କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ନିର୍ବାଚନ: ସମସ୍ତ ୧୪ ସିଟ୍‌ରେ ବିଜେଡିର ବାଜିମାତ୍‌

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀମାନେ ବାଜିମାତ କରିଛନ୍ତି। ସମସ୍ତ ୧୪ଟି ସିଟରେ ବିଜୁ ଜନତା ଦଳର ପ୍ରାର୍ଥୀମାନେ ବିପୁଳ ବିଜୟ ହାସଲ କରିଛନ୍ତି। ଜିଲ୍ଲା ଯୋଜନା ବୋର୍ଡରେ ସଦସ୍ୟ ନିମନ୍ତେ ନାମାଙ୍କନ ପରେ ଗତ ୮/୭/୨୦୨୬ରେ ଯାଞ୍ଚ ହୋଇ ପ୍ରଥମ ଦଫାରେ ବିଜେଡିର ସମସ୍ତ ୭ ଜଣ ସାଧାରଣ ବର୍ଗର ପ୍ରାର୍ଥୀ ୨ ନମ୍ବର ଜୋନର ସଦସ୍ୟ ଜିତେନ୍ଦ୍ର ସାମଲ, ୫ ଜୋନ ସଦସ୍ୟ ରଥ ମୁଣ୍ଡା, ୯ ନମ୍ବର ଜୋନ ସଦସ୍ୟ ସୁରେନ୍ଦ୍ର ଜେନା, ୨୦ ନମ୍ବର ଜୋନର କେଦାରଚନ୍ଦ୍ର ପ୍ରଧାନ, ୨୬ ନମ୍ବର ଜୋନର ଶଶିକାନ୍ତ ଖିଲାର, ୨୯ ନମ୍ବର ଜୋନର ସଦସ୍ୟ ବୁଦ୍ଧଦେବ ମହାକୁଡ଼ ଏବଂ ୩୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ ପ୍ରମୁଖ ନିଦ୍ୱର୍ନ୍ଦ୍ୱରେ ବିଜୟୀ ହୋଇଥିଲେ। ତେବେ, ମହିଳା ବର୍ଗର ୭ଟି ପଦ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପିର ୧ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ଅସୀମା ମିଶ୍ର ପରାଜିତ ହୋଇଥିବାବେଳେ ବିଜେଡିର କୌଶଲ୍ୟା ସେଠୀ, କ୍ଷୀରୋଦିନି ମହାକୁଡ଼, ମଧୁସ୍ମିତା ଦାସ, ମଇନ ସୋରେନ, ରମଣୀ ନାୟକ, ରୁନୁ ମହାନ୍ତ ଏବଂ ଶାନ୍ତିଲତା ରଣା ପ୍ରମୁଖ ବିଜେଡିର ୭ ଜଣ ପ୍ରାର୍ଥିନୀ ବିଜୟୀ ହୋଇଛନ୍ତି। 

ସୂଚନାଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲା ପରିଷଦର ୩୭ଟି ଜୋନ ମଧ୍ୟରୁ ସଦର ବ୍ଲକର ୪ ନମ୍ବର ଜୋନ ସଦସ୍ୟା ଲୀଳାବତୀ ମହାନ୍ତ ଏବଂ ପାଟଣା ବ୍ଲକର ଜୋନ ନମ୍ବର ୨୧ର ସଦସ୍ୟ ପ୍ରଫୁଲ୍ଲ ନାୟକଙ୍କର ମୃତ୍ୟୁ ଯୋଗୁଁ ପଦ ଖାଲି ରହିଛି। ଅନ୍ୟପକ୍ଷରେ ଘଟଗାଁ ବ୍ଲକ ୮ ନମ୍ବର ଜୋନର ସଦସ୍ୟା ରଞ୍ଜିତା ନାୟକ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ୩୪ ଜଣ ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା ରହିଛନ୍ତି। ଜିଲ୍ଲା ଯୋଜନା ବୋର୍ଡରେ ବିଜେଡିର ସମସ୍ତ ୧୪ଟି ସିଟରେ ବିଜୟୀ ପ୍ରାର୍ଥୀଙ୍କୁ ବିଜେଡିର କେନ୍ଦୁଝର ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତି, ବିଜେଡି ନେତା ତଥା ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର, ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ, ବିଜେଡି ନେତ୍ରୀ ତଥା ପୂର୍ବତନ ପୌରାଧକ୍ଷା ମୀନା ମାଝୀ, ବିଜେଡି ନେତା ପୂର୍ଣ୍ଣଚନ୍ଦ୍ର ସାହୁ, ବିଜେଡି ଆଇଟି ସେଲର ଜଗଦୀଶ ଆପଟ୍ଟଙ୍କ ସମେତ ବହୁ ବିଜେଡି ନେତା ଜିଲ୍ଲା ପରିଷଦ କାର୍ଯ୍ୟାଳୟକୁ ଯାଇ ଶୁଭେଚ୍ଛା ଜଣାଇଥିଲେ।

About The Author: Madhusudan Das