ରାଜ୍ୟ ଡାସବୋର୍ଡ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ; ଜନସାଧାରଣଙ୍କୁ ମିଳିବ ଗୁଣାତ୍ମକ ତଥ୍ୟ, ତଥ୍ୟ ଭିତ୍ତିକ ନିଷ୍ପତ୍ତି ଗ୍ରହଣ ବ୍ୟବସ୍ଥାକୁ ଆହୁରି ଦୃଢ଼ କରିବ ରାଜ୍ୟ ଡାସବୋର୍ଡ

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ପକ୍ଷରୁ ଡାଟା ଏବଂ ଆନାଲିଟିକ୍ସ- ପରିଚାଳିତ ପ୍ଲାଟଫର୍ମ ରାଜ୍ୟ ଡାସବୋର୍ଡ ଲୋକାର୍ପିତ ହୋଇଛି। ଲୋକଙ୍କ ସୁବିଧା ପାଇଁ ତଥ୍ୟ ଭିତ୍ତିରେ ସରକାରୀ ଯୋଜନାଗୁଡ଼ିକର ତଦାରଖ ଏବଂ ଉତ୍ତମ ପରିଚାଳନା ଦିଗରେ ଏହା ବିଶେଷ ସହାୟକ ହେବ। ରାଜ୍ୟ ଡାସବୋର୍ଡରେ ୩ଟି ପ୍ରମୁଖ ବର୍ଗ ରହିଛି। ଯଥା- ମୁଖ୍ୟମନ୍ତ୍ରୀ ଡାସବୋର୍ଡ, ବିଭାଗ ଡାସବୋର୍ଡ ଏବଂ ପ୍ରଶାସନିକ ପଦକ୍ଷେପ ତଦାରଖ ପୋର୍ଟାଲ। ଏହି ବ୍ୟବସ୍ଥା ଦ୍ଵାରା 5T ଭିତ୍ତିରେ ବିଭିନ୍ନ ପ୍ରଶାସନିକ ବିଭାଗର କାର୍ଯ୍ୟଦକ୍ଷତା ମୂଲ୍ୟାୟନ […]

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ପକ୍ଷରୁ ଡାଟା ଏବଂ ଆନାଲିଟିକ୍ସ- ପରିଚାଳିତ ପ୍ଲାଟଫର୍ମ ରାଜ୍ୟ ଡାସବୋର୍ଡ ଲୋକାର୍ପିତ ହୋଇଛି। ଲୋକଙ୍କ ସୁବିଧା ପାଇଁ ତଥ୍ୟ ଭିତ୍ତିରେ ସରକାରୀ ଯୋଜନାଗୁଡ଼ିକର ତଦାରଖ ଏବଂ ଉତ୍ତମ ପରିଚାଳନା ଦିଗରେ ଏହା ବିଶେଷ ସହାୟକ ହେବ। ରାଜ୍ୟ ଡାସବୋର୍ଡରେ ୩ଟି ପ୍ରମୁଖ ବର୍ଗ ରହିଛି। ଯଥା- ମୁଖ୍ୟମନ୍ତ୍ରୀ ଡାସବୋର୍ଡ, ବିଭାଗ ଡାସବୋର୍ଡ ଏବଂ ପ୍ରଶାସନିକ ପଦକ୍ଷେପ ତଦାରଖ ପୋର୍ଟାଲ। ଏହି ବ୍ୟବସ୍ଥା ଦ୍ଵାରା 5T ଭିତ୍ତିରେ ବିଭିନ୍ନ ପ୍ରଶାସନିକ ବିଭାଗର କାର୍ଯ୍ୟଦକ୍ଷତା ମୂଲ୍ୟାୟନ ହେବ।

ଏହି ଡାସବୋର୍ଡର ପ୍ରମୁଖ ବୈଶିଷ୍ଟ୍ୟ ହେଉଛି KPIs (Key Performance Indicators) ପ୍ରଦର୍ଶନ ମୂଲ୍ୟାଙ୍କନ ବ୍ୟବସ୍ଥା ଏବଂ କାର୍ଯ୍ୟର ଅଗ୍ରଗତି ଦର୍ଶାଉଥିବା ଏକ ଭିଜୁଆଲ ଡିସପ୍ଲେ; ଯାହା ସମୟୋଚିତ ପଦକ୍ଷେପ ନେବାରେ ବେଶ ସହାୟକ ହେବ। ବର୍ତ୍ତମାନ ଏଥିରେ ୩୦ ଟି ଭିନ୍ନ ଭିନ୍ନ ଡାସବୋର୍ଡ ମାଧ୍ୟମରେ ୧୬ ଟି ବିଭାଗ ଯୋଡ଼ି ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଅଧିକ ବିଭାଗକୁ ଏଥିରେ ଅନ୍ତର୍ଭୁକ୍ତ କରିବାକୁ ଯୋଜନା ରହିଛି। ବିଭାଗଗୁଡ଼ିକର କାର୍ଯ୍ୟଦକ୍ଷତା ଏବଂ ସେମାନଙ୍କ ଦ୍ଵାରା ପରିଚାଳିତ ଯୋଜନାଗୁଡ଼ିକର ମୂଲ୍ୟାୟନ କରିବା ପାଇଁ ଏଥିରେ ଭିଜୁଆଲାଇଜେସନ୍ ଏବଂ ଆଡଭାନ୍ସଡ ଆନାଲିଟିକ୍ସର ବ୍ୟବହାର କରାଯାଇଛି।

