ଗଞ୍ଜାମ: ସୋସିଆଲ ମିଡିଆ ରିଲ୍ସ ଏବଂ ସେଲ୍ଫି ନିଶା ନେଲା ଅମୂଲ୍ୟ ଜୀବନ । ପ୍ରେମିକାଙ୍କ ସହ ରିଲ୍ସ କରୁଥିବା ବେଳେ ପାହାଡ଼ ତଳକୁ ଖସିପଡ଼ିଲେ ଯୁବକ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅନ୍ତର୍ଗତ ତୁରୁବୁଡ଼ି ବାଙ୍କେଶ୍ୱରି ଘାଟୀ ରାସ୍ତାର ମୁଗୁରାନାଳରେ ରିଲ୍ସ କରୁଥିବା ବେଳେ ଅସାବଧାନତାବଶତଃ ପାହାଡ଼ ଉପରୁ ଖସି ପଡ଼ି ଜଣେ କଲେଜ ଛାତ୍ର ପ୍ରଖର ସ୍ରୋତରେ ଭାସିଯାଇଛନ୍ତି । ତେବେ ପୋଲିସ ଓ ଅଗ୍ନିଶମ ବାହିନୀର ଦେଢ଼ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁଯାୟୀ, ଜଣେ ଯୁବକ ନିଜ ବାନ୍ଧବୀଙ୍କ ସହ ରିଲ୍ସ କରୁଥିବା ସମୟରେ ପାହାଡ଼ ଉପରୁ ଖସି ପଡ଼ିଥିଲେ। ଖବର ପାଇ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଣ୍ଡି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ଦିଗପହଣ୍ଡି ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକ ଓ ତାଙ୍କ ବାନ୍ଧବୀ ବ୍ରହ୍ମପୁରର ଏକ କଲେଜର ଛାତ୍ରଛାତ୍ରୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।ସୋସିଆଲ ମିଡିଆ ପାଇଁ ବିପଜ୍ଜନକ ସ୍ଥାନରେ ଜୀବନକୁ ବାଜି ଲଗାଇ ରିଲ୍ସ କିମ୍ବା ସେଲ୍ଫି ନେବାର ଭୟଙ୍କର ପରିଣାମକୁ ପୁଣି ଥରେ ଦର୍ଶାଇଛି।