ବାଙ୍କୀ : କଟକ ଜିଲ୍ଲା ବାଙ୍କୀର ଜାତମୁଣ୍ଡିଆ ମହାନଦୀ ବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା। ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀବାହୀ ବସଟି ଜାତମୁଣ୍ଡିଆ ବ୍ରିଜର ବ୍ୟାରିକେଡକୁ ଧକ୍କା ଦେବା ଫଳରେ ବସଟି ପୋଲ ତଳକୁ ଖସିପଡିବା ଭଳି ଅଧାରେ ଓହଳି ରହିଛି । ଗାଡିଟି ବ୍ରିଜର ବ୍ୟାରିକେଟକୁ ବାଡେଇବା ପରେ ଅଧା ଓହଳିବା ଅବସ୍ଥାରେ ଝୁଲି ରହିଛି ।
ବସ୍ଟି ବ୍ରିଜ୍ ଉପରେ ଝୁଲି ରହିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇ ଆସିଥିଲେ। ଯାହା ଫଳରେ ଏକ ବଡ଼ ବିପଦ ଟଳି ଯାଇଛି। କାରଣ ମହାନଦୀରେ ବର୍ତ୍ତମାନ ଉଛୁଳା ପାଣି ରହିଛି, ଯଦି ବସ୍ଟି ବ୍ରିଜ୍ ତଳକୁ ଖସିପଡିଥାନ୍ତା ତେବେ ବହୁ କ୍ଷୟକ୍ଷତି ହୋଇଥାନ୍ତା।
ଦୁର୍ଘଟଣା ଖବର ପାଇ ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କରିଛନ୍ତି । ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲେ ବି କିଛି ଯାତ୍ରୀ ଆହତ ହୋଇଛନ୍ତି । ଗାଡିର କାଚ ଓ ଜରୁରୀ ଦ୍ୱାର ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି । ହେଲେ ଦୁର୍ଘଟଣାର କାରଣ ଜଣାପଡିନାହିଁ । ଡ୍ରାଇଭର ନିଶାସକ୍ତ ଥିଲେ କି ଯାନ୍ତ୍ରିକ ତୃଟିପାଇଁ ଏଭଳି ଦୁର୍ଘଟଣା ଘଟିଛି ତାହା ତଦନ୍ତ କରାଯାଉଛି । ବର୍ତ୍ତମାନ ଗାଡିଟିକୁ କ୍ରେନ୍ ସହାୟତାରେ ବ୍ରିଜ୍ରୁ ହଟାଯାଇ ରାସ୍ତା କ୍ଲିୟର କରାଯାଉଛି।