ବଲାଙ୍ଗୀର: ଭୁବନେଶ୍ୱରର କେବିଏନ୍ ଓ କଟକର ପବ୍ଲିକ ଷଣ୍ଢ ଗ୍ରୁପ ପରି ଏବେ ବଲାଙ୍ଗୀରରେ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ନୂଆ ଗ୍ୟାଙ୍ଗ୍ ‘କିଙ୍ଗ୍ ଗ୍ରୁପ’ର ଭାଇଗିରି । ବନ୍ଧୁକ, ଖଣ୍ଡା, ଭୁଜାଲି ଏବଂ ଅନ୍ୟ ମାରଣାସ୍ତ୍ର ଧରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ କରୁଛନ୍ତି । କିଙ୍ଗ୍ ଗ୍ରୁପର ଏପରି ଉତ୍ପାତ ଦେଖି ଜନସାଧାରଣ ଭୟଭୀତ ହେଉଛନ୍ତି। ବଲାଙ୍ଗୀର ପୁଇଁତଲା ଥାନା ଅନ୍ତର୍ଗତ କୌଣସି ଏକ ସ୍ଥାନରୁ ଏଭଳି ଭିଡିଓ ଭାଇରାଲ ହୋଇଥିବା ନେଇ ସୂଚନା ଆସିଛି।
ସୂଚନା ଅନୁସାରେ, ଭୁବନେଶ୍ୱରର କେବିଏନ୍ ଗ୍ୟାଙ୍ଗ ଦ୍ୱାରା ପ୍ରଭାବିତ ହୋଇ କଟକର କିଛି ଯୁବକ ସୋସିଆଲ୍ ମିଡିଆରେ ଆତଙ୍କର ଭିଡିଓ ପୋଷ୍ଟ୍ କରି ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଏବେ ବଲାଙ୍ଗୀରରେ ପୁଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛି କିଙ୍ଗ୍ ଗ୍ରୁପ । କଟକର ପବ୍ଲିକ ଷଣ୍ଢ ଗ୍ରୁପର କୌଣସି ଅଭିଯୁକ୍ତମାନଙ୍କୁ ପୁଲିସ ଠାବ କରିପାରି ନ ଥିବା ବେଳେ କିଙ୍ଗ୍ ଗ୍ରୁପର ଭାଇରାଲ୍ ଭିଡିଓ ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ସୋସିଆଲ୍ ମିଡିଆରେ ଆତଙ୍କ ସୃଷ୍ଟି କରୁଥିବା ଏଭଳି ଅସାମାଜିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଡିସିପି ପ୍ରମୋଦ ରଥ ସୂଚନା ଦେଇଛନ୍ତି ।