ଜାଡ଼ରେ ଥରୁଛି ସାରା ଓଡ଼ିଶା: ୪.୮ ଡିଗ୍ରୀ ଛୁଇଁଲା ରାତ୍ରି ତାପମାତ୍ରା, ଜି. ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ତ୍ତମାନ ଶୀତ ଜାରି ରହିଛି। ଏଭଳି ଶୀତ ଆହୁରି ୨୪ ଘଣ୍ଟା ଯାଏଁ ଲାଗି ରହିବ। ଏହାପରେ ତାପମାତ୍ରାରେ କିଛି ପରିମାଣରେ ବୃଦ୍ଧି ଘଟିବା ହେତୁ ଶୀତର ପ୍ରଭାବ ସାମାନ୍ୟ କମିବ ବୋଲି ଅନୁମାନ କରାଯାଉଛି। ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଅସହ୍ୟ ଶୀତ ଅନୁଭୁତ ହେବା ସହ ୭  ସହରର ସର୍ବନିମ୍ନ ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ଠାରୁ କମ ରେକର୍ଡ କରାଯାଇଛି। ପାରଦ ତଳମୁହାଁ ହେବା ଯୋଗୁଁ […]

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ତ୍ତମାନ ଶୀତ ଜାରି ରହିଛି। ଏଭଳି ଶୀତ ଆହୁରି ୨୪ ଘଣ୍ଟା ଯାଏଁ ଲାଗି ରହିବ। ଏହାପରେ ତାପମାତ୍ରାରେ କିଛି ପରିମାଣରେ ବୃଦ୍ଧି ଘଟିବା ହେତୁ ଶୀତର ପ୍ରଭାବ ସାମାନ୍ୟ କମିବ ବୋଲି ଅନୁମାନ କରାଯାଉଛି। ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଅସହ୍ୟ ଶୀତ ଅନୁଭୁତ ହେବା ସହ ୭  ସହରର ସର୍ବନିମ୍ନ ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ଠାରୁ କମ ରେକର୍ଡ କରାଯାଇଛି। ପାରଦ ତଳମୁହାଁ ହେବା ଯୋଗୁଁ ଥଣ୍ଡା ଅନୁଭୂତ ହେଉଛି । ଜି.ଉଦୟଗିରିରେ ୪.୮ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଏଥିସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଛି।

ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ ସର୍ବନିମ୍ନ ରାତ୍ରି ତାପମାତ୍ରା

ଜି.ଉଦୟଗିରି ୪.୮ ଡିଗ୍ରୀ , ସିମିଲିଗୁଡ଼ା ୫.୬ ଡିଗ୍ରୀ, ଫୁଲବାଣୀ ୬.୫ ଡିଗ୍ରୀ, ଦାରିଙ୍ଗିବାଡ଼ି ୮.୫ ଡିଗ୍ରୀ, ରାଉରକେଲା ୮.୮ ଡିଗ୍ରୀ, କେନ୍ଦୁଝର ୯.୪ ଡିଗ୍ରୀ, ଝାରସୁଗୁଡ଼ା ୯.୬ ଡିଗ୍ରୀ, ଅନୁଗୁଳ ୧୦ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଭୁବନେଶ୍ବରରେ ୧୩.୬ ଡିଗ୍ରୀ ଓ କଟକରେ ୧୨. ୫ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ଯାଏଁ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନ ଥିବା ବେଳେ ଏହା ପରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ତେଣୁ ଶୀତର ପ୍ରକୋପ ହ୍ରାସ ପାଇବ। ଅନ୍ୟପଟେ ଶୀତ କମିଲେ ମଧ୍ୟ ଘନ କୁହୁଡ଼ି ସ୍ଥିତି ଜାରି ରହିବ। ଯାହାକୁ ନେଇ ବିଭିନ୍ନ ଜିଲ୍ଲାକୁ କୁହୁଡ଼ିଜନିତ ସତର୍କତା ଜାରି କରାଯାଇଛି। ୧୩ ତାରିଖ ପର୍ଯ୍ୟନ୍ତ ଘନ କୁହୁଡି ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ଶନିବାର ରାତିରୁ ରବିବାର ସକାଳ ମଧ୍ୟରେ ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କୋରାପୁଟ ଓ ସୁନ୍ଦରଗଡ଼ ଜିଲ୍ଲାରେ ଘନ କୁହୁଡ଼ି ହେବ ବୋଲି କେନ୍ଦ୍ର କହିଛି। ସେହିପିର ଝାରସୁଗୁଡ଼ା, କେନ୍ଦୁଝର, କଳାହାଣ୍ଡି, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ମଧ୍ୟମ ଧରଣର କୁହୁଡ଼ି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରିଛି। ଘନ କୁହୁଡି ନେଇ ସତର୍କତା ଜାରି କରାଯାଇଥିବାରୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବା ପାଇଁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି। ରାଜପଥରେ ଦୁର୍ଘଟଣା ଏଡ଼ାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

About The Author: The Sakala