ଭୁବନେଶ୍ୱର: ଜୁଲାଇ ୨୦ରୁ ଅନୁଷ୍ଠିତ ହେବ ସଂସଦର ମୌସୁମୀ ଅଧିବେଶନ। ଏହାର ଅବ୍ୟବହିତ ପୂର୍ବରୁ ୧୯ ତାରିଖରେ ସର୍ବଦଳୀୟ ବୈଠକ ବସିବ। ସୂଚନା ଅନୁସାରେ ଏହି ଅଧିବେଶନରେ କେନ୍ଦ୍ର ସରକାର ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିବାର ସମ୍ଭାବନା ରହିଛି। ମୌସୁମୀ ଅଧିବେଶନ ପୂର୍ବରୁ ଆଜି ବସିବ ବିଜେଡ଼ି ସଂସଦୀୟ ଦଳ ବୈଠକ । ଦଳର ସଂସଦୀୟ ବୋର୍ଡ ଅଧ୍ୟକ୍ଷ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ନବୀନ ନିବାସରେ ଏହି ବୈଠକ ଅନୁଷ୍ଠିତ ହେବ ।
ଆସନ୍ତା ମୌସୁମୀ ଅଧିବେଶନରେ ଦଳର ରଣନୀତି ଓ ରାଜ୍ୟ ପ୍ରସଙ୍ଗଗୁଡ଼ିକ ସମ୍ପର୍କରେ ଶ୍ରୀ ପଟ୍ଟନାୟକ ଦଳୀୟ ସାଂସଦମାନଙ୍କ ସହ ଆଲୋଚନା କରିବେ । ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାରଙ୍କ ଅନୁଦାନ ହ୍ରାସ, କୋଇଲା ରାଜଭାଗ ବୃଦ୍ଧି, ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ ଭିତ୍ତିଭୂମି, ରାଜପଥ ସମ୍ପ୍ରସାରଣ, ଉପକୂଳ ରାଜପଥ ପ୍ରସଙ୍ଗ, ସହରାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଅନୁଦାନ ବୃଦ୍ଧି ଆଦି ଅନେକ ପ୍ରସଙ୍ଗରେ ବିଜେଡି ନିରନ୍ତର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରି ଆସୁଛି । ସେହିପରି ରାଜ୍ୟର ଡ଼ିଜିଟାଲ ଭିତ୍ତିଭୂମି ବିକାଶ, ଅପହଞ୍ଚ ଅଞ୍ଚଳରେ ଇଣ୍ଟରନେଟ୍ ଓ ବ୍ୟାଙ୍କ ସେବା ପାଇଁ ମଧ୍ୟ ବାରମ୍ବାର ଦାବି ହୋଇଛି । ଏହି ସବୁ ପ୍ରସଙ୍ଗରେ ମଧ୍ୟ ବିଜେଡି ସୁପ୍ରିମୋ ଦଳର ସାଂସଦମାନଙ୍କୁ ଗୁରୁମନ୍ତ୍ର ଦେଇପାରନ୍ତି ବୋଲି କୁହାଯାଉଛି ।