ଆଜି ଯୋଗଦେବେ ବିଏମ୍‍ସି ନୂଆ କମିସନର : ଆରମ୍ଭରୁ ‘ମୌସୁମୀ’ ଆହ୍ୱାନ

ଭୁବନେଶ୍ୱର : ୧୩ ମାସ ପରେ ବିଏମ୍‍ସି କମିସନରଙ୍କ ବଦଳି ହୋଇଛି। ନୂଆ କମିସନର ଭାବେ ଗଞ୍ଜାମ ଜିଲ୍ଲାପାଳ ଥିବା ବିଜୟ ଅମୃତା କୁଲାଙ୍ଗେଙ୍କୁ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି। ଶ୍ରୀ କୁଲାଙ୍ଗେ ସୋମବାର ବିଏମସିରେ ଦାୟିତ୍ୱ ଗ୍ରହଣ କରିବାକୁ ଥିବା ବେଳେ ତାଙ୍କ ପାଇଁ ଗୁଡ଼ାଏ ଆହ୍ୱାନ ରହିଛି। ଯଦିଓ ଗଞ୍ଜାମ ଭଳି ଜିଲ୍ଲାରେ ସେ ଦକ୍ଷତାର ସହ କାର୍ଯ୍ୟକରି ରାଜ୍ୟର ଜଣେ ଚର୍ଚ୍ଚିତ ପ୍ରଶାସକ ଭାବେ ପରିଚୟ ପାଇଛନ୍ତି, ମାତ୍ର ବିଏମ୍‍ସିରେ ସ୍ଥିତି ସମ୍ପୂର୍ଣ୍ଣ […]

ଭୁବନେଶ୍ୱର : ୧୩ ମାସ ପରେ ବିଏମ୍‍ସି କମିସନରଙ୍କ ବଦଳି ହୋଇଛି। ନୂଆ କମିସନର ଭାବେ ଗଞ୍ଜାମ ଜିଲ୍ଲାପାଳ ଥିବା ବିଜୟ ଅମୃତା କୁଲାଙ୍ଗେଙ୍କୁ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି। ଶ୍ରୀ କୁଲାଙ୍ଗେ ସୋମବାର ବିଏମସିରେ ଦାୟିତ୍ୱ ଗ୍ରହଣ କରିବାକୁ ଥିବା ବେଳେ ତାଙ୍କ ପାଇଁ ଗୁଡ଼ାଏ ଆହ୍ୱାନ ରହିଛି। ଯଦିଓ ଗଞ୍ଜାମ ଭଳି ଜିଲ୍ଲାରେ ସେ ଦକ୍ଷତାର ସହ କାର୍ଯ୍ୟକରି ରାଜ୍ୟର ଜଣେ ଚର୍ଚ୍ଚିତ ପ୍ରଶାସକ ଭାବେ ପରିଚୟ ପାଇଛନ୍ତି, ମାତ୍ର ବିଏମ୍‍ସିରେ ସ୍ଥିତି ସମ୍ପୂର୍ଣ୍ଣ ଅଲଗା ରହିଛି। ବିଶେଷକରି ଆଉ ଦିନ କେଇଟା ପରେ ମୌସୁମୀ ଭୁବନେଶ୍ୱର ଛୁଇଁବାକୁ ଥିବାରୁ ଏବେଠାରୁ ରାଜଧାନୀର ସ୍ଥିତି କିପରି ରହିବ ତାକୁ ନେଇ ଡର ଆରମ୍ଭ ହୋଇଯାଇଛି। ବର୍ଷା ଦିନେ ରାଜଧାନୀରେ ଦେଖାଦେଉଥିବା ଜଳବନ୍ଦୀ ସମସ୍ୟା ସମେତ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ପାଇଁ ସେ କେଉଁ ପଦକ୍ଷେପ ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଅନେକ ଡ୍ରେନ୍‍ କାମ ଏବେ ବି ଅଧପନ୍ତରିଆ ହୋଇପଡ଼ି ରହିଛି। ୱାର୍ଡରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଲେ କର୍ପୋରେଟରମାନେ କର୍ପୋରେସନ ବୈଠକରେ ହୋ ହାଲ୍ଲା କରିବେ। ସମାନ ଭାବେ ଇସ୍କନ ମନ୍ଦିର ଆଗ, ଜନପଥ, ନୂଆପଲ୍ଲୀ, ଆଚାର୍ଯ୍ୟ ବିହାର ଓ ଲକ୍ଷ୍ମୀସାଗର ଅଞ୍ଚଳରେ ଦେଖାଦେଉଥିବା ଜଳବନ୍ଦୀ ସମସ୍ୟା ଏବେ ଭୁବନେଶ୍ୱର ସମେତ ଓଡ଼ିଶାର ଚର୍ଚ୍ଚିତ ଘଟଣା ହୋଇଛି। ଏହାର ସ୍ଥାୟୀ ସମାଧାନ ପାଇଁ ପୂର୍ବତନ କମିସନରମାନେ ଅଣ୍ଟା ଭିଡ଼ିଥିଲେ ମଧ୍ୟ ସେମାନଙ୍କ ବଦଳି ହେଉ କିମ୍ବା ଅନ୍ୟ କେଉଁ କାରଣ ପାଇଁ ଏହି ମିସନ ବର୍ତ୍ତମାନ ପର୍ଯ୍ୟନ୍ତ ବିଫଳ ହୋଇ ରହିଛି। ତେଣୁ ଏହାର ମୁକାବିଲା ଏକ ବଡ଼ ଆହ୍ୱାନ ହେବ ବୋଲି ଜଣାପଡ଼ିଛି। ଜଳବନ୍ଦୀ ସମସ୍ୟା ବ୍ୟତୀତ ରାଜଧାନୀରେ ଗାଡ଼ି ପାର୍କିଂ ସମସ୍ୟା ଉଗ୍ର ହେବାରେ ଲାଗିଛି। ସହରର ପ୍ରମୁଖ ରାସ୍ତାରେ ପାର୍କିଂ ଯୋଗୁଁ ଲୋକେ ସମସ୍ୟାରେ ପଡ଼ୁଛନ୍ତି।

