ଚଳିତ ମାସ ହେବ ମୋହନ କ୍ୟାବିନେଟ୍‌ର ସମ୍ପ୍ରସାରଣ; ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ବୋର୍ଡ ଓ ନିଗମ ନିଯୁକ୍ତି…

ଭୁବନେଶ୍ୱର: ଖୁବ୍‌ଶୀଘ୍ର ହେବ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ଦିନକ ତଳେ ପୁନର୍ବାର ରାଜ୍ୟ ସଭାପତି ନିର୍ବାଚିତ ହୋଇଥିବା ମନମୋହନ ସାମଲଙ୍କ ଏହି ପଦକ ଇଙ୍ଗିତ ଆଶାୟୀଙ୍କୁ ଅସ୍ଥିର କରିଛି। ଅନ୍ୟପକ୍ଷରେ ମନ୍ତ୍ରିମଣ୍ଡଳରୁ ବାଦ ଆଶଙ୍କାରେ ଥିବା ତିନି ଚାରିଜଣ ମନ୍ତ୍ରୀ ଅସ୍ଥିର ଅନୁଭବ କରୁଛନ୍ତି। ଚଳିତ ମାସ ମୋହନ ମନ୍ତ୍ରିମଣ୍ଡଳର ପ୍ରଥମ ସମ୍ପ୍ରସାରଣ ହୋଇପାରେ ଓ ସମ୍ଭବତଃ ୨୪ ତାରିଖରୁ ୩୧ ତାରିଖ ମଧ୍ୟରେ ଯେ କୌଣସି ମୁହୂର୍ତ୍ତରେ ନୂଆ ମନ୍ତ୍ରୀମାନେ ଶପଥ ନେଇପାରନ୍ତି। ଆସନ୍ତାକାଲିଠାରୁ କୃଷ୍ଣପକ୍ଷ, […]

ଭୁବନେଶ୍ୱର: ଖୁବ୍‌ଶୀଘ୍ର ହେବ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ଦିନକ ତଳେ ପୁନର୍ବାର ରାଜ୍ୟ ସଭାପତି ନିର୍ବାଚିତ ହୋଇଥିବା ମନମୋହନ ସାମଲଙ୍କ ଏହି ପଦକ ଇଙ୍ଗିତ ଆଶାୟୀଙ୍କୁ ଅସ୍ଥିର କରିଛି। ଅନ୍ୟପକ୍ଷରେ ମନ୍ତ୍ରିମଣ୍ଡଳରୁ ବାଦ ଆଶଙ୍କାରେ ଥିବା ତିନି ଚାରିଜଣ ମନ୍ତ୍ରୀ ଅସ୍ଥିର ଅନୁଭବ କରୁଛନ୍ତି। ଚଳିତ ମାସ ମୋହନ ମନ୍ତ୍ରିମଣ୍ଡଳର ପ୍ରଥମ ସମ୍ପ୍ରସାରଣ ହୋଇପାରେ ଓ ସମ୍ଭବତଃ ୨୪ ତାରିଖରୁ ୩୧ ତାରିଖ ମଧ୍ୟରେ ଯେ କୌଣସି ମୁହୂର୍ତ୍ତରେ ନୂଆ ମନ୍ତ୍ରୀମାନେ ଶପଥ ନେଇପାରନ୍ତି। ଆସନ୍ତାକାଲିଠାରୁ କୃଷ୍ଣପକ୍ଷ, ତେଣୁ ୨୪ ତାରିଖରେ ଅମାବାସ୍ୟା ପରେ ନୂଆ ମନ୍ତ୍ରୀ ପରିଷଦ ଶପଥ ନେଇ ପାରନ୍ତି ବୋଲି ସୂଚନା ମିଳିଛି।

