ମନଗଢ଼ା ମନ୍ତବ୍ୟ ଦେଇ ଫସିଗଲେ ବିଜେପି ସାଂସଦ: ଭର୍ତ୍ତୃହରି ମହତାବଙ୍କୁ ବିଜେଡି ସାଂସଦଙ୍କ କଟୁ ଭର୍ତ୍ସନା

ଭୁବନେଶ୍ୱର: ନୂଆଦିଲ୍ଲୀରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ବର୍ବର ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ର୍ରି୍ରୟା ପ୍ରକାଶ ପାଇଛି । ନିଟ୍‌ ବିଭ୍ରାଟକୁ ନେଇ ସାରା ଦେଶରେ ଅସନ୍ତୋଷ ଚରମ ରୂପ ଧାରଣ କରିଛି। ଏହି ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ଗତକାଲି ନୂଆଦିଲ୍ଲୀରେ ଦେଇଥିବା ମନ୍ତବ୍ୟ ଉପରେ ମନଗଢ଼ା ଟିପ୍ପଣୀ ଦେଇ ଫସିଯାଇଛନ୍ତି ବିଜେପି ସାଂସଦ ଭର୍ତ୍ତୃହରି ମହତାବ। ନବୀନଙ୍କ ସମ୍ପର୍କରେ ଅତ୍ୟନ୍ତ ଅବାନ୍ତର, ଅରୁଚିକର, ଅଶୋଭନୀୟ ଓ ନିମ୍ନରୁଚିର ମନ୍ତବ୍ୟକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବାବେଳେ ବିଜେଡିର ସମସ୍ତ ରାଜ୍ୟସଭା ସାଂସଦ ଭର୍ତ୍ତୃହରିଙ୍କୁ ତାଙ୍କର ରାଜନୈତିକ ଜୀବନର ଇତିହାସ ସ୍ମରଣ କରାଇ ଦେଇଛନ୍ତି । 

ବିଜେଡି ସଂସଦୀୟ ଦଳ ନେତା ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି ଯେ ବିଜେଡି ଓ ଆମର ନେତା ନବୀନ ପଟ୍ଟନାୟକ ‘କ୍ରକୋଚ’ ଆନ୍ଦୋଳନକୁ ସମର୍ଥନ କରୁନାହାନ୍ତି। ମାତ୍ର ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ବର୍ବର ଆକ୍ରମଣ, ଲାଠିମାଡ଼, ରବର ବୁଲେଟ୍‌ ଓ ପାଣି ମାଡ଼ ଆଦି ଘଟଣାକୁ ନେଇ ଆମେ ଦୁଃଖ ପ୍ରକାଶ କରିଛୁ ଏବଂ ଆମର ନେତା ଏହାକୁ କଠୋର ଶବ୍ଦରେ ନିନ୍ଦା କରିଛନ୍ତି । ଏହାକୁ ନେଇ ନବୀନ ପଟ୍ଟନାୟକ ଅତ୍ୟନ୍ତ ମର୍ମାହତ ବୋଲି ମଧ୍ୟ ମନ୍ତବ୍ୟ ଦେଇଛନ୍ତି । ମାତ୍ର ଭର୍ତ୍ତୃହରି ବାବୁ ସମ୍ଭବତଃ ନବୀନ ବାବୁଙ୍କ ବକ୍ତବ୍ୟକୁ ନ ଶୁଣି  ଅନ୍ୟଦ୍ୱାରା ପ୍ରରୋଚିତ ହୋଇ ଏଭଳି ବକ୍ତବ୍ୟ ଦେଇଛନ୍ତି।  ବିଜେପିରୁ ସାଂସଦ ହେବା ପୂର୍ବରୁ ଭର୍ତ୍ତୃହରିବାବୁଙ୍କୁ ନବୀନବାବୁଙ୍କ ୬ଥର ସାଂସଦ ପଠାଇଥିଲେ।  ନବୀନ ବାବୁ ହିଂସାକୁ କେତେ ମାତ୍ରାରେ ନିନ୍ଦା ତଥା ବିରୋଧ କରନ୍ତି, ତାହା ଭର୍ତ୍ତୃହରି ବାବୁ ଭଲ ଭାବେ ଜାଣିଛନ୍ତି। ତେଣୁ ଭର୍ତ୍ତୃହରି ବାବୁଙ୍କ ମୁହଁରୁ ଏପରି କଥା ଶୋଭା ପାଏନାହିଁ। ବୋଧହୁଏ ସେ ବିଜେପିରୁ ଥିବାରୁ  ଏପରି କହିଥାଇପାରନ୍ତି। ମାତ୍ର ୨୦ ତାରିଖରେ ଯେପରି ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ କରାଗଲା ସେ ସମ୍ପର୍କରେ ଭର୍ତ୍ତୃହରିବାବୁ କାହିଁକି ନିରବ ରହିଛନ୍ତି? ଗତ ୨ ବର୍ଷରେ ଓଡ଼ିଶାରେ ୨୦ଥରରୁ ଉଦ୍ଧ୍ୱର୍ ପେପର ଲିକ୍‌ ଘଟଣାରେ ଭର୍ତ୍ତୃହରି କାହିଁକି ଚୁପ୍‌ ରହିଛନ୍ତି? ଓଡ଼ିଶାରେ ୧୭୦୦ରୁ ଉଦ୍ଧ୍ୱର୍ ପୁସ୍ତକ ମୁଦ୍ରଣ ଜନିତ ତ୍ରୁଟି ସାମ୍ନାକୁ ଆସିଛି। ଏନେଇ ସେ କାହିିଁକି ଚୁପ୍‌ ରହିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। 

