ଭୁବନେଶ୍ୱର: ‘ଏ ଛୋଟୁ ୩ ନମ୍ବର ଟେବୁଲ୍ରେ ପାଣି ଲଗା… ସେପଟେ କଷ୍ଟମର ଗହଳି ହେଲା, ପ୍ଲେଟ୍ ଉଠା’। ସେ ଆରଟା କୁଆଡ଼େ ଗଲା, ସେବେଠୁ ଭିତରକୁ ଯାଇଛି ବାହାରି ପାରୁନି’। ଏ ଥିଲା ଖଣ୍ଡଗିରିଠାରେ ଥିବା ଏକ ବ୍ୟସ୍ତବହୁଳ ହୋଟେଲ ମାଲିକଙ୍କ କଥା। ନିଜ ହୋଟେଲ୍ରେ କାମ କରୁଥିବା କିଛି ଶିଶୁଶ୍ରମିକଙ୍କୁ ତାଗିଦା କରି ମାଲିକ ଜଣଙ୍କ ଏଭଳି ଢଙ୍ଗରେ ନିର୍ଦ୍ଦେଶ ଦେଉଥିଲେ। ଖାଲି ଖଣ୍ଡଗିରି ନୁହେଁ ରାଜଧାନୀର ପ୍ରତି ମାର୍କେଟ୍ରେ ଥିବା ହୋଟେଲ୍ ଓ ଢାବାଗୁଡ଼ିକରେ ଏବେ ଛୋଟୁମାନେ ହିଁ ଦାୟିତ୍ୱ ମେଣ୍ଟାଉଛନ୍ତି। ଖାଦ୍ୟ ପରିଷିବାଠାରୁ ଆରମ୍ଭ କରି ପ୍ଲେଟ୍ ଉଠା ଓ ବାସନ ମାଜିବା ପାଇଁ ହୋଟେଲ୍ ମାଲିକମାନେ ଏମିତି ଶିଶୁ ଶ୍ରମିକଙ୍କୁ ନିଯୁକ୍ତ କରି କାମ କରାଉଛନ୍ତି।
ରାଜଧାନୀର ବିଭିନ୍ନ ହୋଟେଲ୍ ଅତିକମ୍ରେ ୨/୩ ଜଣ ଶିଶୁ ଶ୍ରମିକଙ୍କୁ ଦେଖିବାକୁ ମିଳୁଛି। ଗ୍ରାହକମାନେ ଯିବାଠାରୁ ସେମାନଙ୍କୁ ପାଣି ଦେବାରୁ ଖାଇବା ବାସନ ଉଠାଇବା ପର୍ଯ୍ୟନ୍ତ ଏହି ଶିଶୁ ଶ୍ରମିକମାନେ ହିଁ କାମ କରୁଛନ୍ତି। ସେଥିରେ ଯଦି କେହି କିଛି ଭୁଲ୍ ଭଟକା କରିଦେଲା ମାଲିକଙ୍କ କର୍କଶ ସ୍ୱର ଶୁଣି ଚୁପ୍ ରହୁଛନ୍ତି। ସବୁଠୁ ବଡ଼କଥା ହେଲା ଯେ ଖୋଦ୍ ରାଜଧାନୀରେ ଏଭଳି ସ୍ଥିତି ଉତ୍କଟ ହେଉଥିବା ବେଳେ ଶିଶୁ ସୁରକ୍ଷାକୁ ଗୁରୁତ୍ୱ ଦେଉଥିବା ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୌଣସି ସ୍ଥାନରେ ଚଢ଼ଉ କରାଯାଉ ନ ଥିବାରୁ ଏହି ସ୍ଥିତି ବଢ଼ିବଢ଼ି ଚାଲିଥିବା ସାଧାରଣ ଲୋକମାନେ ଅଭିଯୋଗ କରିଛନ୍ତି। ଯୁବକ କିମ୍ବା ବୟସ୍କ ଲୋକଙ୍କ ଅପେକ୍ଷା ଶିଶୁ ଶ୍ରମିକମାନେ ଯଥେଷ୍ଟ କମ୍ ଦରମାରେ କାମ କରୁଛନ୍ତି। ଖାଇବା ପିଇବା ବ୍ୟତୀତ ମାସକୁ ୪-୫ ହଜାର ଟଙ୍କା ଦେଇ ମାଲିକମାନେ ଏମାନଙ୍କଠାରୁ କାମ ଆଦାୟ କରିନେଉଛନ୍ତି। ସେହିପରି ଛୋଟ ପିଲମାନେ ଛୁଟି ନେଉ ନ ଥିବାକୁ ଦୋକାନ ଚଳାଇବାରେ ବିଶେଷ ସମସ୍ୟା ହେଉନାହିଁ। ଏହି ଶିଶୁ ଶ୍ରମିକମାନେ ବର୍ଷକୁ ଥରେ ଅଧେ ଘରକୁ ଯାଉଛନ୍ତି। ସେଥିରେ ବି ୨-୩ ଦିନ ଭିତରେ ଆସିଯାଉଥିବାରୁ ମାଲିକମାନଙ୍କର କୌଣସି ସମସ୍ୟା ହେଉନାହିଁ। ତେବେ କାମ କରୁଥିବା ପିଲାମାନଙ୍କ ମଧ୍ୟରେ ଅଧିକାଂଶ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି। କିଛି ପିଲା ଅଷ୍ଟମ ନବମରୁ ପାଠ ଛାଡ଼ି ସହରମୁହାଁ ହେଉଥିବା ବେଳେ କିଛି ପିଲା ଦଶମ ଫେଲ୍ ପରେ କାମ ପାଇଁ ଆସୁଛନ୍ତି। ଏହି କ୍ଷେତ୍ରରେ ପିଲାମାନେ ନିଜ ପରିବାରର ଆର୍ôଥକ ସ୍ଥିତି ଦୃଷ୍ଟିରୁ ହୋଟେଲ ଓ ଢାବାଗୁଡ଼ିକରେ କାମ କରୁଥିବା ଦର୍ଶାଇଛନ୍ତି। ସେହିପରି ବୟସ ହୋଇ ନ ଥିବାରୁ ଅନ୍ୟ କୌଣସି ସ୍ଥାନରେ କାମ ମିଳୁନି। ତେଣୁ ସେମାନେ ହୋଟେଲ କିମ୍ବା ଢାବାରେ କାମ କରୁଛନ୍ତି ବୋଲି କିଛି ଶିଶୁ ଶ୍ରମିକ କହିଛନ୍ତି।
ଅନ୍ୟପଟେ କିଛି ପିଲାଙ୍କୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ମଧ୍ୟ ଅଣାଯାଉଥିବା ଦେଖିବାକୁ ମିଳିଛି। ଖଣ୍ଡଗିରି, ଆଚାର୍ଯ୍ୟ ବିହାର, ମାଷ୍ଟର କ୍ୟାଣ୍ଟିନ୍, ବାପୁଜୀ ନଗର, ସହିଦ ନଗର ସହିତ ସିଆର୍ପି ଆଦି ଅଞ୍ଚଳରେ ଏହି ଶିଶୁଶ୍ରମିକମାନଙ୍କୁ ଦେଖିବାକୁ ମିଳୁଛି। ଭୁବନେଶ୍ୱର ଆଖପାଖରେ ଥିବା ଢାବାଗୁଡ଼ିକରେ ବି ଏମାନେ ଦିନରାତି କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ଶିଶୁଶ୍ରମିକ ପ୍ରଥା ଉଚ୍ଛେଦ ପାଇଁ ଗତ ୨୦୦୬ ମସିହାରୁ ଶିଶୁ ଶ୍ରମିକ ନିରୋଧ ଆଇନ୍ ପ୍ରଣୟନ କରାଯାଇଥିଲା। କିନ୍ତୁ ରାଜଧାନୀର ହୋଟେଲ୍ଗୁଡ଼ିକୁ ଦେଖିଲେ ତାହାର କାର୍ଯ୍ୟକାରିତା ଉପରେ ଆଙ୍ଗୁଳି ଉଠିଛି। ଘଟଣା ସମ୍ପର୍କରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି ଯେ କୋଭିଡ୍ ପରେ ଏମିତି ସ୍ଥିତି ଉପୁଜିଛି। ଘଟଣା ସମ୍ପର୍କରେ ଆୟୋଗ ମଧ୍ୟ ଅବଗତ ଅଛି। ଦୀର୍ଘ ଦିନ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରହିବା କାରଣରୁ ପିଲାମାନେ ପଢ଼ା ପ୍ରତି ବୀତସ୍ପୃହ ହୋଇ ସହରକୁ ଚାଲି ଆସୁଛନ୍ତି। ସହରେ ହୋଟେଲ୍ ଓ ଗ୍ୟାରେଜ ଆଦି କରିଥିବା ଲୋକମାନେ ଗାଁରୁ ଏମିତି ପିଲାଙ୍କୁ ନେଇ ଆସୁଛନ୍ତି। କମ୍ ଟଙ୍କାରେ ପିଲାମାନେ କାମ କରିବା ପାଇଁ ରାଜି ହୋଇଯାଉଥିବାରୁ ମାଲିକମାନେ ସେମାନଙ୍କୁ କାମରେ ନିୟୋଜିତ କରୁଛନ୍ତି। ବଡ଼ ହୋଟେଲଗୁଡ଼ିକରେ ଶିଶୁଶ୍ରମିକ ନିଯୁକ୍ତ କଲେ ସେମାନଙ୍କ ଲାଇସେନ୍ସ ରଦ୍ଦ ହୋଇଯିବାର
ଭୟ ରହିଛି। ତେଣୁ ସେମାନେ ଏଥିରୁ ବିରତ ରହୁଛନ୍ତି କିନ୍ତୁ ଛୋଟ ଛୋଟ୍ ହୋଟେଲ୍ ଏଥିପ୍ରତି ଅବହେଳା ପ୍ରଦର୍ଶନ କରୁଛନ୍ତି। ଏଥିରେ ରୋକ୍ ଲଗାଇବା ପାଇଁ ଆଗକୁ ପୁଲିସ ଶ୍ରମ ବିଭାଗ ଟାକ୍ସ ଫୋର୍ସ ଗଠନ କରି ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରିବେ। ଏଥିପାଇଁ ଆୟୋଗ ପକ୍ଷରୁ ନିର୍ଦ୍ଦେଶ ଦିଆଯିବ ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି।