ବାତ୍ୟା 'ଅକୱାନ'କୁ ଦୃଷ୍ଟିରେ ରଖି ରାଜ୍ୟର ୭ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ଘୋଷଣା

ଭୁବନେଶ୍ୱର: ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା 'ଅକୱାନ' । ସମ୍ଭାବ୍ୟ ବାତ୍ୟା ପାଇଁ ୭ ଜିଲ୍ଲାରେ ସ୍କୁଲ୍‌ ଛୁଟି ଘୋଷଣା । ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା 'ଅକୱାନ'କୁ ଦୃଷ୍ଟିରେ ରଖି ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ପିଲାମାନଙ୍କ ସୁରକ୍ଷା ପାଇଁ ରାଜ୍ୟର ୭ଟି ଜିଲ୍ଲାରେ ସମସ୍ତ ସରକାରୀ, ସହାୟତା ପ୍ରାପ୍ତ ଏବଂ ବେସରକାରୀ ସ୍କୁଲ ସହିତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଘୋଷଣା ଅନୁସାରେ ପୁରୀ, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, କନ୍ଧମାଳ ଏବଂ ଜଗତସିଂହପୁର ଜିଲ୍ଲାରେ ତିନି ଦିନ ପାଇଁ ସ୍କୁଲ ଛୁଟି ରହିବ। ଖୋର୍ଦ୍ଧା ଜିଲ୍ଲା ବ୍ୟତୀତ ଅନ୍ୟ ୬ ଜିଲ୍ଲାରେ ୧୯ରୁ ୨୧ ଯାଏଁ  ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।  କେବଳ ଖୋର୍ଦ୍ଧା ଜିଲାରେ ୧୯ ଓ ୨୦ ତାରିଖ ଛୁଟି ଘୋଷଣା କରାଯାଇଛି। 

ନଭେମ୍ବର ୧୯ ଓ ୨୦ ତାରିଖ ଦୁଇଦିନ ପାଇଁ ଖୋର୍ଦ୍ଧା  ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଘୋଷଣା କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, ଖୋର୍ଦ୍ଧା ଏବଂ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀଙ୍କ ପକ୍ଷରୁ ପୃଥକ୍‌ ପୃଥକ୍‌ କାର୍ଯ୍ୟାଳୟ ନିର୍ଦ୍ଦେଶନାମା ଜାରି ହୋଇଛି।

ସ୍ୱତନ୍ତ୍ର ସାହାଯ୍ୟ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ କନ୍ଧମାଳ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ବାତ୍ୟାର ଗତିପଥ ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ଅନୁଧ୍ୟାନ କରି ସରକାର ଏହି ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି।  

ଭାରତୀୟ ପାଣିପାଗ ବିଭାଗ (IMD) ର ପୂର୍ବାନୁମାନ ଅନୁସାରେ, ବାତ୍ୟା 'ଅକଭାନ' ଭୟଙ୍କର ରୂପ ଧାରଣ କରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି। ଏହା ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସମୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ୟାନମ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଝଡ଼ ପବନ ବହିବାର ଆଶଙ୍କା ରହିଛି।  

ସ୍ଥିତିକୁ ପରଖି ଛୁଟି ଅବଧି ବୃଦ୍ଧି କରିବା ପାଇଁ ସମ୍ପୃକ୍ତ ୬ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସମ୍ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି। ଯଦି ପରିସ୍ଥିତି ଆହୁରି ବିଗିଡ଼େ, ତେବେ ସେମାନେ ନଭେମ୍ବର ୨୧ ପରେ ମଧ୍ୟ ଛୁଟି ବଢ଼ାଇ ପାରିବେ। ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଜିଲ୍ଲାପାଳମାନେ ପାଣିପାଗ ସ୍ଥିତି ଉପରେ ନଜର ରଖି ସ୍କୁଲ ବନ୍ଦ ନେଇ ନିଜସ୍ୱ ନିଷ୍ପତ୍ତି ନେଇପାରିବେ। ପ୍ରଶାସନ ପକ୍ଷରୁ ସମୁଦ୍ର କୂଳକୁ ନଯିବା ପାଇଁ ପର୍ଯ୍ୟଟକମାନଙ୍କୁ ବାରଣ କରାଯାଇଛି।

About The Author: Madhusudan Das