ରାଜ୍ୟରେ ବର୍ତ୍ତମାନ ୬ଟି ମନ୍ତ୍ରୀପଦ ଖାଲି ପଡ଼ିଛି। ସେହିପରି ଅଧିକାଂଶ ମନ୍ତ୍ରୀମାନଙ୍କ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ସ୍ୱାସ୍ଥ୍ୟ, ଆଇନ, ଯୋଗାଣ, ଉଚ୍ଚଶିକ୍ଷା ଆଦି ବିଭାଗ ବର୍ଷକ ମଧ୍ୟରେ ଅନେକ ବିବାଦର ସମ୍ମୁଖୀନ ହୋଇଛି। ପୁନଶ୍ଚ ଏକାଧିକ ମନ୍ତ୍ରୀଙ୍କ ନିକଟରେ ଦୁଇ ତିନିଟି ବିଭାଗ ରହିଛି। ତେଣୁ ଏକ ସମତୁଲ ମନ୍ତ୍ରିମଣ୍ଡଳ ଗଠନ ପାଇଁ ଉଭୟ ରାଜ୍ୟ ସଭାପତି ଓ ମୁଖ୍ୟମନ୍ତ୍ରୀ ପ୍ରାଥମିକ ଆଲୋଚନା କରିଛନ୍ତି। ପ୍ରତି ଲୋକସଭା କ୍ଷେତ୍ରରୁ ଅନ୍ୟୂନ ଜଣକୁ ମନ୍ତ୍ରୀ ପରିଷଦରେ ସ୍ଥାନ ଦେବାକୁ ବିଚାରବିମର୍ଶ କରାଯାଇଛି। ମହିଳା ଭାଗିଦାରୀ ବୃଦ୍ଧି କରିବାକୁ ଦଳୀୟ ନେତୃତ୍ୱ ଆପାତତଃ ସ୍ଥିର କରିସାରିଛନ୍ତି। ମନ୍ତ୍ରୀ ପରିଷଦରେ ୬ଟି ପଦ ଖାଲି ପଡ଼ିଥିବା ବେଳେ ବୋର୍ଡ, ନିଗମ, ଅକାଦେମୀ ଓ କମିସନରେ ସରକାର ଏଯାବତ୍‌ ନିଯୁକ୍ତି ଦେଇପାରି ନାହାନ୍ତି। ଦଳର ଛାମୁଆ ନେତାଙ୍କ ମଧ୍ୟରେ ଛକାପଞ୍ଝା, ଗୋଷ୍ଠୀକନ୍ଦଳ ଏବଂ ଲବି ରାଜନୀତି କାରଣରୁ ସମ୍ପ୍ରସାରଣ ଓ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେବାରେ ଲାଗିଛି। ତେବେ ମନମୋହନ ଦଳରେ ପୁନର୍ବାର ଦାୟିତ୍ୱ ନେବା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ନିଗମ ନିଯୁକ୍ତି ଶୀଘ୍ର କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ୟ ଏକ ସୂଚନା ଅନୁଯାୟୀ ସମ୍ପ୍ରସାରିତ ମନ୍ତ୍ରିମଣ୍ଡଳର ସ୍ୱରୂପ ପୂର୍ବରୁ ନିର୍ଦ୍ଧାରିତ ହୋଇ ରହିଛି। ଦଳରେ ଲୋକସଭା ଆସନୱାରୀ ପ୍ରତିନିଧିତ୍ୱକୁ ଗୁରୁତ୍ୱ ମିଳିବାକୁ ଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି ମନ୍ତ୍ରିମଣ୍ଡଳର ଚୂଡ଼ାନ୍ତ ସ୍ୱରୂପ ନେଇ ଏକ କବାଟକିଳା ବୈଠକ କରିପାରନ୍ତି। ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ପରେ ଆସନ୍ତା ସପ୍ତାହରେ ସମ୍ପ୍ରସାରଣ କରାଯିବ। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ନିଗମ, ବୋର୍ଡ, ଅକାଦେମୀ ଏବଂ ଅନ୍ୟାନ୍ୟ ନିଯୁକ୍ତି ନେଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ଜଣାପଡ଼ିଛି।

About The Author: The Sakala