ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହନଶୀଳତା ଅଭିଯାନ: ଏପର୍ଯ୍ୟନ୍ତ ବିଦାହେଲେଣି ୧୬୪ ଅପାରଗ ଓ ଦୁର୍ନୀତିଖୋର

ଭୁବନେଶ୍ୱର: ସାଧାରଣ ଜୀବନରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁ ସମୟରେ ବି ଦୁର୍ନୀତିର ଅଭିଯୋଗ ଆସିଛି, ସେତେବେଳେ ଦୁର୍ନୀତିଖୋରଙ୍କୁ ଶାସ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ। ଜିରୋ ଟଲରେନ୍ସ ବା ଶୂନ୍ୟ ସହନଶୀଳ ନୀତି ଆପଣାଇ ସରକାରୀ କଳକୁ ବାରମ୍ବାର […]

ଭୁବନେଶ୍ୱର: ସାଧାରଣ ଜୀବନରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁ ସମୟରେ ବି ଦୁର୍ନୀତିର ଅଭିଯୋଗ ଆସିଛି, ସେତେବେଳେ ଦୁର୍ନୀତିଖୋରଙ୍କୁ ଶାସ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ। ଜିରୋ ଟଲରେନ୍ସ ବା ଶୂନ୍ୟ ସହନଶୀଳ ନୀତି ଆପଣାଇ ସରକାରୀ କଳକୁ ବାରମ୍ବାର ସତର୍କ କରାଉଥିବା ମୁଖ୍ୟମନ୍ତ୍ରୀ ନେଇ ଚାଲିଛନ୍ତି ଅନେକ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ । ଯାହା ଦିନକୁ ଦିନ ଉଦାହରଣ ପାଲଟିବାରେ ଲାଗିଛି। ଜନସାଧାରଣଙ୍କୁ ସ୍ୱଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି ।

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହନଶୀଳନା ନୀତି ଆଧାରରେ ଗତକାଲି (ବୁଧବାର) ୬ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏହାକୁ ମିଶାଇ ଆଜି ସୁଦ୍ଧା ୧୬୪ ଜଣ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଲାଣି। ବୁଧବାର ଚାକିରିରୁ ବିଦା ହୋଇଥିବା ଅଧିକାରୀଙ୍କ ମଧ୍ୟରେ ମୁଖ୍ୟଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ବ୍ଲକ ଶିକ୍ଷା ଅଧିକାରୀ ପ୍ରମୁଖ ସାମିଲ ଅଛନ୍ତି।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ହସ୍ତଗତ ସୂଚନା ଅନୁସାରେ, ଆଜି ବାଧ୍ୟତାମୂଳକ ଅବସର ପାଇଥିବା ଅଧିକାରୀଙ୍କ ମଧ୍ୟରେ ତିନି ଜଣ ନିର୍ବାହୀ ଯନ୍ତ୍ରୀ, ଦୁଇ ଜଣ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଏବଂ ଜଣେ ମୁଖ୍ୟଯନ୍ତ୍ରୀ ଅଛନ୍ତି। ସମ୍ବଲପୁର ଇଲେକ୍ଟ୍ରିିକାଲ ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ପଣ୍ଡାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଶ୍ରୀ ପଣ୍ଡାଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଥିବା ବେଳେ ଚଢ଼ଉ ପରେ ତାଙ୍କ ହେପାଜତରୁ ୩ କୋଟି ୨୬ ଲକ୍ଷ ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠାବ କରାଯାଇଥିଲା।

