ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ପ୍ରତିନିଧିମଣ୍ଡଳୀର ସ୍ମାରକପତ୍ର: ଏସ୍‌ଆଇଆର-୨୦୨୬ ଅଧୀନରେ ସ୍ୱଚ୍ଛ ଓ ନିରପେକ୍ଷ ଭୋଟର ତାଲିକା ପ୍ରସ୍ତୁତ ଦାବି

ଭୁବନେଶ୍ୱର: ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଗୁରବାର ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏସ୍‌ଆଇଆର-୨୦୨୬ ଅଧୀନରେ ଦାବି ଓ ଆପତ୍ତି ଦାଖଲ ପାଇଁ ରହିଥିବା ସମୟସୀମାକୁ ଅତିକମରେ ୩୦ ଦିନ ବୃଦ୍ଧି କରିବା ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିଛି। ପ୍ରତ୍ୟେକ ଯୋଗ୍ୟ ମତଦାତା ଯେପରି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ନ୍ୟାୟସଙ୍ଗତ ସୁଯୋଗ ପାଇବେ ଏବଂ କୌଣସି ପ୍ରକୃତ ମତଦାତା ତାଙ୍କର ମତଦାନ ଅଧିକାରରୁ ବଞ୍ଚିତ ନ ହେବେ, ସେଥିପାଇଁ ଏହି ସମୟସୀମା ବୃଦ୍ଧି କରିବାକୁ ଦଳ ଦାବି କରିଛି।

ସ୍ମାରକପତ୍ରରେ ବିଜେଡି ଦର୍ଶାଇଛି ଯେ ଏସ୍‌ଆଇଆର-୨୦୨୬ର ଗଣନା ପର୍ଯ୍ୟାୟ ସମୟରେ ବିଜେଡି ସମେତ ଅନେକ ରାଜନୈତିକ ଦଳ ଓଡ଼ିଶାରେ ଗଣନା ସମୟସୀମା ବୃଦ୍ଧି ପାଇଁ ଅନୁରୋଧ କରିଥିଲେ। କିନ୍ତୁ ବାରମ୍ୱାର ନିବେଦନ ସତ୍ତେ୍ୱ ରାଜ୍ୟରେ କୌଣସି ସମୟ ବୃଦ୍ଧି କରାଯାଇ ନଥିଲା । ପରବର୍ତ୍ତୀ ସମୟରେ ନିର୍ବାଚନ କମିଶନ ଅନ୍ୟ ରାଜ୍ୟରେ ଗଣନା ପର୍ଯ୍ୟାୟର ସମୟସୀମା ବୃଦ୍ଧି କରିଥିବା ବେଳେ ଓଡ଼ିଶାକୁ ଏଥିରୁ ବାଦ୍‌ ଦେଇଥିଲେ। ବିଜେଡି ପକ୍ଷରୁ ୫ ଜୁଲାଇ, ୯ ଜୁଲାଇ, ୧୫ ଜୁଲାଇ ଓ ୧୭ ଜୁଲାଇ ୨୦୨୬ରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ସେହି ସବୁ ଉପରେ କୌଣସି ନିଷ୍ପତ୍ତି କିମ୍ୱା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଜି ପର୍ଯ୍ୟନ୍ତ ବିଜେଡିକୁ କୌଣସି ସୂଚନା ଦିଆଯାଇନାହିଁ। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ଯାଞ୍ଚ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି। ଏହି ପରିସ୍ଥିତିରେ ନିର୍ବାଚନୀ ଅଧିକାରୀ, ମତଦାତା ଏବଂ ବୁଥ୍‌ ଲେଭେଲ୍‌ ଏଜେଣ୍ଟମାନଙ୍କ ପକ୍ଷରେ ବର୍ତ୍ତମାନର ସମୟସୀମା ମଧ୍ୟରେ ଯାଞ୍ଚ ସମ୍ପୂର୍ଣ୍ଣ କରି ଦାବି ଓ ଆପତ୍ତି ଦାଖଲ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଛି। ତେଣୁ ନିର୍ବାଚନୀ ପ୍ରକ୍ରିୟାର ନିରପେକ୍ଷତା ଓ ନ୍ୟାୟସଙ୍ଗତାକୁ ଦୃଷ୍ଟିରେ ରଖି ଦାବି ଓ ଆପତ୍ତି ଦାଖଲ ସମୟସୀମାକୁ ଅତି କମରେ ୩୦ ଦିନ ବୃଦ୍ଧି କରାଯାଉ ।