ରାଜ୍ୟ ଡାସବୋର୍ଡ ମଧ୍ୟରେ ମୁଖ୍ୟମନ୍ତ୍ରୀ ଡାସବୋର୍ଡ ରହିଛି। ଲୋକଙ୍କ ସୁବିଧା ପାଇଁ ଏଥିରେ ସମସ୍ତ ତଥ୍ୟ ଉପଲବ୍ଧ ରହିଛି। ପ୍ରଦତ୍ତ ଲିଙ୍କ – https://cmdashboard.odisha.gov.in/ ମାଧ୍ୟମରେ ସାଧାରଣ ଲୋକ ଏହି ଡାସବୋର୍ଡର ବ୍ୟବହାର କରିପାରିବେ। ଜନ ଭାଗିଦାରୀ ଦ୍ଵାରା ବିଭାଗଗୁଡ଼ିକର ଉତ୍ତରଦାୟିତ୍ଵ ବଢିବା ସହ ଲୋକଙ୍କୁ ଉତ୍ତମ ସେବା ପ୍ରଦାନ ବ୍ୟବସ୍ଥାରେ ଆହୁରି ସ୍ଵଚ୍ଛତା ଆସିବ।

5T କୁ ଭିତ୍ତିକରି ବ୍ୟବସ୍ଥାରେ ସ୍ଵଚ୍ଛତା ବଜାୟ ରଖିବା ସହ ସମୟୋଚିତ କାର୍ଯ୍ୟ ସମ୍ପାଦନ ପାଇଁ ଏଥିରେ ଅଭିନବ ଜ୍ଞାନକୌଶଳର ଉପଯୋଗ କରଯାଇଛି। ଏହି ଅତ୍ୟାଧୁନିକ ଡାସବୋର୍ଡ ଜରିଆରେ ପ୍ରଶାସନିକ ଅଧିକାରୀମାନଙ୍କୁ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ତଥ୍ୟ ନେଇ ପୁଙ୍ଖାନୁପୁଙ୍ଖ ସୂଚନା ମିଳିପାରିବ।

ଏହି ଡାସବୋର୍ଡ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, “ଟେକ୍ନୋଲୋଜି ଆମ ଶାସନ ମଡେଲର ଆଧାରବିନ୍ଦୁ ପାଲଟିଛି। ଶାସନ ବ୍ୟବସ୍ଥାକୁ ଆହୁରି ପ୍ରଭାବୀ କରିବା ସହ ଜନସେବାରେ ଆହୁରି ସ୍ବଚ୍ଛତା ଆଣିବାକୁ ଆମେ ଶ୍ରେଷ୍ଠ ଟେକ୍ନୋଲୋଜିର ନିରନ୍ତର ବ୍ୟବହାର ଜାରି ରଖିବୁ।“

“ ଏହି ସମନ୍ଵିତ ଡାସବୋର୍ଡର ଶୁଭାରମ୍ଭ 5T ଶାସନ ମଡେଲକୁ ଆହୁରି ଆଗକୁ ନେବ। ଆମ 5T ଶାସନ ମଡେଲ ସହ ତଥ୍ୟ ଭିତ୍ତିକ ସମୟୋଚିତ ପଦକ୍ଷେପକୁ ସୁନିଶ୍ଚିତ କରିବାରେ ସହାୟକ ହେବ।”

ସରକାରୀ ଯୋଜନାଗୁଡ଼ିକ ତଦାରଖ ବ୍ୟତୀତ, ଏହି ଡାସବୋର୍ଡ ଦ୍ଵାରା ଯୋଜନାଗୁଡ଼ିକର ଅଗ୍ରଗତି ନେଇ ଅଧିକାରୀମାନେ ପଦକ୍ଷେପ ନେଇପାରିବେ। ରାଜ୍ୟ ଡାସବୋର୍ଡରୁ ନାଗରିକମାନଙ୍କୁ ନୀତି ନିର୍ଦ୍ଧାରଣ, ବଜେଟ୍ ଆବଣ୍ଟନ ଏବଂ ସାଧାରଣ ଖର୍ଚ୍ଚ ବାବଦ ସୂଚନା ସହଜରେ ମିଳିପାରିବ। ଲୋକମାନେ ସହଜରେ ସରକାରୀ ସେବାର ଲାଭ ଉଠାଇପାରିବେ। ଏହାଦ୍ବାରା ରାଜ୍ୟ ବିକାଶରେ ଲୋକଙ୍କ ଭାଗିଦାରୀ ବୃଦ୍ଧି ପାଇବ। ଲୋକଙ୍କ କଲ୍ୟାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ ଏବଂ ତଥ୍ୟ ପରିଚାଳିତ ଶାସନ ବ୍ୟବସ୍ଥାରେ ଏହି ଡାସବୋର୍ଡ ଏକ ନୂଆ ଅଧ୍ୟାୟ ଯୋଡ଼ିବ।

About The Author: The Sakala