ଏଥିପାଇଁ ସରକାର ତାଙ୍କୁ ପୂର୍ବରୁ ନିଲମ୍ବିତ କରିଥିବା ବେଳେ ଆଜି ଚାକିରିରୁ ବିଦା କରାଯାଇଛି। ସେହିପରି ଚରମ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ବ୍ରହ୍ମପୁର ରୁରାଲ୍‍ ୱାର୍କ୍ସ ଇଲେକ୍ଟ୍ରିକାଲ ଡିଭିଜନ୍‍ର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ଥିଲା। ତାଙ୍କ ନିକଟରୁ ୭.୬୩ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରାଯାଇ ନିଲମ୍ବନ କରାଯାଇଥିଲା। ସେହିପରି ଭୁବନେଶ୍ୱରରେ କାର୍ଯ୍ୟରତ ନିର୍ବାହୀ ଯନ୍ତ୍ରୀ (ଟେଷ୍ଟିଂ ଆଣ୍ଡ କାଲିବିରେସନ୍‍) ତଥା ଡେପୁଟି ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ଦୀପକ କୁମାର ଭୂୟାଁଙ୍କ ନାମରେ ଦୁଇଟି ଦୁର୍ନୀତି ମାମଲା ରୁଜୁ ହୋଇଥିଲା। କାର୍ଯ୍ୟକ୍ଷେତ୍ରରେ ଅସାଧୁ ଆଚରଣ ପାଇଁ ଆଜି ଶ୍ରୀ ଭୂୟାଁଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏଥିସହ ଭୁବନେଶ୍ୱରର ନିର୍ବାହୀ ଯନ୍ତ୍ରୀ (ଇଡି ଆଣ୍ଡ ଇନ୍ସପେକ୍ସନ୍‍) ତଥା ଡେପୁଟି ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ମିଶ୍ରଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି।

ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ରାୟଗଡ଼଼ା ଜିଲ୍ଲା ଗୁଣୁପୁର ସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଅନ୍ତର୍ଯ୍ୟାମୀ ବେହେରାଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଛି। ସେ ୧୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଚଳିତ ମାସ ୨ ତାରିଖ ଦିନ ତାଙ୍କୁ ଗିରଫ କରାଯାଇଥିଲା। ଅପରପକ୍ଷେ ଗଜପତି ଜିଲ୍ଲା ନୂଆଗଡ଼଼ସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଛି। ଶ୍ରୀ ନାୟକ ନିଜ କାର୍ଯ୍ୟାଳୟ ଭିତରେ ୩୦ ହଜାର ଟଙ୍କା ଉତ୍କୋଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିଲେ। ଏହି କାରଣ ପାଇଁ ଆଜି ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଗତ ୧୬ ତାରିଖରେ ୬ ଜଣ ଦୁର୍ନୀତିଖୋର ଏବଂ ଅପାରଗ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା।

ସାଧାରଣ ଜୀବନରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ୱାରୋପ କରୁଥିବା ବେଳେ ଦୁର୍ନୀତିଗ୍ରସ୍ତ ଏବଂ କର୍ତ୍ତବ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ କ୍ଷେତ୍ରରେ ଆଦୌ ଦୟା ପ୍ରଦର୍ଶନ କରାଯିବ ନାହିଁ ବୋଲି ଚେତାବନୀ ଦେଇ ଆସିଛନ୍ତି। ସରକାରୀ ଚାକିରିରେ ରହିଲେ ଲୋକଙ୍କ ପାଖରେ ଉତ୍ତରଦାୟୀ ରହିବାକୁ ପଡ଼ିବ। ସ୍ୱଚ୍ଛତା ଓ ଦକ୍ଷତା ପ୍ରଦର୍ଶନ କଲେ ପୁରସ୍କାର ମିଳିବ। କିନ୍ତୁ ଅବହେଳା କଲେ ନିସ୍ତାର ମିଳିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରି ଦେଇଛନ୍ତି। ପରିଣାମ ସ୍ୱରୂପ, ଏପରି କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ଚାକିରିରୁ ବିଦାୟ ଦିଆଯାଉଛି। ରାଜ୍ୟ ସରକାର ଯେପରି ଭାବେ ଦୁର୍ନୀତିଗ୍ରସ୍ତ ଏବଂ ଅପାରଗ ସରକାରୀ ବାବୁମାନଙ୍କ ବିରୋଧରେ ଚରମ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତାକୁ ଦେଖି ସେଇ ରାସ୍ତାରେ ଥିବା ଅନ୍ୟ ବାବୁମାନେ ଏବେ ପୂରା ଛାନିଆ।

About The Author: The Sakala