ନଭେମ୍ବର ପହିଲାରୁ ‘ଇକୋ ରିଟ୍ରିଟ୍‌‌’, ଭର୍ଚୁଆଲରେ ଉଦ୍‌‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନଭେମ୍ବର ପହିଲାରୁ ଆରମ୍ଭ ହେବ ‘ଇକୋ ରିଟ୍ରିଟ୍‌‌-୨୦୨୩-୨୪’। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଇକୋ-ରିଟ୍ରିଟ୍‌‌ ୱେବସାଇଟ୍‌‌ (ବୁକ୍‌‌ ଓଡ଼ିଶା ଡଟ୍‌‌ କମ୍‌‌ ଏବଂ ଓଡ଼ିଶା ଇକୋ ରିଟ୍ରିଟସ୍‌‌ ଡଟ୍‌‌ କମ୍‌‌) ରେ ବୁକିଂ ଚାଲିଛି। ଚଳିତ ଥର ୩ ମାସ ଧରି ୭ଟି ଜାଗାରେ ଏହା ଅନୁଷ୍ଠିତ ହେବ। କୋରାପୁଟ, କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ ଓ ପାଟୀ ସୋନାପୁର ବେଳାଭୂମିରେ ପର୍ଯ୍ୟଟକ ନିଆରା ଅନୁଭୂତି ସାଉଁଟିବେ। ପ୍ରଥମ ପର୍ଯ୍ୟାୟରେ ହୀରାକୁଦ, ଦାରିଙ୍ଗବାଡି, […]

ଭୁବନେଶ୍ୱର: ନଭେମ୍ବର ପହିଲାରୁ ଆରମ୍ଭ ହେବ ‘ଇକୋ ରିଟ୍ରିଟ୍‌‌-୨୦୨୩-୨୪’। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଇକୋ-ରିଟ୍ରିଟ୍‌‌ ୱେବସାଇଟ୍‌‌ (ବୁକ୍‌‌ ଓଡ଼ିଶା ଡଟ୍‌‌ କମ୍‌‌ ଏବଂ ଓଡ଼ିଶା ଇକୋ ରିଟ୍ରିଟସ୍‌‌ ଡଟ୍‌‌ କମ୍‌‌) ରେ ବୁକିଂ ଚାଲିଛି। ଚଳିତ ଥର ୩ ମାସ ଧରି ୭ଟି ଜାଗାରେ ଏହା ଅନୁଷ୍ଠିତ ହେବ। କୋରାପୁଟ, କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ ଓ ପାଟୀ ସୋନାପୁର ବେଳାଭୂମିରେ ପର୍ଯ୍ୟଟକ ନିଆରା ଅନୁଭୂତି ସାଉଁଟିବେ। ପ୍ରଥମ ପର୍ଯ୍ୟାୟରେ ହୀରାକୁଦ, ଦାରିଙ୍ଗବାଡି, କୋରାପୁଟ(ପୁଟସିଲ୍‌‌) ଓ ସାତକୋଶିଆ ଆଦି ୪ଟି ସ୍ଥାନରେ ଉଦ୍‌‌ଘାଟିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏକାସାଙ୍ଗରେ ୪ଟି ସ୍ଥାନର ଇକୋ ରିଟ୍ରିଟ୍‌‌କୁ ଉଦ୍‌‌ଘାଟନ କରିବେ। ବିଭିନ୍ନ ସ୍ଥାନରେ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ, ନିର୍ଦ୍ଦେଶକ ଓ ଅଧିକାରୀମାନେ ଉପସ୍ଥିତ ରହିବେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍‌ ଡିସେମ୍ବର ୧ ତାରିଖରେ ସୋନାପୁର ଓ ଭିତରକନିକା ଏବଂ ତୃତୀୟ ପର୍ଯ୍ୟାୟ ଅର୍ଥାତ୍‌‌ ଡିସେମ୍ବର ୧୫ରୁ କୋଣାର୍କ ଇକୋ ରିଟ୍ରିଟ୍‌‌ ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ରାଜ୍ୟର ବିକାଶ ପାଇଁ ସରକାର ଏହି ଉଦ୍ୟମ କରିଛନ୍ତି। ଏଥିରେ ପର୍ଯ୍ୟଟକମାନଙ୍କ ଲାଗି ସମସ୍ତ ପ୍ରକାର ସୁବିଧା ଯଥା, ବେଳାଭୂମି ଓ ପ୍ରାକୃତିକ ଶୋଭାରାଜିରେ ଭରପୂର ପରିବେଶରେ କଟେଜ୍‌‌, ୱାଟର ରାଇଡସ୍‌‌, ଜେଟ୍‌‌ ସ୍କି, ବନାନା ରାଇଡ଼, ବୋଟିଂ ଆଦିରେ ମଧ୍ୟ ଫଟୋ ସୁଟ୍‌‌ କରିବାର ସୁଯୋଗ ମିଳିବ। ଏହାସହ ଜଙ୍ଗଲ ସଫାରୀ, ରୋପ୍‌‌ୱେ ରାଇଡ଼କୁ ମଧ୍ୟ ଏଥିପାଇଁ ବ୍ୟବହାର କରିପାରିବେ ପର୍ଯ୍ୟଟକ। ପ୍ରକୃତି କୋଳରେ ରହି ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଦୁଃସାହସିକ ଜଳ କ୍ରୀଡ଼ାକୁ ଉପଭୋଗ କରିବେ ଦେଶ ବିଦେଶର ପର୍ଯ୍ୟଟକ। ସୁଦୀର୍ଘ ସମୁଦ୍ରର ବାଲୁକା ରାଶିରେ ଅତ୍ୟାଧୁନିକ କ୍ୟାମ୍ପ୍‌‌ ସହ ଷ୍ଟାର୍‌‌ ହୋଟେଲ ଖାଦ୍ୟର ମଜା ନେବେ ପର୍ଯ୍ୟଟକ। ଗତବର୍ଷ କୋଣାର୍କ ଇକୋ ରିଟ୍ରିଟ୍‌‌ରେ ସର୍ବାଧିକ ପର୍ଯ୍ୟଟକ ବୁକିଂ କରିଥିବାରୁ ଚଳିତ ବର୍ଷ କୋଣାର୍କ ଇକୋରିଟ୍ରିଟ୍‌‌ର ବୁକିଂ ଦାମ୍‌‌ ୧୦ ପ୍ରତିଶତ ବୃଦ୍ଧି କରାଯାଇଥିବା ବେଳେ ଅନ୍ୟ ସ୍ଥାନଗୁଡ଼ିକରେ ସମାନ ରହିଛି।

କଟକ ଜିଲ୍ଲା ନରସିଂହପୁର କମଳାଡ଼ିହ ଗ୍ରାମ ପଞ୍ଚାୟତ ବାଲିପୁଟର ମହାନଦୀ କୂଳରେ ଥିବା ସାତକୋଶିଆ ଗଣ୍ଡଠାରେ ଆୟୋଜିତ ହେବାକୁ ଥିବା ‘ଇକୋ ରିଟ୍ରିଟ୍‌‌’ରେ ଝରଣା, ମନ୍ଦିର ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୂର ଆନନ୍ଦ ନେବେ ପର୍ଯ୍ୟଟକ। ଏଠାରେ ପ୍ରାୟ ୨୫ଟି ଟେଣ୍ଟ୍‌‌ରେ ପର୍ଯ୍ୟଟକଙ୍କ ରହଣୀ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ମହାନଦୀ କୂଳରେ ଯୋଗ, ବୋଟିଂ, ସାଇକ୍ଲିଂ, ନେଚରଟ୍ରେଲ ଆଦି ପର୍ଯ୍ୟଟକଙ୍କୁ ବେଶ୍‌‌ ଆକୃଷ୍ଟ କରିବ। ସେହିପରି ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଭିତରକନିକା ଜାତୀୟ ଉଦ୍ୟାନ ସ୍ୱତନ୍ତ୍ରତା ନିଆରା। