କାମାକ୍ଷାନଗର: ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ଗରିବ ଅସହାୟଲୋକଙ୍କ ପାଇଁ ଆର୍ଶିବାଦ ପାଲଟିଛି। ରାଜ୍ୟରେ ଯେ କୌଣସି ଗରିବ ଲୋକ ଯେପରି ଜଟିଳରୁ ଜଟିଳ ରୋଗର ଚିକିତ୍ସା ସୁବିଧାରେ ପାଇପାରିବ ସେନେଇ ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ। ଯାହାର ସୁଫଳ ପାଇ ନୂଆ ଜୀବନ ପାଇଛନ୍ତି ଢେଙ୍କାଳନାଳ ଜିଲ୍ଲା କଙ୍କଡାହାଡ ବ୍ଲକର ସୁଶାନ୍ତ ସାହୁ ଓ କଟକ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ପ୍ରକାଶ କୁମାର ନାୟକ । ବିଏସ୍କେୱାଇ ସ୍ମାର୍ଟକାର୍ଡ ବ୍ୟବହାର କରି ସମସ୍ତ ଚିକିତ୍ସା ସେବା ପାଇ ପାରିଥିବାରୁ ଉଭୟଙ୍କ ପରିବାର ଲୋକେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।
କଙ୍କଡାହାଡ଼ ବ୍ଲକ ରାଇବୋଲ ପଞ୍ଚାୟତ ଅନ୍ତର୍ଗତ ରାଇବୋଲ ଗ୍ରାମର ସୁଶାନ୍ତ ସାହୁ ପେଶାରେ ଜଣେ କାଠମିସ୍ତ୍ରୀ। ତେବେ ଅନେକ ଦିନ ଧରି ସେ ଛାତିରେ ଯନ୍ତ୍ରଣା ଭୋଗୁଥିଲେ। ଅନେକ ସ୍ଥାନରେ ଡାକ୍ତରଙ୍କୁ ଦେଖାଇବା ପରେ ହାର୍ଟରେ ସମସ୍ୟା ଥିବାରୁ ଅପରେସନ କରିବାକୁ ପରାମର୍ଶ ଦେଇଥିଲେ। ବ୍ୟୟବହୁଳ ହାର୍ଟ ଅପରେସନ ପାଇଁ ଜଣେ କାଠମିସ୍ତ୍ରୀ ଭାବରେ ଟଙ୍କା ଯୋଗାଡ଼ କରିବା ସୁଶାନ୍ତଙ୍କ ପାଇଁ ଅସମ୍ଭବ ମନେ ହେଉଥିଲା। କିନ୍ତୁ ଏହି ବିପଦ ସମୟରେ ସହା ହେଲା ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ। ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡର ଲାଭ ଉଠାଇ ସୁଶାନ୍ତ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମାଗଣାରେ ହାର୍ଟ ଅପରେସନ କରିଛନ୍ତି। ଯାହା ତାଙ୍କୁ ଦେଇଛି ଏକ ନୂଆ ଜୀବନ। ଏଥିପାଇଁ ସୁଶାନ୍ତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ଏହି ଯୋଜନାରେ ବହୁ ଗରିବ ଓ ଅଭାବୀ ଲୋକ ନୂଆ ଜୀବନ ପାଉଥିବା ପ୍ରକାଶ କରିଛନ୍ତି।
ସେହପରି, ଅସ୍ତରଙ୍ଗ ଅଞ୍ଚଳର ପ୍ରକାଶ କୁମାର ନାୟକ(୩୦)ଙ୍କର ଏକ ଜଟିଳ ଅସ୍ତ୍ରୋପଚାର ସଫଳ ହୋଇଛି। ବିଏସ୍କେୱାଇ ସ୍ମାର୍ଟକାର୍ଡ ବ୍ୟବହାର କରି ସମସ୍ତ ଚିକିତ୍ସା ସେବା ପାଇ ପାରିଥିବାରୁ ପ୍ରକାଶ ଏବଂ ତାଙ୍କ ପରିବାର ଲୋକେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଅସ୍ତରଙ୍ଗ କୁହୁଡି