ଡ. ସଂତୃପ୍ତ ମିଶ୍ର କହିଛନ୍ତି ଯେ ଭର୍ତ୍ତୃହରି ମହତାବଙ୍କ ଅବାନ୍ତର, ଅନାବଶ୍ୟକ ଏବଂ ଅଶୋଭନୀୟ ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ। ସେ ନବୀନ ବାବୁଙ୍କର ବକ୍ତବ୍ୟକୁ ଶୁଣିଥିଲେ ବା ପଢ଼ିଥିଲେ, ଏପରି କଥା କହି ନ ଥାନ୍ତେ। କଠିନ ପରିଶ୍ରମ କରି ଜୀବନରେ ସଫଳତା ପାଇଥିବା ଲୋକମାନେ ପରିଶ୍ରମର ମୂଲ୍ୟ କ’ଣ ତାହା ଜାଣନ୍ତି। ଏ କଥା ସେ ବୁଝି ପାରିବେ ନାହିଁ। ଯଦି ତାଙ୍କର ସତ୍‌ସାହସ ଅଛି, ତେବେ ସେ ଛାତ୍ରଛାତ୍ରୀଙ୍କ ସହ ଯାହା ସବୁ ଘଟିଛି ଓ ଘଟୁଛି; ସେ ସମ୍ପର୍କରେ କଟକରେ ଆସି ଓଡ଼ିଶାର ସ୍କୁଲ ଓ କଲେଜ ପିଲାଙ୍କ ନିକଟରେ ମନ୍ତବ୍ୟ ରଖନ୍ତୁ। ପ୍ରଶ୍ନପତ୍ର ଲିକ୍‌, ବାରମ୍ବାର ପରୀକ୍ଷା, ଲାଠି ଚାର୍ଜ ସବୁ ଠିକ୍‌ ବୋଲି କହନ୍ତୁ ବୋଲି ଡ଼. ମିଶ୍ର ଆହ୍ୱାନ ଦେଇଛନ୍ତି । ସାଂସଦ ଡ. ସସ୍ମିତ ପାତ୍ର କହିଛନ୍ତି ଯେ ଭର୍ତ୍ତୃହରିଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ନିନ୍ଦନୀୟ। ନିଟ୍‌୍‌ରେ ଯେଉଁ ପ୍ରକାର ଭାବରେ ସ୍କାମ୍‌ ଘଟିଲା ଏବଂ ସେଥିପାଇଁ ଯେ ସ୍ୱତଃପ୍ରବୃତ୍ତ ଭାବରେ ଭାରତବର୍ଷ ସାରା ଛାତ୍ରଛାତ୍ରୀମାନଙ୍କର ହୃଦୟରେ ଆବେଗ ବଢ଼ିଲା ଏବଂ ପ୍ରତିବାଦ ବଢ଼ିଲା, ସେଇ ପ୍ରତିବାଦ ସହିତ ବିଜେଡି ଓ ନବୀନ ବାବୁ ଅଛନ୍ତି। ସେହିପରି ନବୀନ ବାବୁ ଓ ବିଜୁ ଜନତା ଦଳ ପ୍ରତ୍ୟେକଟି ହିଂସାକୁୁ ଖଣ୍ଡନ କରି ଆସିଛନ୍ତି।  ଯଦି କୌଣସି ଜାଗାରେ ଛାତ୍ରଛାତ୍ରୀମାନେ ହିଂସା କରିଛନ୍ତି ତାହା ବି ଗ୍ରହଣୀୟ ନୁହେଁ। ସେଥିପାଇଁ ଆମର ନେତା ସ୍ୱର ଉତ୍ତୋଳନ କରିଥିଲେ।  ନବୀନ ବାବୁଙ୍କ କାର୍ଯ୍ୟକାଳରେ ୩୨ରୁ ଅଧିକ ମନ୍ତ୍ରୀମାନଙ୍କୁ ରିଜାଇନ୍‌ କରିବାକୁ ପଡ଼ିଥିଲା ନହେଲେ ସେମାନଙ୍କୁ କାଢ଼ି ଦିଆଯାଇଥିଲା। ନବୀନ ବାବୁଙ୍କ ସରକାରରେ ଯେ ଭୁଲ କରିଛି, ତାର ମନ୍ତ୍ରୀ ପଦ ଯାଇଛି। ନବୀନ ବାବୁଙ୍କୁ ଓଡ଼ିଶାବାସୀ ଭଲ ପାଆନ୍ତି। ଆଜି ଆମେ ସରକାରରେ ଥାଉ ନଥାଉ, ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥାଆନ୍ତୁ ନଥାଆନ୍ତୁ କିନ୍ତୁ ଓଡ଼ିଶାବାସୀଙ୍କ ହୃଦୟରେ ଆଜିବି ସେ ତାଙ୍କର ମୁଖ୍ୟମନ୍ତ୍ରୀ ଅଛନ୍ତିବୋଲି ସସ୍ମିତ୍‌ କହିଛନ୍ତି ।