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ବିଶ୍ୱ ପ୍ରସିଦ୍ଧ ଭିତରକନିକାର ନଳିତା ପାଟିଆଠାରେ ବି ‘ଇକୋ ରିଟ୍ରିଟ୍‌‌’ ଆରମ୍ଭ ହେବ। ଏଠାରେ କୃତ୍ରିମ ଝରଣା ସହ କଇଁଚ, ହରିଣ, ଦେଶୀ ବିଦେଶୀ ପକ୍ଷୀ, ମୟୂର ଓ ବଉଳା କୁମ୍ଭୀର ସହ ସମୟ ବିତାଇବାର ସୁଯୋଗ ପାଇବେ ପର୍ଯ୍ୟଟକ। ଜୈବ ବିବିଧତାରେ ଭରପୂର ଭିତରକନିକାରେ ପର୍ଯ୍ୟଟନ ଋତୁରେ ପ୍ରକୃତିପ୍ରେମୀ ଭିତରକନିକା ପରିଭ୍ରମଣ ଓ ଜଳଯାତ୍ରା କରିବାକୁ ସୁଯୋଗ ପାଇବେ। ଏଠାରେ ବିଳାସପୂର୍ଣ୍ଣ କଟେଜ୍‌‌ ରହିଥିବା ବେଳେ ଚା’ ଓ କଫି, ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ସଂଧ୍ୟା ଜଳଖିଆ ଓ ରାତ୍ରି ଭୋଜନାରେ ବିଭିନ୍ନ ସୁସ୍ୱାଦ ଖାଦ୍ୟ ରହିଛି। ଏଠାରେ ସୁନ୍ଦର ବେଳାଭୂମି, ଆଡଭେନଚର୍ସ, ୱାଇଲଡଲାଇଫ୍‌‌, ବୋଟିଂ, ଆଡଭେନଚର ଗେମ୍‌‌, ଆର୍ଚେରୀ, ସୁଟିଂ ଆଦିର ଭରପୂର ମଜା ନେବେ ପର୍ଯ୍ୟଟକ।

ଏହାସହ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ‘ଇକୋ ରିଟ୍ରିଟ୍‌‌’ରେ ମଧ୍ୟ ପର୍ଯ୍ୟଟକମାନେ ନିଆରା ଅନୁଭୂତି ପାଇେବ। ଏଠାରେ ପର୍ଯ୍ୟଟକମାନେ ଆଡ଼ଭେନଚର ସ୍ପୋର୍ଟ୍ସ, ଜିପ୍‌‌ ଲାଇନ୍‌‌, ରୋପ୍‌‌ ସ୍ୱିଇଂ, କମାଣ୍ଡୋ ଏକସରସାଇଜ୍‌‌ର ମଜା ନେବା ସାଙ୍ଗକୁ ଦାସିଂବାଡ଼ି ୱାଟରଫଲ୍‌‌ ବା ମିଦୁବନ୍ଧା ଜଳପ୍ରପାତ ବୁଲିବାର ସୁଯୋଗ ପାଇବେ। ଏଠାରେ ମୁଖ୍ୟ ଆକର୍ଷଣ ପାଲଟିବ ମଣ୍ଡାସୁରୁ ସାଇଲେଣ୍ଟ ଭ୍ୟାଲି ଅଫ୍‌‌ ଓଡ଼ିଶା ବା ଓଡ଼ିଶାର ପ୍ରଥମ ବାଇଓଡାଇଭରସିଟି ସ୍ପଟ୍‌‌। ଫୁଲବାଣୀଠାରୁ ୯୬କିମି ଦୂର କନ୍ଧମାଳ ଜିଲ୍ଲା ରାଇଗିଆ ବ୍ଲକରେ ଥିବା ଏହି ପର୍ଯ୍ୟଟନସ୍ଥଳୀକୁ ନିକଟରୁ ଉପଭୋଗ କରିବାର ସୁଯୋଗ ଦେବ ଇକୋ ରିଟ୍ରିଟ୍‌‌। ଇକୋ ରିଟ୍ରିଟ୍‌‌ର ୨ ଦିନିଆ ପ୍ୟାକେଜ୍‌‌ରେ ଏହି ସୁବିଧା ଉପଲବ୍ଧ ରହିଛି। ଏହି ସ୍ଥାନକୁ ଯିବା ଆସିବା ନିମନ୍ତେ ଓଟିଡିସି ପକ୍ଷରୁ ସୁବିଧା ରହିଛି। ଏଠାରେ ଲଭର୍ସ ପଏଣ୍ଟ, ସରସ୍ୱତୀ କେଭ୍‌‌, ହିଲ୍‌‌ ଭ୍ୟୁ, କଫି ଗାର୍ଡେନ୍‌‌, ପାଇନ୍‌‌ ଫରେଷ୍ଟ ଆଦି ଦେଖିବାର ସୁଯୋଗ ରହିବ। ଏଥିପାଇଁ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌‌ ଆଗ୍ରହ ସୃଷ୍ଟି ହୋଇଥିବା ବେଳେ ଇକୋ ରିଟ୍ରିଟ୍‌‌ ୱେବସାଇଟ୍‌‌କୁ ଯାଇ ଯେକୌଣସି ବ୍ୟକ୍ତି କୁବିଂ କରିପାରିବେ ବୋଲି ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

About The Author: The Sakala