ଗତ ୨୧ ତାରିଖରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଥିବା ସୂଚନାକୁ ଉଲ୍ଲେଖ କରି ବିଜେଡି କହିଛି ଯେ ପ୍ରସ୍ତାବିତ ୫୮.୩୬ ଲକ୍ଷ ନୋଟିସ୍‌ ମଧ୍ୟରୁ ମାତ୍ର ୧.୪୨ ଲକ୍ଷ ମାମଲାରେ ଶୁଣାଣି ସମ୍ପନ୍ନ ହୋଇଛି ଏବଂ ବିପୁଳ ସଂଖ୍ୟକ ମାମଲା ଏପର୍ଯ୍ୟନ୍ତ ବିଚାରାଧୀନ ରହିଛି। ମତଦାତାଙ୍କ ନାମ ବାଦ୍‌ ଦେବା ସମ୍ୱନ୍ଧୀୟ ୨୦.୩୨ ଲକ୍ଷ ଫର୍ମ-୭ ଆବେଦନର ସମ୍ପୂର୍ଣ୍ଣ ତାଲିକା ବୁଥ୍‌ ସ୍ତରରେ ଉପଲବ୍ଧ କରାଯାଉ, ଯାହାଦ୍ୱାରା ବୁଥ୍‌ ଲେଭେଲ୍‌ ଏଜେଣ୍ଟମାନେ ପ୍ରତ୍ୟେକ ମାମଲାର ଯାଞ୍ଚ କରି ପ୍ରକୃତ ମତଦାତାଙ୍କ ଅଧିକାରର ସୁରକ୍ଷା କରିପାରିବେ । ସ୍ୱଚ୍ଛ ଓ ନିରପେକ୍ଷ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଦାବି ଓ ଆପତ୍ତି ଦାଖଲ ସମୟସୀମା ବୃଦ୍ଧି ଅତ୍ୟନ୍ତ ଆବଶ୍ୟକ । ଦାବି ଓ ଆପତ୍ତି ପର୍ଯ୍ୟାୟରେ ଫର୍ମ-୬, ଫର୍ମ-୭ ଏବଂ ମାମଲାର ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ, ନିରପେକ୍ଷ ଭାବେ କରାଯିବା ଆବଶ୍ୟକ। ଫର୍ମ-୭ ମାମଲାରେ ସମସ୍ତ ରାଜନୈତିକ ଦଳର ବୁଥ୍‌ ଲେଭେଲ୍‌ ଏଜେଣ୍ଟଙ୍କୁ ସୂଚନା ଦେଇ ବିଏଲ୍‌ଓ-ବିଏଲ୍‌ଏ ବୈଠକ ବାଧ୍ୟତାମୂଳକ କରାଯାଉ। ସମ୍ପୃକ୍ତ ମତଦାତା, ତାଙ୍କ ପରିବାରର ଜଣେ ବୟସ୍କ ସଦସ୍ୟ କିମ୍ୱା ଜଣେ ପଡେ଼ାଶୀଙ୍କ ବୟାନ ରେକର୍ଡ ନକରି କୌଣସି ମତଦାତାଙ୍କ ନାମ ବାଦ୍‌ ଦିଆନଯାଉ। ସେହିପରି ସ୍ମାରକପତ୍ରରେ ବିଜେଡି ଅନୁରୋଧ କରିଛି ଯେ ଉପଯୁକ୍ତ କ୍ଷେତ୍ରସ୍ତରୀୟ ଯାଞ୍ଚ, ବିଏଲ୍‌ଓ-ବିଏଲ୍‌ଏ ବୈଠକରେ ଆଲୋଚନା ଏବଂ ସମ୍ପୃକ୍ତ ମତଦାତା କିମ୍ୱା ପରିବାରକୁ ପୂର୍ବ ସୂଚନା ନଦେଇ କୌଣସି ଫର୍ମ-୭ ଆବେଦନକୁ ଅନୁମୋଦନ କରାନଯାଉ କିମ୍ୱା କୌଣସି ଫର୍ମ-୬ ଆବେଦନକୁ ପ୍ରତ୍ୟାଖ୍ୟାନ କରାନଯାଉ। ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଏହି ସଂଶୋଧିତ ନିଦେ୍‌ର୍ଦଶାବଳୀକୁ ରାଜ୍ୟର ସମସ୍ତ ଇଲେକ୍ଟ୍ରୋରାଲ ରେଜିଷ୍ଟ୍ରେସନ ଅଫିସର ଓ ସମସ୍ତ ରାଜନୈତିକ ଦଳଙ୍କୁ ଅବଗତ କରନ୍ତୁ ବୋଲି ଦାବି କରାଯାଇଛି।

ବିଜେଡିର ଏହି ପ୍ରତିନିଧି ଦଳରେ ଦେବୀ ପ୍ରସାଦ ମିଶ୍ର, ଅନନ୍ତ ନାରାୟଣ ଜେନା,  ପ୍ରୀତିରଞ୍ଜନ ଘଡ଼ାଇ, ଭୃଗୁ ବକ୍ସିପାତ୍ର, ସୁଲୋଚନା ଦାସ, ବିଜୟ ନାୟକ ଏବଂ ଉମାକାନ୍ତ ସାମନ୍ତରାୟ ପ୍ରମୁଖ ସାମିଲ ଥିଲେ।

About The Author: Madhusudan Das