ଉଦଳା: ବୋହୂ ସାଜିଲା ରାକ୍ଷସୀ। ଗୁଣି ଗାରିଡି ସନ୍ଦେହରେ ଶାଶୁକୁ ଅତି ନିର୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ। ଆଉ ଏ ଘଟଣା ସବୁର ଦେଖଣାହାରି ସାଜି ଦେଖୁଥିଲା ପୁଅ। ଉଦଳା ଥାନା ଏନଏସି ୬ ନମ୍ବର ୱାର୍ଡରେ ଘଟିଛି ଏଭଳି ଘଟଣା। ଗ୍ରାମର ସାବିତ୍ରୀ ଦତ୍ତ ସନ୍ଧ୍ୟା ସମୟରେ ଘର ବାହାରେ ବସିଥିବା ବେଳେ ଅଚାନକ ବୋହୂ ମାମି ଦତ୍ତ ଘର ଭିତରୁ ବାହାରି ଆସି ସାବିତ୍ରୀଙ୍କୁ ଘର ଭିତରକୁ ଘୋଷାରି ନେଇ ବେତବାଡ଼ିରେ ନିର୍ଘାତ ମାଡ଼ ମାରିଥିଲେ । ବେତରେ ମାରିବା ପରେ ପନିକିରେ ହାଣି ଲାଗିଥିଲା ବୋହୁ । ଶାଶୁ ସାବିତ୍ରୀଙ୍କ ମୁଣ୍ଡ, ଦେହକୁ ପନିକିରେ ହାଣି ଜୀବନରୁ ମାରିଦେବାକୁ ବୋହୂ ମାମି ଉଦ୍ୟମ କରୁଥିବା ବେଳେ ସେଠାରେ ଛିଡା ହୋଇ ଏ ସବୁ ଦେଖୁଥିଲା ପୁଅ କୁଲୁ ଦତ୍ତ। ପୁଅ ସମ୍ନାରେ ଘଟଣା ଘଟୁଥିଲେ ମଧ୍ୟ ଏହାକୁ ବାରଣ କରି ନଥିଲା।
ତେବେ ଆକ୍ରମଣରେ ଗୁରୁତର ହୋଇ ସାବିତ୍ରୀ ଚିତ୍କାର କରିବାରୁ ପଡିଶା ଘର ଲୋକେ ଆସି ତାଙ୍କୁ ଉଦ୍ଧାର କରିବା ସହିତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଶାଶୁକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ହାଣିଥିବା ବୋହୂକୁ ନିଜ ହେପାଜତକୁ ନେଇଥିଲା। ଘଟଣା ଅନୁଯାୟୀ ଗୁଣି ଗାରେଡି ସନ୍ଦେହରେ ବୋହୂ ହାଣିଥିବା କହିଛନ୍ତି ଆହତ ସାବିତ୍ରୀ। ଅନ୍ୟପକ୍ଷରେ ଦେହରେ ଠାକୁରାଣୀ ଆସିଥିବାରୁ ସେ ଏପରି କରିଥିବା କହୁଛି ବୋହୂ।