ଭୁବନେଶ୍ୱର: ଆଉ ଦୁର୍ଘଟଣା ଯୋଗୁଁ ରାସ୍ତା ଉପରେ ଚାଲିଯିବ ନାହିଁ ଜୀବନ। ଫୋନ୍ ଆସିବାର ୧୦ ମିନିଟ୍ ମଧ୍ୟରେ ଆହତ, ରୋଗୀଙ୍କ ନିକଟରେ ପହଞ୍ଚିବ ସରକାରୀ ଆମ୍ବୁଲାନ୍ସ। ଏଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୨୦୨୭ ସୁଦ୍ଧା ୧୨୦୦ ନୂଆ ଆମ୍ବୁଲାନ୍ସ ଆଣିବ। ପ୍ରତି ବର୍ଷ ୩୦୦ ଲେଖାଏଁ ଆମ୍ବୁଲାନ୍ସ ରୋଗୀ ସେବାରେ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଗୁରୁତ୍ୱପୂର୍ଣ୍ଣ ହେଉଛି ଏସବୁ ଆମ୍ବୁଲାନ୍ସରେ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ବ୍ୟବସ୍ଥା ଉପଲବ୍ଧ ହେବ। ଯଦ୍ଦ୍ୱାରା ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଆହତ, ରୋଗୀଙ୍କ ଚିକିତ୍ସା ଆରମ୍ଭ ହୋଇପାରିବ। ପ୍ରତି ୫୦୦୦୦ ଲୋକଙ୍କ ପାଇଁ ଅନ୍ତତଃ ଗୋଟିଏ ଆମ୍ବୁଲାନ୍ସ ରହିବ। ଏଥିଲାଗି ରାଜ୍ୟ ସରକାର ୧୯୦୬ କୋଟି ଟଙ୍କାର ଏକ ବ୍ୟୟ ଅଟକଳ କରିଛନ୍ତି।
ସୂଚନା ଅନୁସାରେ, ରାଜ୍ୟରେ ଏବେ ସରକାରଙ୍କ ପକ୍ଷରୁ ୧୦୮ ଆମ୍ବୁଲାନ୍ସ ଜରିଆରେ ରୋଗୀ, ଆହତଙ୍କ ପରିବହନ କରାଯାଉଛି। ତେବେ ଅଧିକାଂଶ ସ୍ଥାନରେ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ପ୍ରାୟ ୨୫ ମିନିଟ୍ ସମୟ ଲାଗି ଯାଉଛି। ଏହାକୁ ବିଚାର କରି ନିକଟରେ ବିଭାଗ ପକ୍ଷରୁ ୩୪୯ଟି ଆମ୍ବୁଲାନ୍ସକୁ ୧୦୮ ବ୍ୟବସ୍ଥାରେ ନିୟୋଜିତ କରାଯାଇଛି। ତଥାପି ଆମ୍ବୁଲାନ୍ସର ଅଭାବ ପରିଲକ୍ଷିତ ହେଉଛି। ତେଣୁ ପର୍ଯ୍ୟାୟକ୍ରମେ ସ୍ୱାସ୍ଥ୍ୟ ସେବାରେ ୧୨୦୦ ଆମ୍ବୁଲାନ୍ସ ନିୟୋଜନ କରିବା ଲାଗି ନିଷ୍ପତ୍ତି ହୋଇଛି। ଏଥିପାଇଁ ଆଗାମୀ କିଛି ବର୍ଷ ମଧ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଜରିଆରେ ୧୫୦୦ କୋଟି ଟଙ୍କା ବ୍ୟୟରେ ନୂଆ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ। ନୂଆ ଆମ୍ବୁଲାନ୍ସ ନିମନ୍ତେ ଆଗାମୀ ଆର୍ଥିକ ବର୍ଷରେ ୫୧୭ କୋଟି, ୨୦୨୫-୨୬ରେ ୪୬୫ କୋଟି, ୨୦୨୬-୨୭ରେ ୪୦୦ କୋଟି ଏବଂ ୨୦୨୭-୨୮ରେ ୫୨୪ କୋଟି ଟଙ୍କା ବ୍ୟୟ କରାଯିବ। ନୂଆ ଆମ୍ବୁଲାନ୍ସରେ ଉଭୟ ସାଧାରଣ ଜୀବନ ରକ୍ଷାକାରୀ ଏବଂ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ବ୍ୟବସ୍ଥା ଉପଲବ୍ଧ ହେବ। ଆମ୍ବୁଲାନ୍ସ ଗୁଡିକର ସୁପରିଚାଳନା ପାଇଁ ସେଥିରେ ଜିପିଏସ୍ ଲାଗିବ। ଫଳରେ ଆମ୍ବୁଲାନ୍ସର ଗତିବିଧି ଉପରେ ନିୟନ୍ତ୍ରଣ କକ୍ଷରୁ ନଜର ରଖାଯିବ ଏବଂ ଆବଶ୍ୟକସ୍ଥଳେ ଡ୍ରାଇଭର୍ଙ୍କୁ ନିର୍ଦ୍ଦେଶ ଦିଆଯାଇପାରିବ।
ସୂଚନାଯୋଗ୍ୟ, ରାଜ୍ୟରେ ଏବେ ୧୩୬୬ଟି ୧୦୮ ଆମ୍ବୁଲାନ୍ସ ଚାଲୁଥିବା ବେଳେ ୬ଟି ନୌକା ଆମ୍ବୁଲାନ୍ସ ଏବଂ ୬ ହଜାରରୁ ଅଧିକ ଘରୋଇ ଆମ୍ବୁଲାନ୍ସ ଅଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାର୍ଗଦର୍ଶିକା ଅନୁସାରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଅନ୍ତତଃ ଗୋଟିଏ ଆମ୍ବୁଲାନ୍ସ ଆବଶ୍ୟକ ଥିବା ବେଳେ ପାହାଡିଆ ଅଞ୍ଚଳ ତଥା କମ୍ ଜନସଂଖ୍ୟା ଅଞ୍ଚଳରେ ପ୍ରତି ୭୦ ହଜାର ଜନସଂଖ୍ୟାରେ ଗୋଟିଏ ଆମ୍ବୁଲାନ୍ସ ଜରୁରୀ।
ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ସମୟ ଅନୁସାରେ ରାଜ୍ୟରେ ସରକାରୀ ଆମ୍ବୁଲାନ୍ସର ଆବଶ୍ୟକତା ବୃଦ୍ଧି ପାଇଛି। ସରକାରୀ ଡାକ୍ତରଖାନାର ଭିତ୍ତିଭୂମିରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଥିବା ବେଳେ ରୋଗୀଙ୍କ ନିର୍ଭରଶୀଳତା ବଢ଼ୁଛି। ଜିଲ୍ଲା ମଧ୍ୟରେ ହେଉ ଅବା ଜିଲ୍ଲା ବାହାରକୁ, ପ୍ରତିଦିନ ବହୁ ସଂଖ୍ୟାରେ ରୋଗୀଙ୍କ ପରିବହନ କରାଯାଉଛି। ସେହିପରି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ ରୋକିବା ଦିଗରେ ଆମ୍ବୁଲାନ୍ସର ଉପଲବ୍ଧତା ଏକାନ୍ତ ଆବଶ୍ୟକ। ଆହତଙ୍କ ପାଇଁ ସରକାରୀ ଖର୍ଚ୍ଚରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା କରାଯାଇ ମାଗଣାରେ ଆହତଙ୍କ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ହୋଇଛି। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଏବଂ ଦୁର୍ଘଟଣା ଜନିଜ ମୃ୍ତ୍ୟୁକୁ ହ୍ରାସ କରିବାରେ ମଧ୍ୟ ଅଧିକ ଆମ୍ବୁଲାନ୍ସ ଜରୁରୀ। ନୂଆ ଆମ୍ବୁଲାନ୍ସ ଆସିଲେ ପୁରୁଣା ଓ ବ୍ୟବହାର ଅଯୋଗ୍ୟ ଆମ୍ବୁଲାନ୍ସ ହଟାଯିବ ବୋଲି ସେ କହିଛନ୍ତି।