ଭୁବନେଶ୍ୱର: ଗୋପାଳପୁର ନିକଟରେ ଉପକୂଳ ଅତିକ୍ରମ କରିଛି ସାମୁଦ୍ରିକ ଝଡ଼ ‘ଅକୱାନ୍’ । ଭାରତୀୟ ପାଣିପାଗ ବିଭାଗ (IMD) ର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବା ପରେ ଏହି ବାତ୍ୟା ବର୍ତ୍ତମାନ ଓଡ଼ିଶା ଦେଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରୁଛି। ଆଗାମୀ ୩ ଘଣ୍ଟା ମଧ୍ୟରେ ଏହା ଅଧିକ ଦୁର୍ବଳ ହୋଇ ‘ଗଭୀର ଅବପାତ’ ଏବଂ ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ‘ଅବପାତ’ରେ ପରିଣତ ହେବାର ସମ୍ଭାବନା ରହିଛି।
ଗତ ୬ ଘଣ୍ଟା ମଧ୍ୟରେ ଏହି ସିଷ୍ଟମ ୨୬ କିଲୋମିଟର ବେଗରେ ଗତି କରି ଆଜି ସକାଳ ୭:୩୦ ରୁ ୮:୩୦ ମଧ୍ୟରେ ଗୋପାଳପୁର ନିକଟରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିଛି। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୦-୮୦ କିଲୋମିଟର ରହିଥିଲା, ଯାହା ମଝିରେ ମଝିରେ ୯୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଉଥିଲା। ସକାଳ ୮:୩୦ ସୁଦ୍ଧା ଏହାର କେନ୍ଦ୍ର ବିନ୍ଦୁ ଗୋପାଳପୁର ନିକଟରେ ଅବସ୍ଥିତ ଥିଲା। ଏହି ସମୟରେ ଏହା ପୁରୀଠାରୁ ପ୍ରାୟ ୧୩୦ କିଲୋମିଟର ପଶ୍ଚିମ-ଦକ୍ଷିଣ ପଶ୍ଚିମ ଏବଂ କଳିଙ୍ଗପଟ୍ଟନମଠାରୁ ୧୨୦ କିଲୋମିଟର ଦୂରରେ ରହିଥିଲା।
IMD ପକ୍ଷରୁ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ପାଇଁ ରେଡ୍ ମେସେଜ୍ ଜାରି କରାଯାଇଛି। ସିଷ୍ଟମଟି ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରି ଦୁର୍ବଳ ହେବାକୁ ଥିବାରୁ ପବନର ବେଗ କ୍ରମଶଃ ହ୍ରାସ ପାଇବ। ତଥାପି ବାତ୍ୟା ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ଆଗାମୀ କିଛି ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି।