ପୁରୀ: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିବା ବେଳେ ଜଣେ ଶ୍ରଦ୍ଧାଳୁଙ୍କର ଅକାଳ ବିୟୋଗ ଘଟିଛି। ଶୁକ୍ରବାର ସକାଳେ ଶ୍ରୀମନ୍ଦିର ବାହାରେ ଧାଡ଼ିରେ ଛିଡ଼ା ହୋଇଥିବା ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଶ୍ରଦ୍ଧାଳୁ ଜଣକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲାର ଦେବରାଜ ସାହୁ। ସେ ନିଜ ସମ୍ପର୍କୀୟ ଏବଂ ସାଙ୍ଗସାଥୀଙ୍କ ସହିତ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ର ପୁରୀ ଆସିଥିଲେ।
ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଶ୍ରୀ ଦେବରାଜ ସାହୁ ଶ୍ରୀମନ୍ଦିର ପ୍ରବେଶ ପଥରେ ବ୍ୟାରିକେଡ୍ ନିକଟରେ ଛିଡ଼ା ହୋଇ ଦର୍ଶନ ପାଇଁ ଅପେକ୍ଷା କରିଥିଲେ। ଏହି ସମୟରେ ହଠାତ୍ ସେ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ। ସେଠାରେ ଉପସ୍ଥିତ ପୁଲିସ ପ୍ରଶାସନ ଓ ଅନ୍ୟ ଶ୍ରଦ୍ଧାଳୁଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) କୁ ନିଆଯାଇଥିଲା। ସେଠାରେ ପରୀକ୍ଷା ନିରୀକ୍ଷା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ପୁରୀ ପୁଲିସ ମୃତକଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲା। ମେଡିକାଲ କାଗଜପତ୍ର ଯାଞ୍ଚ କରିବା ପରେ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଦେବରାଜ ଗତ ତିନି ବର୍ଷ ଧରି ଗୁରୁତର ହୃଦ୍ରୋଗରେ ପୀଡ଼ିତ ଥିଲେ ଏବଂ ଏଥିପାଇଁ ତାଙ୍କର ନିୟମିତ ଚିକିତ୍ସା ମଧ୍ୟ ଚାଲିଥିଲା। ହଠାତ୍ ହୃଦ୍ଘାତ ହେତୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିବା ସନ୍ଦେହ କରାଯାଉଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳ ତଥା ଶ୍ରଦ୍ଧାଳୁ ମହଲରେ ଶୋକର ଛାୟା ଖେଳିଯାଇଛି।