ଗ୍ରାମର ଅଖିଳ କୁମାର ନାୟକ ଏବଂ ଟୁନି ନାୟକଙ୍କ ବଡ ପୁଅ ପ୍ରକାଶ। ପରିବାରର ଆର୍ଥିକ ବୋଝ ପ୍ରକାଶଙ୍କ ଉପରେ। ଗାଁରେ ଏକ ଦୋକାନ କରି ସେ ପରିବାର ପ୍ରତିପୋଷଣ କରନ୍ତି। ଦୁଇ ବର୍ଷ ପୂର୍ବେ ଏକ ବରଯାତ୍ରୀ ଯାଇଥିବା ବେଳେ ସେଠାରେ ଅଘଟଣ ଘଟିଥିଲା। ପ୍ରକାଶଙ୍କ ଡାହାଣ ଗୋଡରେ ଆଘାତ ଲାଗିଥିଲା। ହେଲେ ଆଭ୍ୟନ୍ତରୀଣ ଆଘାତ ଯୋଗୁଁ ପ୍ରଥମେ ସେ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିନଥିଲେ। ମାତ୍ର କିଛି ଦିନ ପରେ ପ୍ରକାଶଙ୍କର ଚଲାବୁଲା ବନ୍ଦ ହୋଇଯାଇଥିଲା। ପରୀକ୍ଷାନିରୀକ୍ଷା କରିବାରୁ ତାଙ୍କର ଇଣ୍ଟରିଅର କ୍ରୁସିଏଟ ଲିଗାମେଣ୍ଟ(ଏସିଏଲ) ଜନିତ ସମସ୍ୟା ଥିବା ଜଣାପଡ଼ିଥିଲା। ଚିକିତ୍ସାରେ ବିଳମ୍ବ ହେତୁ ସ୍ୱାସ୍ଥ୍ୟଗତ ସମସ୍ୟା ଜଟିଳ ହୋଇ ସାରିଥିଲା। ୨ବର୍ଷ ଧରି ସେ ଯନ୍ତ୍ରଣା ସହିବା ପରେ କିଛି ଦିନ ପୂର୍ବେ ଭୁବନେଶ୍ୱର ୟୁନିଟ-୬ ସ୍ଥିତ ସରକାରୀ ହସ୍ପିଟାଲକୁ ଯାଇଥିଲେ। ଅସ୍ତ୍ରୋପଚାରର ଆବଶ୍ୟକତା ଥିବା ତାଙ୍କୁ କୁହାଯାଇଥିଲା। ମାତ୍ର ପ୍ରକାଶଙ୍କ ପୂର୍ବରୁ ଅନେକ ରୋଗୀ ଅସ୍ତ୍ରୋପଚାର ନିମନ୍ତେ ତାଲିକାରେ ରହିଥିଲେ। ଏଣୁ ଅସ୍ତ୍ରୋପଚାରରେ ବିଳମ୍ବ ହୋଇପାରେ ବୋଲି ଆଶଙ୍କା କରି ସେ କଟକ ଆସିଥିଲେ। ବିଏସ୍କେୱାଇ କାର୍ଡଧାରୀ ହୋଇଥିବାରୁ ତାଙ୍କୁ ସମସ୍ତ ଚିକିତ୍ସା ସହଜରେ ମିଳି ପାରିବ ବୋଲି ନିଶ୍ଚିତ ଥିଲେ। ଶ୍ରଦ୍ଧାସବୁରୀ ନର୍ସିଂହୋମରେ ତାଙ୍କୁ ପରିବାର ଲୋକେ ଭର୍ତ୍ତି କରିଥିଲେ। ଗତ ସପ୍ତାହରେ ତାଙ୍କର ଏଠାରେ ଅସ୍ତ୍ରୋପଚାର ହୋଇଥିଲା। ପ୍ରାୟ ୨ ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇଥିଲା। ଏବେ ତାଙ୍କ ଡାକ୍ତରମାନେ ସ୍ୱତନ୍ତ୍ର ନିରୀକ୍ଷଣରେ ରଖିଛନ୍ତି। ଅସ୍ତ୍ରୋପଚାର ସଫଳ ହୋଇଥିବା ବେଳେ ସେ ପୂର୍ବଭଳି ଚଲାବୁଲା କରିବାକୁ ସକ୍ଷମ ହେବେ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।
ପ୍ରକାଶ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଏହି ଯୋଜନା ଗରିବ ରୋଗୀମାନଙ୍କ ନିମନ୍ତେ ବରଦାନ ପାଲଟିଛି। ଟଙ୍କା ଟିଏ ବି ଖର୍ଚ୍ଚ ନକରି ଉନ୍ନତ ସ୍ୱାସ୍ଥ୍ୟ ସେବା ମିଳି ପାରୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାରଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।