ସ୍ମାର୍ଟସିଟି ପକ୍ଷରୁ ଦୁଇଟି ମଲ୍ଟି ଲେଭଲ କାର୍‍ ପାର୍କିଂ ବିଲଡିଂ ନିର୍ମାଣ ସରିଥିଲେ ମଧ୍ୟ ମାର୍କେଟ୍‍ ବିଲ୍ଡିଂ ଓ ସହିଦ ନଗରକୁ ଛାଡ଼ି ଦେଲେ ବାକି ଅଞ୍ଚଳଗୁଡ଼କରେ ଏହି ସମସ୍ୟା ଉଦ୍‍ବେଗଜନକ ସ୍ଥିତିରେ ପହଞ୍ଚିଛି। ଅନେକ ସ୍ଥାନରେ ବେଆଇନ୍‍ ଭାବେ ପାର୍କିଂ ଫି’ ମଧ୍ୟ ଆଦାୟ କରାଯାଉଛି। ଏହି ସମସ୍ୟାକୁ ସମାଧାନ କରିବା ସହିତ ପାର୍କିଂ ବ୍ୟବସ୍ଥାକୁ ନେଇ ଲୋକଙ୍କ ମନରେ ରହିଥିବା ଅସନ୍ତୋଷ ପ୍ରଶମନ କରିବା ନୂଆ କମିସନରଙ୍କ ପାଇଁ ଆହ୍ୱାନ ହୋଇପାରେ। ଏହାସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ଦ୍ଧିତ ହୋଲ୍ଡିଂ ଟିକସ ଆଦାୟ ଉପରେ ରୋକ୍‍ ଲଗାଯାଇଥିବା ବେଳେ କୋର୍ଟଙ୍କ ରାୟ ଆସିବା ପରେ ବିଚିତ୍ର ସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଅନ୍ୟପଟେ ଏହି ସମୟ ମଧ୍ୟରେ କେମିତି ସେ ଧାର୍ଯ୍ୟ ଟିକସ ଆଦାୟ କରିବେ ଓ ହୋଲ୍ଡିଂ ଟିକସ ବ୍ୟବସ୍ଥାର ହୋଇଥିବା ଅନ୍‍ଲାଇନ୍‍କରଣକୁ କିପରି ଜାରି ରଖିବେ ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି।

ଏହା ବ୍ୟତୀତ ବର୍ତ୍ତମାନ ପର୍ଯ୍ୟନ୍ତ ଭୁବନେଶ୍ୱର ସମସ୍ତ ଏମ୍‍ସିସି କାର୍ଯ୍ୟକ୍ଷମ ହୋଇପାରି ନ ଥିବାରୁ ଏହା ମଧ୍ୟ ଏକ ବଡ଼ ଆହ୍ୱାନ ହୋଇ ରହିଛି। ଦାରୁଠେଙ୍ଗରେ ଅଳିଆ ନ ପକାଇବା ପାଇଁ ବାରମ୍ବାର ତାରିଖ ଦିଆଯାଉଛି। ହେଲେ ସହରରେ ସମସ୍ତ ୱାର୍ଡ ପାଇଁ ଏମସିସି ନିର୍ମାଣ ଶେଷ ହୋଇ ପାରୁ ନ ଥିବାରୁ ସେଠାକୁ ଅଳିଆ ଯିବା ଜାରି ରହିଛି। ସେହିପରି ବିଏମ୍‍ସି ଦାରୁଠେଙ୍ଗବାସୀଙ୍କ ମଧ୍ୟରେ ବିବାଦ ବଢ଼଼ୁଥିବା ବେଳେ ବାୟୋମାଇନିଂ ପ୍ରକଳ୍ପର ଭାଗ୍ୟ ମଧ୍ୟ ଅନ୍ଧାରକୁ ଠେଲି ହୋଇଯାଉଛି। ଏ କ୍ଷେତ୍ରରେ ନୂତନ କମିସନରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ ପୂର୍ବରୁ ସେ ଜିଲ୍ଲାପାଳ ଥିବା ବେଳେ ପ୍ରଥମ ଥର ପାଇଁ ଭୁବନେଶ୍ୱର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପୌର ସଂସ୍ଥାର କମିସନର ଭାବେ ଦାୟିତ୍ୱ ତୁଲାଇବେ। ବିଏମ୍‍ସି ମେୟରଙ୍କ ସମେତ ବିଏମସିର ୬୭ କର୍ପୋରେଟରଙ୍କ ସହିତ କେମିତି ଉତ୍ତମ ସମ୍ପର୍କ ରଖି କାର୍ଯ୍ୟ ଆଗକୁ ବଢ଼଼ାଇବେ ତାହା ଉପରେ ମଧ୍ୟ ନଜର ରହିଛି। ବିଶେଷ କରି ବିରୋଧୀ ଓ ସ୍ୱାଧୀନ କର୍ପୋରେଟରଙ୍କ ଦାବି ପୂରଣ କ୍ଷେତ୍ରରେ ସେ କିପରି କାର୍ଯ୍ୟ କରିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

About The Author: The Sakala