣି ଗାରେଡି ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ଘରେ ପଶି ବିଭତ୍ସ ହତ୍ୟା କରିଛନ୍ତି। ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କୁମ୍ଭୀରଦା ଗାଁରେ ଉକ୍ତ ଅଘଟଣ ଘଟିଛି। ଉକ୍ତ ଗ୍ରାମର ଜବା ଟୁଡୁ ଅବିବାହିତା ବୃଦ୍ଧା ରହୁଥିଲେ। ତାଙ୍କୁ ଗୁଣି ଗାରେଡି ସନ୍ଦେହରେ ପୋଡ଼ଶୀ ଜୁଗୁ ମାର୍ଣ୍ଡି ହତ୍ୟା କରିଥିବା ସୂଚନା ମିଳିଛି । ହତ୍ୟାକାଣ୍ଡ ଘଟାଇବା ପରେ ହତ୍ୟାକାରୀ ଥାନାରେ ଆତ୍ମସମର୍ପଣ କରିଛି। 

ସୂଚନା ଅନୁସାରେ, ଶନିବାର ପୂର୍ବାହ୍ନ ପ୍ରାୟ ୧୦ ସମୟରେ ଜବା ଘରେ ଏକୁଟିଆ ଶୋଇଥିଲେ। ଏହାର ସୁଯୋଗ ନେଇ ଜୁଗୁ ତାଙ୍କ ଘରେ ପଶି ଧାରୁଆ ଅସ୍ତ୍ରରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଜବା ଗୁଣି ଗାରେଡି କରି ତାଙ୍କ ପରିବାରରେ ଅଶାନ୍ତି ସୃଷ୍ଟି କରୁଥିଲେ। ସେ ବାରମ୍ବାର କହିବା ସତ୍ତ୍ୱେ ଗୁଣିଗାରେଡି କରୁଥିବାର ସନ୍ଦେହ କରି ଅଧିକ ପ୍ରତିଶୋଧ ପରାୟଣ ହୋଇ ଯାଇଥିଲେ। ହତ୍ୟା କରି ଥାନାରେ ନିଜକୁ ଆତ୍ମସମର୍ପଣ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ଅତିରିକ୍ତ ଏସପି ଯଦୁନାଥ ଜେନା, ରାଇରଙ୍ଗପୁର ଏସଡିପିଓ ବିରେନ୍ଦ୍ର କୁମାର ସେନାପତି, ବହଳଦା ଥାନା ଅଧିକାରୀ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ସହ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛନ୍ତି। ଏନେଇ ବହଳଦା ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। 

ଆଦିବାସି ବହୁଳ ମୟୁରଭଞ୍ଜ ଜିଲ୍ଲାରେ ଏହିପରି ଘଟଣା ବାରମ୍ବାର ହେଉଥିବା ବେଳେ ସଚେତନତା ସୃଷ୍ଟି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ମଙ୍ଗଳବାର ଅନ୍ଧବିଶ୍ୱାସ ଦୂରୀକରଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା। କିନ୍ତୁ ବିଜ୍ଞାନର ଅଗ୍ରଗତି ପରେ ମଧ୍ୟ ସଚେତନତା ସୃଷ୍ଟି ହେଉନାହିଁ। ଏବେ ବି ଅନ୍ଧ ବିଶ୍ବାସରୁ ସାଧାରଣ ଲୋକେ ମୁକୁଳି ପାରିନାହାଁନ୍ତି। କିଛି ବି ଅସୁବିଧା ହେଲେ ଡାହାଣୀ ସନ୍ଦେହରେ ଅପରାଧ ଭିଆଇବାକୁ ମଧ୍ୟ ପଛାଉ ନାହାଁନ୍ତି ।

About The Author: Madhusudan Das