ସାଂସଦ ସୁଲତା ଦେଓ କହିଛନ୍ତି ଯେ ଯିଏ ଶିକ୍ଷାର ମୂଲ୍ୟ ବୁଝେ ନାହିଁ, ସେ ଶିକ୍ଷା ସମ୍ପର୍କରେ ଜାଣିବ କିପରି? ଯିଏ ଆଜି ଏତେ ବଡ଼ ବଡ଼ କଥା କହୁଛନ୍ତି, ସେ କାହିଁକି ଓଡ଼ିଶାରେ ସ୍କୁଲ ପିଲାଙ୍କ ପଢ଼ା ବହିରେ ମାଳ ମାଳ ଭୁଲ ପ୍ରସଙ୍ଗରେ ଚୁପ୍‌ ରହିଛନ୍ତି।  ପିଲାଙ୍କୁ ମାଡ଼ ହବ, କଣ୍ଟା ଲଗା ବାଡ଼ିରେ ପିଟ଼ା ହବ, ଆଉ ସାଧା ପୋଷାକରେ ପୋଷାକରେ ପୁଲିସ ପିଲାଙ୍କୁ ବାଡେ଼ଇବେ ପିଲାଙ୍କୁ, ତାହେଲେ ତାଙ୍କୁ କେହି କିଛି କହିବେନି। ଆପଣଙ୍କର ମାନସିକତା କେମିତି ତାହା ଓଡ଼ିଶାର ସମସ୍ତ ଲୋକ ଜାଣିସାରିଲେଣି ବୋଲି ସେ ସମାଲୋଚନା ଛଳରେ କହିଛନ୍ତି। ସାଂସଦ ସୁଭାଶିଷ ଖୁଣ୍ଟିଆ ମଧ୍ୟ ଭର୍ତ୍ତୃହରିଙ୍କ ବୟାନର କଡ଼ା ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ନବୀନ ବାବୁ ଏପରି ଏକ ନେତୃତ୍ୱ ଯେ ଓଡ଼ିଶାର ସ୍ୱାର୍ଥ ପାଇଁ, ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ, ଦେଶର ଛାତ୍ରଛାତ୍ରୀମାନଙ୍କ ପାଇଁ  ଏବଂ ଆଗାମୀ ଦିନରେ ଦେଶର ଭବିଷ୍ୟତଙ୍କ ସହିତ ଠିଆ ହୋଇଛନ୍ତି। ନବୀନ ବାବୁଙ୍କ ବ୍ୟକ୍ତିତ୍ୱକୁ ସାରା ଭାରତବର୍ଷ ଜାଣିଛି ଏବଂ ସର୍ବା ସଦାସର୍ବଦା ସେ ସବୁବେଳେ ନ୍ୟାୟର ସହିତ ରହିଛନ୍ତି। ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ଆପଣଙ୍କୁ ଉଚିତ ଜବାବ ଦେବେ। ଆପଣଙ୍କ ଏ କୁମ୍ଭୀର କାନ୍ଦଣା ଏବଂ ନବୀନ ବାବୁଙ୍କ ବିରୁଦ୍ଧରେ ମନ୍ତବ୍ୟକୁ ନେଇ ରାଜ୍ୟବାସୀ ଆପଣଙ୍କୁ କ୍ଷମା କରିବେ ନାହିଁ ବୋଲି ସେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି।

About The Author: Madhusudan Das